ଭୁବନେଶ୍ୱର,୦୯/୧୦: ମା’ ଆସୁଛନ୍ତି । ସେଥିପାଇଁ ସମସ୍ତେ ଚଳଚଞ୍ଚଳ । ଏହାରି ଭିତରେ ପୂଜାକୁ ନେଇ ଆରମ୍ଭ ହୋଇଯାଇଛି ନୂଆ ଟ୍ରେଣ୍ଡ୍‌ । ଜଗଜ୍ଜନନୀଙ୍କ ଆସିବାର ବାର୍ତ୍ତା ଦେବା  ପାଇଁ ମହିଳାଙ୍କ ଭିତରେ ଦେଖାଯାଉଛି ଉତ୍ସାହ ।  

ମହିଳାମାନେ ମା’ଙ୍କର ବିଭିନ୍ନ ବେଶରେ ସଜେଇ  ହୋଇ କରୁଛନ୍ତି ଫଟୋସୁଟ୍‌ । କିଏ ମା’ଙ୍କର ଶାନ୍ତ  ରୂପକୁ ଧାରଣ କରୁଛନ୍ତି ତ ଆଉ କିଏ ଉଗ୍ର ।  ବିଶେଷକରି ପଶ୍ଚିମବଙ୍ଗରେ ମା’ ଦୁର୍ଗାଙ୍କୁ ଯେଉଁଭାବେ  ପୂଜା କରାଯାଏ ତଥା ସେଠାରେ ଯେଭଳି ସାଜସଜ୍ଜା  କରାଯାଇଥାଏ ସେହିଭଳି ଢଙ୍ଗରେ ମହିଳାମାନେ  ସଜେଇ ହେଉଛନ୍ତି । ମୁଖ୍ୟତଃ ସେମାନେ ଧଳା-ନାଲି  ମିଶ୍ରିତ ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏଥିସହିତ  ହାତରେ ପଦ୍ମଫୁଲ, ଝୁଣା ଦାନୀ, ପାନ ପତ୍ର, ଆଖିରେ  କଜ୍ଜ୍ୱଳ, ସିନ୍ଥିରେ ଭରି ରହିଛି ସିନ୍ଦୂର, ଆଉ କପାଳରେ  ମା’ ଦୁର୍ଗାଙ୍କ ଭଳି ରହୁଛି ତୃତୀୟ ନୟନ । ସେଥିପାଇଁ  ବଜାରରେ ଓ ଅନ୍‌ଲାଇନରେ ବିଭିନ୍ନ ପ୍ରକାର ସାମଗ୍ରୀ  ମିଳୁଛି । ଅଧିକାଂଶ ମହିଳା ଧଳା-ନାଲି ଶାଢ଼ି କିଣିବା  ପାଇଁ ବଜାରରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳୁଛି ।   

ଏହାବାଦ୍‌ ବିଭନ୍ନ ନଦୀପଠାରେ ଫୁଟିଥିବା କାଶତଣ୍ଡୀ  ଫୁଲ ନିକଟରେ ମଧ୍ୟ ମହିଳାମାନେ ଫଟୋସୁଟ୍‌  କରୁଛନ୍ତି । ବିଶେଷତଃ ଯୁବପିଢ଼ିଙ୍କ ଭିତରେ ଏହି  ନୂଆ କ୍ରେଜ୍‌ ଦେଖାଦେଇଛି । ଏଥିପାଇଁ କେହି କେହି  ନିଜ ମୋବାଇଲ କ୍ୟାମେରାର ସାହାଯ୍ୟ ନେଉଥିବା  ବେଳେ ଆଉ କେହି ସ୍ୱତନ୍ତ୍ର ଭାବେ ଫଟୋଗ୍ରାଫରଙ୍କ  ଦ୍ୱାରା ଫଟୋସୁଟ୍‌ କରାଉଛନ୍ତି । ବିଭିନ୍ନ ସାମାଜିକ  ଗଣମାଧ୍ୟମରେ ଶାରଦୀୟ ପୂଜାର ବାର୍ତ୍ତା ସହିତ  ଏହିସବୁ ଫଟୋ ପୋଷ୍ଟ କରାଯାଉଛି ।