ଭୁବନେଶ୍ୱର ୩୧/୦୧: ସୁସ୍ଥ ରହିବା ପାଇଁ ଶରୀରରେ ରକ୍ତ ସଞ୍ଚାଳନ ଉପଯୁକ୍ତ ଭାବେ ହେବା ଜରୁରି । ଠିକ୍‌ ଭାବେ ରକ୍ତ ସଞ୍ଚାଳନ ହେବା ଦ୍ୱାରା କେବଳ ମସ୍ତିଷ୍କ ଠିକ୍‌ କାମ କରି ନଥାଏ ବରଂ ରକ୍ତ ଓ ଅମ୍ଲଜାନ ଶରୀରର ସମସ୍ତ ଅଙ୍ଗକୁ ଠିକ୍‌ ଭାବେ ପହଞ୍ଚିଥାଏ । ରକ୍ତ ସଞ୍ଚାଳନକୁ ଠିକ୍‌ କରିବା ପାଇଁ ଖାଦ୍ୟ ଓ ପାନୀୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିଥାଏ । ଉପଯୁକ୍ତ ରକ୍ତ ସଞ୍ଚାଳନ ଆମ ଶରୀର ପାଇଁ ଖୁବ୍‌ ଜରୁରି । ସଂକ୍ରମଣ ସହ ଲଢିବା, ଶରୀରର ପ୍ରତ୍ୟେକ ଅଂଶରେ ଅମ୍ଲଜାନ ପହଞ୍ଚାଇବାଠାରୁ ଆରମ୍ଭ କରି ମସ୍ତିଷ୍କକୁ ସୁସ୍ଥ ରଖିବା ଯାଏ ସବୁକିଛି ରକ୍ତ ସଞ୍ଚାଳନ ଉପରେ ନିର୍ଭର କରିଥାଏ । ଆପଣ ଉପଯୁକ୍ତ ଖାଦ୍ୟ ଦ୍ୱାରା ହିଁ ରକ୍ତ ସଞ୍ଚାଳନକୁ ବଢାଇପାରିବେ । ସେଥିପାଇଁ ଡାଏଟ୍‌ରେ ନିମ୍ନ କେତେକ ଖାଦ୍ୟକୁ ସାମିଲ୍‌ କରିପାରିବେ । 

ଡାଳିମ୍ବ: ଡାଳିମ୍ବରେ ପଲିଫେନୋଲ୍‌ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ନାଇଟ୍ରେଜନ୍‌ ଅଧିକ ମାତ୍ରାରେ ମିଳିଥାଏ । ତେଣୁ ଡାଳିମ୍ବ ଫଳ ବା ଜୁସ୍‌କୁ ସପ୍ଲିମେଣ୍ଟାରୀ ଭାବେ ଖାଇପାରିବେ । ଏହା ରକ୍ତ ସଞ୍ଚାଳନକୁ ତୀବ୍ର କରାଇଥାଏ । 

ବିଟ୍‌: ଏହା ନାଇଟ୍ରେଟ୍‌ରେ ଭରା, ଯାହା ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ରେ ପରିବର୍ତ୍ତତ ହୋଇଥାଏ । ନାଇଟ୍ରିକ୍‌ ଅକ୍ସାଇଡ୍‌ ରକ୍ତ କୋଷିକାଗୁଡିକୁ ରିଲାକ୍ସ କରିଦେଇଥାଏ । ଫଳରେ ରକ୍ତ ସଞ୍ଚାଳନରେ ସୁଧାର ଆସିଥାଏ । 

ରସୁଣ: ଏଥିରେ ସଲଫର୍‌ ରହିଥାଏ । ଯେଉଁଥିରେ ଏଲିସିନ୍‌ ମଧ୍ୟ ସାମିଲ୍‌ ଥାଏ, ଯାହା ରକ୍ତ କୋଷିକାର ପ୍ରବାହକୁ ବଢାଇଥାଏ । ସେହିପରି ପିଆଜ ମଧ୍ୟ ଫ୍ଲେବୋନୋଇଡ୍‌ ଆଣ୍ଟି-ଅକ୍ସିଡେଣ୍ଟର ଏକ ପ୍ରମୁଖ ସ୍ରୋତ, ଯାହା ରକ୍ତ ପ୍ରବାହକୁ ବଢାଇବା ସହ ରକ୍ତନଳୀକୁ ପ୍ରଶସ୍ତ କରିଥାଏ । ଫଳରେ ରକ୍ତ ସଞ୍ଚାଳନ ତୀବ୍ର ହୋଇଥାଏ । 

ସବୁଜ ଶାଗ: ପାଳଙ୍ଗ ପରି ବିଭିନ୍ନ ପତ୍ର ଶାଗ ନାଇଟ୍ରେଟ୍‌ର ପ୍ରମୁଖ ସ୍ରୋତ । ଏହା ରକ୍ତବାହିକାକୁ ପ୍ରଶସ୍ତ କରିବା ସହ ରକ୍ତ ସଞ୍ଚାଳନରେ ସୁଧାର ଆଣିଥାଏ । 

ଡାଳଚିନି: ଏହା ଆଣ୍ଟି-ଅକ୍ସଡାଣ୍ଟରେ ଭରା, ଯାହା ରକ୍ତ ସଞ୍ଚାଳନକୁ ବଢାଇବାରେ ଖୁବ୍‌ ସହଯୋଗ କରିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌ ଓ ରକ୍ତବାହିକାରେ ହେଉଥିବା କ୍ଷତିରୁ ରକ୍ଷା କରିବା ସହ ରକ୍ତ ସଞ୍ଚାଳନକୁ ତୀବ୍ର କରିଥାଏ ।