ନୂଆଦିଲ୍ଲୀ : ବିହାର ପରେ ଏବେ ଦେଶର ପ୍ରମୁଖ ପାଞ୍ଚଟି ପ୍ରମୁଖ ରାଜ୍ୟ ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଏବଂ ରାଜ୍ୟ ନିର୍ବାଚନ କମିଶନର ମାନେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ସିଇଓ ଏବଂ ଡିଇଓ ମାନଙ୍କର ଜାତୀୟ ବୈଠକରେ କମିଶନ SIR ର ସମସ୍ତ ଆବଶ୍ୟକତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକ ନିର୍ବାଚନ କମିଶନର ଅଧ୍ୟକ୍ଷ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ବିସ୍ତୃତ ରିପୋର୍ଟ ମଗାଯାଇଥିଲା।

ଏହି ବୈଠକରେ,କେନ୍ଦ୍ରୀୟ ନିର୍ବାଚନ କମିଶନର ପାଞ୍ଚଟି ରାଜ୍ୟର ଅଧିକାରୀଙ୍କ ସହିତ ପୃଥକ ଭାବରେ ଆଲୋଚନା କରିଥିଲେ, ଯେଉଁଠି କି ,ଆସନ୍ତା ବର୍ଷ ଏପ୍ରିଲ ଏବଂ ମେ ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା, ଏକ ନିରପେକ୍ଷ ଏବଂ ପ୍ରଭାବଶାଳୀ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା। ତେବେ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ସମସ୍ତ ଅଧିକାରୀ ମାନେ ନିଜ ନିଜ ଅଞ୍ଚଳରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ନିଶ୍ଚିତ କରନ୍ତୁ।

ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ, ଡିଜିଟାଲ ମିଡିଆର ସର୍ବାଧିକ ବ୍ୟବହାର, ଭୋଟର ସଚେତନତା ଏବଂ ତୁରନ୍ତ ଅଭିଯୋଗ ସମାଧାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ବୈଠକ ସମୟରେ,ଏହା ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ଯେ, SIR ପ୍ରକ୍ରିୟାରେ ସାମ୍ବିଧାନିକ ଏବଂ ଆଇନଗତ ବ୍ୟବସ୍ଥା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯିବ, ଯାହା ନିଶ୍ଚିତ କରିବ ଯେ କୌଣସି ଭୋଟରଙ୍କ ଅଧିକାର ଉଲ୍ଲଂଘନ ହେବ ନାହିଁ।