ଭୁବନେଶ୍ୱର,୦୯/୧୦: ନିଦ ଭାଙ୍ଗିବା ଆଗରୁ ବେଲ୍‌ ମାରି ଉଠାଇଥିଲେ ସଫେଇ କର୍ମଚାରୀ । ଦରଜା ଖୋଲିଲାବେଳକୁ ସାର୍‌, ପୂଜା ବକ୍ସିସ୍‌... । କିଛି ମିନିଟ୍‌ ଯାଇନି ପହଞ୍ଚିଲେ  ପେପର ହକର୍‌ । ସେଇ ସମାନ ଷ୍ଟାଇଲ୍‌,  ସମାନ ଦାବି । ଆଜ୍ଞା, ଦଶରା ଖର୍ଚ୍ଚ ।  ସକାଳ ଆରମ୍ଭ ହେଉଛି ଦଶରା  ବକ୍ସିସରୁ । ଏ ଦଶରା ବକ୍ସିସ୍‌ ଭାଇରସ୍‌  ଏବେ ଘରଠାରୁ ଅଫିସ, ସେଲୁନରୁ  ହୋଟେଲ, ହାଟ ବଜାର ସବୁଠି ଗୋଡ଼ାଉଛି । ଯେତେ ଚେଷ୍ଟା କଲେ ବି  ଏ ଜାଲରୁ ମୁକୁଳିବା କାଠିକର ପାଠ । ଦଶହରା ପାଇଁ ରାଜଧାନୀ ବଜାର  ସରଗରମ । ପୂଜା ଖୁସି ପାଇଁ ସମସ୍ତେ  ଉତ୍ସବ ମୁଖରିତ ହେଲେଣି । ଏମିତି  ଏକ ବାତାବରଣ ଭିତରେ ସବୁବର୍ଷ  ଭଳି ଏ ବର୍ଷ ବି ଦଶରା ବକ୍ସିସ୍‌ ପର୍ବ  ଆରମ୍ଭ ହୋଇଯାଇଛି । ଯୁଆଡ଼େ ଯିବ,  ଦଶରା ଖର୍ଚ୍ଚ କିମ୍ବା ବକ୍ସିସ୍‌ ଦାବି ।  ରାସ୍ତାରେ ଅଳିଆ ଗାଡ଼ି ରଖି ସଫେଇ  କର୍ମଚାରୀ ବି ପହଞ୍ଚିଯାଉଛନ୍ତି ଘର  ଘର ବକ୍ସିସ୍‌ ସଂଗ୍ରହରେ । ନିଦ ଭାଙ୍ଗୁ  କି ନ ଭାଙ୍ଗୁ ବକ୍ସିସ୍‌ ନ ମିଳିବା ପର୍ଯ୍ୟନ୍ତ  ନିୟମିତ ଅନ୍ତତଃ ଥରେ ଦୁଇଥର  କଲିଂ ବେଲ୍‌ ବଜାଇବା ଥୟ । ନଚେତ  ଗେଟ୍‌ ବାଡ଼େଇ ମଗାଯାଉଛି । ଘରେ  ଖବରକାଗଜ ଦେଉଥିବା ବ୍ୟକ୍ତି ହୁଅନ୍ତୁ  କି କ୍ଷୀର ଯୋଗାଉଥିବା ବ୍ୟକ୍ତି, ସମସ୍ତଙ୍କ  ଦାବି ବର୍ଷରେ ଥରୁଟିଏ ସାର୍‌ ଦିଅନ୍ତୁ ।  

ସ୍ଥିତି ଏମିତି ହେଲାଣି ପାନ  ଦୋକାନ, ସେଲୁନକୁ ଯିବାକୁ ଡର  ଲାଗିଲାଣି । ଦୋକାନକୁ ପଶୁ ପଶୁ  କ୍ୟାସ୍‌ ବାକ୍ସ ଆଗରେ ଥୁଆ ହେଉଛି ଡବା । ସେଥିରେ ଲେଖା ଅଛି ଦଶରା  ଖର୍ଚ୍ଚ । ସେଲୁନରେ ଚୁଟି କାଟୁଥିବା  କର୍ମଚାରୀ ହୁଅନ୍ତୁ କି ହୋଟେଲରେ  ଖାଦ୍ୟ ପରଷୁଥିବା କର୍ମଚାରୀ, ସମସ୍ତେ  ଏମିତି ମାଗୁଛନ୍ତି । ପ୍ରତିଦିନ ଦେଖିଲେ  ସାର୍‌ ଦେଲେନି କହି ମନେ ପକାଇ  ଦେଉଛନ୍ତି । ୫୦/୧୦୦ରେ ବି ଅନେକ ମଙ୍ଗୁନାହାନ୍ତି । ଦାବି କରୁଛନ୍ତି- ଟିକିଏ  ଅଧିକ ଦିଅନ୍ତୁ । ବର୍ଷରେ ଥରୁଟିଏ...  ଆମେ ୪/୫ ଜଣ ଅଛୁ, ବାଣ୍ଟିଲେ  କେତେ ପଡ଼ିବ । ଚେଞ୍ଜ୍‌ ନ ଥିଲେ  କହିଲେ କିଏ କହୁଛନ୍ତି ଫୋନ୍‌ ପେ...  କରିଦିଅନ୍ତୁ । ଦଶହରା ଖର୍ଚ୍ଚରେ ନୟାନ୍ତ  ମଧ୍ୟବିତ୍ତ ଏବେ ଏହି ବକ୍ସିସ୍‌ ଭୟରେ  ସେଲୁନ, ହୋଟେଲ ଯିବାକୁ ଡରିଲେଣି ।  ଅଫିସରେ ପାଣି, ଚା’ ଦେଉଥିବା  କର୍ମଚାରୀ ବି ମନେପକାଇ ଦେଉଛନ୍ତି,  ଛୁଟି ହୋଇଯିବ, ଶୀଘ୍ର ଦେଇ ଦିଅନ୍ତୁ... ।