• ଆୟକର ଛାଡ଼ ପାଇଁ ରହିବ ବ୍ୟବସ୍ଥା
  • ସାଇବର ଠକେଇ ରୋକିବା ଉପରେ ବୈଠକରେ ଗୁରୁତ୍ୱ

ଭୁବନେଶ୍ୱର, ୩।୬ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ଉଚ୍ଚ ସ୍ତରୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି I ଆଇନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀ ନିମନ୍ତେ ଆଲୋଚନା ହୋଇଥିଲା I

ଯେଉଁଥିରେ ଭକ୍ତ ତଥା ଶ୍ରଦ୍ଧାଳୁ ନିଜ ଜନ୍ମଦିନ, ବିବାହ ବାର୍ଷିକୀ ତଥା ନିଜର ମନସ୍କାମନା ପୂରଣ ଖୁସିରେ କିଭଳି ଭାବେ ଅନଲାଇନ ମାଧ୍ୟମରେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥରାଶି ଦାନ କରିପାରିବେ ସେଥିନେଇ ଆଲୋଚନା ହୋଇଥିଲା I ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବାକୁ ଥିବା ବେଳେ ଭକ୍ତଙ୍କ ଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିର ବିକାଶ ଦିଗରେ ଖର୍ଚ୍ଚ ହେବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇ ପାରିବେ I ତେବେ ଏହି ବ୍ୟବସ୍ଥାରୁ ସାଇବର ଅପରାଧୀ ଯେପରି ଫାଇଦା ଉଠାଇ ନ ପାରିବେ ସେଥିଲାଗି ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ I

ଏହି ବୈଠକରେ ଲ' କମିଶନର ଜଷ୍ଟିସ ବିଶ୍ଵନାଥ ରଥ, ଶ୍ରୀମନ୍ଦିର ମୁଖ୍ୟପରିଚାଳକ ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ପବିତ୍ର ମୋହନ ସାମଲ, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର ଏବଂ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I

ଆହୁରି ପଢନ୍ତୁ : ଓଡିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ, ୮ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ