ନୂଆଦିଲ୍ଲୀ,୦୮/୧୧: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଦେଶର ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ଡି.ଓ୍ବାଇ ଚନ୍ଦ୍ରଚୁଡ଼ଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଆକର୍ଷଣୀୟ ଥିଲା, କାରଣ ସେ କେବଳ ଦୁଇବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଆଜି ତାଙ୍କ ଶେଷ କାର୍ଯ୍ୟ ଦିବସରେ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ବସିଥିବା ଖଣ୍ଡପୀଠ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ସ୍ଥିତି ସମ୍ପର୍କରେ ନିଜର ରାୟ ଦେଇଛନ୍ତି ଏବଂ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ମାନ୍ୟତା ବଜାୟ ରଖିଛନ୍ତି।

ତେବେ ସିଜେଆଇଙ୍କ ଦ୍ୱାରା ପରିଚାଳିତ ୭ ଜଣିଆ ଖଣ୍ଡପିଠ ୪:୩ ବହୁମତରେ ଏହି ରାୟ ଦେଇଥିଲେ। ସିଜେଆଇଙ୍କ ବ୍ୟତୀତ ଏହି ସାମ୍ବିଧାନିକ ଖଣ୍ଡପୀଠରେ ଆଗାମୀ ସିଜେଆଇ ଜଷ୍ଟିସ୍ ଖାନ୍ନା, ସୂର୍ଯ୍ୟ କାନ୍ତ, ଜେବି ପାରଦୀୱାଲା, ଦୀପଙ୍କର ଦତ୍ତ, ମନୋଜ ମିଶ୍ର ଏବଂ ସତୀଶ ଚନ୍ଦ୍ର ଶର୍ମା ରହିଥିଲେ। କହିରଖୁଛୁ ଯେ, ସମ୍ବିଧାନର ଧାରା ୩୦ ଅନୁଯାୟୀ ଧାର୍ମିକ ଏବଂ ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷାନୁଷ୍ଠାନ ଗଠନ ତଥା ପରିଚାଳନା କରିବାର ଅଧିକାର ରହିଛି।

ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ଙ୍କ ବଡ଼ ରାୟ: 

ଆଜି ସିଜେଆଇ ଚନ୍ଦ୍ରଚୁଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଛି କିନ୍ତୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ବଡ଼ ରାୟ ଦେଇଛନ୍ତି, ଯାହା ଭବିଷ୍ୟତରେ କୋର୍ଟ ପ୍ରକ୍ରିୟାରେ ଏକ ଉଦାହରଣ ହେବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ନିଷ୍ପତ୍ତି ତଥା ରାୟଗୁଡ଼ିକ କ’ଣ?

ରାମ ମନ୍ଦିର ନିଷ୍ପତ୍ତିରେ ସାମ୍ପିଧାନିକ ଖଣ୍ଡପିଠରେ ଥିଲେ ଚନ୍ଦ୍ରଚୁଡ଼:

ଅଯୋଧ୍ୟାରେ ରାମ ଜନ୍ମଭୁମିରେ ଚାଲିଥିବା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରଦାନ କରିଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ମଧ୍ୟରେ ଚନ୍ଦ୍ରଚୁଡ଼ ‌ଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଯେଉଁଠାରେ ରାମଲାଲାଙ୍କ ପ୍ରତିମା ଚଳିତ ବର୍ଷ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କରାଯାଇଥିଲା।

ନିର୍ବାଚନୀ ବଣ୍ଡ୍‌ର ଅନ୍ତ: 

ରାଜନୈତିକ ଦଳଗୁଡିକୁ ପାଣ୍ଠି ଯୋଗାଇବା ପାଇଁ ଭାରତ ସରକାର ନିର୍ବାଚନୀ ବଣ୍ଡ ଆରମ୍ଭ କରିଥିଲେ। ଏହି ବ୍ୟବସ୍ଥା ମାଧ୍ୟମରେ ବିଜେପି ଏବଂ କଂଗ୍ରେସ ସମେତ ସମସ୍ତ ଦଳ କୋଟି କୋଟି ଟଙ୍କା ପାଇଥିଲେ ମଧ୍ୟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ହୋଇଥିବା ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ବ୍ୟବସ୍ଥା ସ୍ୱଚ୍ଛ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ। ଏହି କାରଣରୁ, ନିର୍ବାଚନ ବଣ୍ଡ୍‌ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା।

ସମଲିଙ୍ଗି ବିବାହକୁ ନେଇ ଦେଇଥିଲେ ନିଜ ଆଭିମୁଖ୍ୟ:

ସମଲିଙ୍ଗୀ ବିବାହର ଚାହିଦା ମଧ୍ୟ ଭାରତରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ କରିଥିଲେ। ସମଲିଙ୍ଗୀ ବିବାହକୁ ଅନୁମୋଦନ କରିବାକୁ ମନା କରୁଥିବାବେଳେ ତାଙ୍କ ଖଣ୍ଡପୀଠ କହିଥିଲେ ଯେ ଆମେ ଏହି ନିଷ୍ପତ୍ତି ସଂସଦରେ ଛାଡ଼ିଛୁ। ଭବିଷ୍ୟତରେ ଯଦି ସମାଜ ଅନୁଭବ କରେ ଯେ ଏହା କରିବା ଆବଶ୍ୟକ ତେବେ ଏନେଇ ନିଷ୍ପତ୍ତି ନିଆଯିବ।

ଅନୁଛେଦ ୩୭୦ ପ୍ରତ୍ୟାହାର ପାଇଁ ଲମ୍ବା ଶୁଣାଣି: 

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପିଠ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ମଧ୍ୟ ଦୀର୍ଘ ଶୁଣାଣି କରିଥିଲେ। ସମ୍ବିଧାନ ଅନୁଯାୟୀ ଧାରା ୩୭୦ କୁ ହଟାଇବାକୁ କୋର୍ଟ ବିଚାର କରିଥିଲେ। ଏହି ମାମଲାରେ ପ୍ରଧାନ ବିଚାରପତି କହିଥିଲେ ଯେ,' ବିଚାରପତିମାନେ କେବଳ ସମ୍ବିଧାନ ଏବଂ ଆଇନର ଆଭିମୁଖ୍ୟ ମଧ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ବନାମ କେନ୍ଦ୍ର ସରକାରଙ୍କ ଉପରେ ବଡ଼ ନିଷ୍ପତ୍ତି: 

ଦିଲ୍ଲୀ ସରକାରୀ ପ୍ରଶାସନ ଏବଂ ଅଧିକାରୀଙ୍କ ବିବାଦ ଏବଂ ସ୍ଥାନାନ୍ତର ନିଯୁକ୍ତି ଉପରେ କାହାର ଚୂଡ଼ାନ୍ତ ନିଷ୍ପତ୍ତି ବୈଧ ହେବ? ଏହି ପ୍ରସଙ୍ଗରେ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ସୁପ୍ରିମକୋର୍ଟରେ ମଧ୍ୟ ଏ ସମ୍ପର୍କରେ ଏକ ଦୀର୍ଘ ଶୁଣାଣି ହୋଇଥିଲା। ଏହା ଉପରେ କୋର୍ଟ କହିଥିଲେ ଯେ, କେବଳ ଦିଲ୍ଲୀର ନିର୍ବାଚିତ ସରକାର ଏପରି ମାମଲାରେ ନିଷ୍ପତ୍ତି ନେବାର ଅଧିକାର ରହିଛି, ଯାହା ଏହାର ଅଧୀନରେ ଆସେ।

ଧର୍ମ ପରିବର୍ତ୍ତନକୁ କୁହାଗଲା ବ୍ୟକ୍ତିଗତ ଅଧିକାର:

କେରଳର ପ୍ରସିଦ୍ଧ ହଦିଆ ବିବାହ ମାମଲାରେ ଏହି ରାୟ ଦେଇଥିବା ଖଣ୍ଡପିଠଙ୍କ ମଧ୍ୟରେ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୁଡ଼ ମଧ୍ୟ ଥିଲେ। ଖଣ୍ଡପୀଠ କହିଥିଲେ ଯେ, ଯଦି ଜଣେ ଝିଅ ବୟସ୍କ ତେବେ ସେ କାହାକୁ ବିବାହ କରିବେ ତାହା ବାଛିବା ତାଙ୍କର ଅଧିକାର। ଏହା ବ୍ୟତୀତ, ଯଦି ସେ ନିଜ ଧର୍ମକୁ ସ୍ୱଇଚ୍ଛାରେ ପରିବର୍ତ୍ତନ କରିଛନ୍ତି ତେବେ କେହି ଏହାକୁ ବିରୋଧ କରିପାରିବେ ନାହିଁ। ଧର୍ମ ପରିବର୍ତ୍ତନକୁ ବ୍ୟକ୍ତିଗତ ଅଧିକାର ବୋଲି କୋର୍ଟ କହିଥିଲେ।

ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ନିଷ୍ପତ୍ତି: 

କେରଳର ପ୍ରତିଷ୍ଠିତ ସବରିମାଳା ମନ୍ଦିରରେ ମାସିକ ଋତୁସ୍ରାବ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନିଷ୍ପତ୍ତି ଉପରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ସୁପ୍ରିମକୋର୍ଟର ଖଣ୍ଡପୀଠରେ ସାମିଲ କରାଯାଇଥିଲା। ଚନ୍ଦ୍ରଚୁଡ଼ ଏହି ରାୟ ପ୍ରଦାନ କରିବାବେଳେ ତାଙ୍କ ମତ ଦେଇଥିଲେ ଯେ ଏହା କରିବା ଅସାମ୍ବିଧାନିକ ଅଟେ। ସମ୍ବିଧାନର ଅନେକ ଧାରା ଏହାକୁ ନିଷେଧ କରିଛି ଏବଂ ଏହିପରି ଅଭ୍ୟାସ ଜାରି ରଖିବା ଭୁଲ୍।

କଲେଜିଅମ୍‌ ସିଷ୍ଟମ୍‌ ଉପରେ ଗୁରୁତ୍ବପୂର୍ଣ୍ଣ ଥିଲା ଚନ୍ଦ୍ରଚୁଡ଼ଙ୍କ ରାୟ: 

ନ୍ୟାସନାଲ ଜୁଡିସିଆଲ୍ କମିଶନ ବନାମ କଲେଜିୟମ୍‌ର ବିତର୍କ ସମ୍ପର୍କରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ଏହା ମଧ୍ୟ କହି‌ଥିଲେ ଯେ କଲେଜିୟମର ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱଚ୍ଛ। ସେ କହିଥିଲେ ଯେ ଆମେ ଏଭଳି ପଦକ୍ଷେପ ନେଇଛୁ ଯେ କଲେଜିୟମ ବ୍ୟବସ୍ଥା ସ୍ୱଚ୍ଛ ରହିଛି। ସେ କହିଥିଲେ ଯେ ଆମେ ସୁପ୍ରିମକୋର୍ଟରେ ଜଣେ ବିଚାରପତି ନିଯୁକ୍ତ କରିବା ଉଚିତ୍।

କାର୍ଯ୍ୟାଳୟରେ ଯୌନ ଉତ୍ପୀଡ଼ନକୁ ନେଇ କ'ଣ କହିଥିଲେ ପ୍ରଧାନ ବିଚାରପତି:

ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ବା ଯେକୌଣସି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନକୁ ନେଇ ରାୟ ଦେଇଥିଲେ। ସେ ଏହା ମହିଳାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ତାଙ୍କ ଖଣ୍ଡପିଠରେ କହିଥିଲେ। ଏହା କିପରି ମହିଳାମାନଙ୍କୁ କାମ କରିବାକୁ ଉତ୍ସାହିତ କରିବ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।