ନୂଆଦିଲ୍ଲୀ: ବହୁ ଲୋକପ୍ରିୟ ଇ-କମର୍ସ ଓ୍ବେବସାଇଟ୍ ‘ଫ୍ଲିପକାର୍ଟ’ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ଫ୍ଲିପକାର୍ଟ ଆପତ୍ତିଜନକ ବିଜ୍ଞପନ ଦେଖାଉଛି ଏବଂ ଏହାକୁ ନେଇ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭିନ୍ନ ୟୁଜର ଏହା ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି । ଆମେରିକୀୟ କମ୍ପାନୀ ୱାଲମାର୍ଟର ମାଲିକାନାରେ ଥିବା ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଉପରେ ଆପତ୍ତିଜନକ ବିଜ୍ଞାପନ ଚଲାଇବାର ଅଭିଯୋଗ ଆସିଛି। ଇଣ୍ଟରନେଟରେ ଆପତ୍ତିଜନକ ଫଟୋ ଦେଖାଉଥିବା କିଛି ସ୍କ୍ରିନସଟ୍ ଭାଇରାଲ ହେଉଛି। ରେଡିଟ୍ରେ ଅନେକ ବ୍ୟବହାରକାରୀ ଫ୍ଲିପକାର୍ଟର ସୋସିଆଲ ମିଡିଆ ଫଟୋ ଲଗାତାର ପୋଷ୍ଟ କରୁଛନ୍ତି। ଏହି ଫଟୋଗୁଡ଼ିକରେ ମଡେଲ, ଗଞ୍ଜେଇ, ବନ୍ଧୁକ ଏବଂ ନଗ୍ନ ମ୍ୟାନେକୁଇନ (ପ୍ରତିମୂର୍ତ୍ତି) ଫଟୋ ଥିବା ଦେଖିବାକୁ ମିଳିଛି । ଫ୍ଲିପକାର୍ଟର ଏଭଳି ଆପତ୍ତିଜନକ ବିଜ୍ଞାପନ ହଠାତ୍ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି ।
ସେପଟେ ଏଭଳି ଲିଙ୍କରେ କ୍ଲିକ୍ କରିବା ପରେ, ଅନ୍ୟ ଉତ୍ପାଦଗୁଡ଼ିକ ଦେଖାଯାଉଛି । ତେବେ କାହିଁକି Flipkart ଏପରି ଆପତ୍ତିଜନକ ବିଜ୍ଞାପନ ପ୍ରଦର୍ଶନ କରୁଛି ? ବିଶେଷଜ୍ଞମାନଙ୍କ ଅନୁସାରେ, ଏଗୁଡ଼ିକ ଏକପ୍ରକାର କ୍ଲିକ୍ବେଟ୍ (ଥମ୍ବନେଲ୍) । କିନ୍ତୁ ଲିଙ୍କ କ୍ଲିକ୍ କରିବା ପରେ ଯେଉଁ ଉତ୍ପାଦ ଆସୁଛି ତାହା ପ୍ରକୃତ ଏବଂ ଆପତ୍ତିଜନକ ନୁହେଁ । କିନ୍ତୁ ବିଜ୍ଞାପନ ଅଭିଯାନଗୁଡ଼ିକରେ ଆପତ୍ତିଜନକ ଚିତ୍ର ରହିଛି । ଯାହା ବ୍ୟବହାରକାରୀମାନଙ୍କୁ କ୍ଲିକ୍ କରି ୱେବସାଇଟ୍ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଡିଜାଇନ୍ କରାଯାଇଛି। ଉଦାହରଣ ସ୍ୱରୂପ, ବିଜ୍ଞାପନରେ ଦେଖାଯାଇଥିବା ବନ୍ଧୁକଟି ୧୦୦% ଅସଲି ମନେହୁଏ। କିନ୍ତୁ ଲିଙ୍କ୍ କ୍ଲିକ୍ କରିବା ପରେ, ୱେବସାଇଟ୍ରେ ଏକ ଖେଳଣା ବନ୍ଧୁକ ଦେଖିବାକୁ ମିଳେ ।
ଭାରତରେ କୌଣସି ଇ-କମର୍ସ ୱେବସାଇଟରେ ବନ୍ଧୁକ କିଣା ଏବଂ ବିକ୍ରୟ କରାଯାଇପାରିବ ନାହିଁ। ସେହିପରି, ଫଟୋରେ ଦେଖାଯାଉଥିବା ଗଞ୍ଜେଇ ଏବଂ ନଗ୍ନ ଫଟୋ ପ୍ରକୃତରେ ଓ୍ବେବସାଇଟ୍ରେ ଉପଲବ୍ଧ ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ, କମ୍ପାନୀ ଏହା ମାଧ୍ୟମରେ ୟୁଜରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରେ । ଏହି ବିଜ୍ଞାପନଗୁଡ଼ିକୁ ନେଇ ଏବେ ବିବାଦ ବୃଦ୍ଧି ପାଇବାରେ ଲାଗିଛି । ସେପଟେ କେହି କେହି ଯୁକ୍ତି ଦେଇଛନ୍ତି ଯେ, ଏଭଳି କି-ଓ୍ବାର୍ଡ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ହିଁ ଏଭଳି ବିଜ୍ଞାପନ ଦେଖାଯାଏ ।
ୟୁଜର୍ସ ବାରମ୍ବାର ଏନେଇ ଫ୍ଲିପକାର୍ଟ ବିରୋଧରେ ଅଭିଯୋଗ କରୁଥିଲେ ହେଁ, କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଏମିତି ଲାଗୁଛି, ସବୁକିଛି ଜାଣି ଚୁପ ରହିଛି ଫ୍ଲିପକାର୍ଟ । ଜାତୀୟ ଗଣମାଧ୍ୟମ ପକ୍ଷରୁ ଏହାର ଉତ୍ତର ଜାଣିବାକୁ ଚେଷ୍ଟା କରାଯାଇଥିଲା । ଫଟୋ ସହ ମେଲ୍ କରିବା ପରେ ମଧ୍ୟ କମ୍ପାନୀ ପକ୍ଷରୁ ଏହାର ଜବାବ ଦିଆଯାଇ ନାହିଁ ।