ନୂଆଦିଲ୍ଲୀ,୦୪/୦୯: ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ ।ଭାରତୀୟ ସମୟ ୧୦ ଟା ୪୦ରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପ ଗଭୀରତା ୧୩୫ କିଲୋମିଟର ଥିଲା।
ଏହା ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ମଧ୍ୟ ୪.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯାହାର ଗଭୀରତା ମାତ୍ର ୧୦ କିଲୋମିଟର ଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଦକ୍ଷିଣ-ପୂର୍ବ ଭାଗରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ପୂର୍ବରୁ ରବିବାର ରାତିରେ ମଧ୍ୟ ଆଫଗାନିସ୍ତାନର ଜଲାଲାବାଦରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୪୧୧ ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୩୨୫୦ ରୁ ଅଧିକ ହୋଇଛି। ରବିବାର ଭୂମିକମ୍ପ ହୋଇଥିବା ସମୟରେ ଅଧିକାଂଶ ଲୋକ ଶୋଇଥିଲେ, ଯାହା ଫଳରେ ସେମାନେ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଖାମା ପ୍ରେସ୍ ରିପୋର୍ଟ ଅନୁଯାୟୀ, WFP ଆଫଗାନିସ୍ତାନର କୁନାର ଏବଂ ନାଙ୍ଗରହାର ପ୍ରଦେଶକୁ ଜରୁରୀକାଳୀନ ସହାୟତା ପଠାଇଛି, ଯେଉଁଠାରେ ୧୪୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି।ଅଧିକ ସହାୟତା ଏବଂ କର୍ମଚାରୀ ପଠାଇବା ପାଇଁ ଅତିରିକ୍ତ ବିମାନ ଚଳାଚଳ ସ୍ଥିର ହୋଇଛି। ଭାରତ ମଧ୍ୟ ଆଫଗାନିସ୍ତାନକୁ ସାହାୟତା ପଠାଇଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଦିନ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ ଭାରତୀୟ ଭୂମିକମ୍ପ ସହାୟତା ବିମାନ ଯୋଗେ କାବୁଲରେ ପହଞ୍ଚିଛି।