କଟକ, ୨୯/୦୯:  ଦଶହରା ଭିଡ଼ରେ ପରିବାରକୁ ସାଙ୍ଗରେ ଧରି ଅଟୋରେ  ବୁଲିବାର ମଜା ହିଁ କିଛି  ଅଲଗା । କଟକ ଲୋକ ହୁଅନ୍ତୁ  କି ବାହାର ଲୋକ ସଂଧ୍ୟା ହେବା ମାତ୍ରେ ଅଟୋରେ ବୁଲି ସହରର ସାଜସଜ୍ଜା ଓ ମଣ୍ଡପରେ ଦର୍ଶନ  କରୁଛନ୍ତି । ପ୍ରତିବର୍ଷ ଭଳି ଏଥର ମଧ୍ୟ ପାର୍ବଣକୁ ଦୃଷ୍ଟିରେ ରଖି  ଅଟୋ ଡ୍ରାଇଭର୍‌ଙ୍କ ଦ୍ୱାରା  ଭଡା ବାବଦକୁ ସ୍ୱତନ୍ତ୍ର ପ୍ୟାକେଜ୍‌ କରାଯାଇଛି ।  ଏହା ସର୍ବନିମ୍ନ ୧୫ଶହ ଟଙ୍କାରୁ ଆରମ୍ଭ କରି ଦୁଇ  ହଜାର ପର୍ଯ୍ୟନ୍ତ ରହିଛି । ତେବେ ଭିଡକୁ ଦୃଷ୍ଟିରେ  ରଖି ଦିନକ ପୂର୍ବରୁ ଅଟୋ ବୁକିଂ କରିବାକୁ ପଡୁଛି ।  

ଦଶହରାରେ କଟକ ସହରର ସାଜସଜ୍ଜା ସହ  ମଣ୍ଡପରେ ମା’ଙ୍କ ଦର୍ଶନ, ଚାନ୍ଦିମେଢ଼ ଦେଖିବା ପାଇଁ  ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଭିଡକୁ  ଦୃଷ୍ଟିରେ ରଖି ଅଧିକାଂଶ ଲୋକ ପରିବାର ସହିତ  ଅଟୋରେ ବୁଲିବାକୁ ପସନ୍ଦ କରିଥାନ୍ତି । ପ୍ରତିଥର  ଭଳି ଏଥର ମଧ୍ୟ ସପ୍ତମୀରୁ ଅଟୋ ଭଡା ଆଗୁଆ  ବୁକିଂ କରାଯାଉଛି । ଦଶହରା ବୁଲା ପାଇଁ ଅଟୋ  ଡ୍ରାଇଭରଙ୍କ ପକ୍ଷରୁ ପ୍ୟାକେଜ୍‌ କରାଯାଇଛି । ୧୫ଶହ  ଟଙ୍କାରେ ପରିବାରଙ୍କୁ ମାଲଗୋଦାମ, ରାଣୀହାଟ,  ମଙ୍ଗଳାବାଗ, ଚୌଧୁରୀ ବଜାର, ଚାନ୍ଦିନୀଚୌକ,  ଶେଖ୍‌ ବଜାର ଆଦି ମଣ୍ଡପ ବୁଲାଯିବ । ତାପରେ  ଲୋକଙ୍କ ଡିମାଣ୍ଡ୍‌ ଅନୁସାରେ ଖାନନଗର ସମେତ  ପୂର୍ବାଞ୍ଚଳ ଆଦି ବୁଲାଇବେ ଅଟୋ ଚାଳକ । ଦଶହରା  ସମୟରେ ହିଁ ଦୁଇ ପଇସା ଭଲ ରୋଜଗାର ଆଶାରେ  ରହିଥାନ୍ତି ଅଟୋ ଚାଳକ । ରାତି ସାଢେ ୧୦ଟା ପର୍ଯ୍ୟନ୍ତ  ବୁଲାଯିବ । ଟ୍ରାଫିକ୍‌ କଟକଣା ସାଙ୍ଗକୁ ଭିଡ ହେତୁ ଦର  ବୃଦ୍ଧି ହୋଇଥିବା ଅଟୋ ଡ୍ରାଇଭର୍‌ ମହେନ୍ଦ୍ର ସାହୁ କହିଛନ୍ତି ।