ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ପାକିସ୍ତାନରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନ ପହଞ୍ଚିଛନ୍ତି । ସଙ୍ଘାଇ ସହଯୋଗ ସଂଗଠନ ବୈଠକରେ ସାମିଲ ହେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ୯ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ପହଞ୍ଚିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ସେ ନିକଟରେ କହିଥିଲେ ଯେ କୌଣସି ପଡୋଶୀ ଦେଶ ଭଳି ଭାରତ ମଧ୍ୟ ପାକିସ୍ତାନ ସହ ଭଲ ସମ୍ପର୍କ ଚାହୁଁଛି । କିନ୍ତୁ, ସୀମା ଆତଙ୍କବାଦକୁ ଅଣଦେଖା କରି ଏହା କରାଯାଇପାରିବ ନାହିଁ ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ରାତ୍ରୀ ଭୋଜନର ଆୟୋଜନ କରିବେ ଏବଂ ଏହା ସହିତ ଏସସିଓ ଶିଖର ସମ୍ମିଳନୀ ଆରମ୍ଭ ହେବ । ଗତ କିଛି ବର୍ଷ ଧରି ଦୁଇ ପଡୋଶୀ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତରୁ ପାକିସ୍ତାନକୁ ଏହା ହେଉଛି ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ।
କୁହାଯାଉଛି ଯେ, ଏସସିଓ ସମ୍ମିଳନୀରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ୍ ଦାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନାକୁ ଉଭୟ ପକ୍ଷ ଅସ୍ୱୀକାର କରିଛନ୍ତି । ପାକିସ୍ତାନ ଗସ୍ତରେ ଆସିଥିବା ଭାରତର ଶେଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ହେଉଛନ୍ତି ସୁଷମା ସ୍ୱରାଜ । ଆଫଗାନିସ୍ତାନ ଉପରେ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଡିସେମ୍ବର ୨୦୧୫ ରେ ଇସଲାମାବାଦ ଯାତ୍ରା କରିଥିଲେ । ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବାକୁ ପାକିସ୍ତାନ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲା।
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏସସିଓ ଶିଖର ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହୋଟେଲ ଏବଂ ବିଦେଶୀ ପ୍ରତିନିଧୀ ମାନେ ରହୁଥିବା ସ୍ଥାନରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ପାକିସ୍ତାନ ସେନାର କର୍ମଚାରୀ, ଗୁପ୍ତଚର ଏଜେନ୍ସି, ଫ୍ରଣ୍ଟିଅର୍ କୋର୍ (ଏଫସି) ଏବଂ ରେଞ୍ଜର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି।