ନୂଆଦିଲ୍ଲୀ,୧୯।୯: ଅଣସ୍ୱୀକୃତିପ୍ରାପ୍ତ ଦଳଗୁଡ଼ିକ ଉପରେ ନିର୍ବାଚନ କମିଶନଙ୍କ ଛାଟ। ନୀତି ନିୟମ ଉଲ୍ଲଂଘନ କରିଥିବାରୁ ତାଲିକାରୁ ଆଉ ୪୭୪ଟି ଦଳକୁ ବାଦ ଦିଆଯାଇଛି। ଶୁକ୍ରବାର ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଗତ ଛଅ ବର୍ଷ ମଧ୍ୟରେ ନିର୍ବାଚନ ନ ଲଢ଼ିବା ସମେତ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କରିଥିବାରୁ ଆହୁରି ୪୭୪ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦିଆଯାଇଛି।
ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ, ନିର୍ବାଚନ କମିଶନ ଅଗଷ୍ଟ ୯ ତାରିଖରେ ୩୩୪ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)କୁ ତାଲିକାରୁ ବାଦ୍ ଦେଇଥିଲେ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ, ନିର୍ବାଚନ କମିଶନ ଲଗାତାର ଛଅ ବର୍ଷ ଧରି କୌଣସି ନିର୍ବାଚନରେ ଅଂଶଗ୍ରହଣ ନକରିବା ଆଧାରରେ ସେପ୍ଟେମ୍ବର ୧୮ ତାରିଖରେ ୪୭୪ ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)କୁ ତାଲିକାରୁ ବାଦ୍ ଦେଇଥିଲେ। ଏହା ସହିତ ଗତ ଦୁଇ ମାସରେ ଅଣମାନ୍ୟତା ପ୍ରାପ୍ତ ରାଜନୈତିକ ପାର୍ଟିରୁ (RUPP)କୁ ସୂଚୀରୁ ହଟାଇ ଦିଆଯାଇଛି। ଏଭଳି ଭାବରେ ଗତ ଦୁଇ ମାସରେ ୮୦୮ RUPPକୁ ସୂଚୀରୁ ହଟାଇ ଦିଆଯାଇଛି।
ନିର୍ବାଚନ କମିଶନଙ୍କ ଅନୁଯାୟୀ, ଯେକୌଣସି ରାଜନୈତିକ ଦଳ ଛଅ ବର୍ଷରେ ଅତି କମରେ ଗୋଟିଏ ନିର୍ବାଚନ ଲଢ଼ିବା ଆବଶ୍ୟକ। ତଥାପି, ଏହି ଦଳଗୁଡ଼ିକ ଗତ ଛଅ ବର୍ଷ ମଧ୍ୟରେ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ତେଣୁ, ନିର୍ବାଚନ କମିଶନ ସେମାନଙ୍କୁ ଏହାର ତାଲିକାରୁ ବାଦ୍ ଦେଉଛନ୍ତି। କମିଶନ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନୀ ସକ୍ରିୟତା ପ୍ରଦର୍ଶନ ନ କରୁଥିବା ଏପରି ଦଳଗୁଡ଼ିକୁ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ ନାହିଁ।ଏହି ନିୟମ ଅନୁଯାୟୀ, ଭାରତୀୟ ନିର୍ବାଚନ କମିଶନ (ECI) ୦୧୯ ମସିହାରେ ଆରମ୍ଭ ହୋଇଥିବା ବ୍ୟବସ୍ଥା ସଂସ୍କାର ପ୍ରକ୍ରିୟାର ଏକ ଅଂଶ ଭାବରେ ନିଷ୍କ୍ରିୟ ଦଳଗୁଡ଼ିକୁ ଚିହ୍ନଟ ଏବଂ ଅପସାରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ।