ଭୁବନେଶ୍ୱର,୨୮/୦୮: ମାତ୍ର ୧୪୮ ଦିନରେ ୧୦୦.୫୫ ନିୟୁତ ଟନ୍‌ ମାଲ୍‌ ପରିବହନ କରି  ରେକର୍ଡ କରିଛି ପୂର୍ବତଟ ରେଲୱେ । ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୨୬ ସୁଦ୍ଧା ପୂର୍ବତଟ ରେଲୱେ ଏହି ଐତିହାସିକ ମାଇଲ୍‌ଖୁଣ୍ଟ ହାସଲ କରିଛି । ଗତ ବର୍ଷର ସମାନ ଅବଧି ତୁଳନାରେ ଏଥର ୮  ପ୍ରତିଶତ ଅଧିକ ଅର୍ଥାତ୍‌ ୭.୪୩ ନିୟୁତ ଟନ୍‌ ଅଧିକ ମାଲ୍‌ ପରିବହନ ହୋଇଛି । 

ଏହି ସଫଳତା ପଛରେ ତିନୋଟି ରେଳମଣ୍ଡଳର ପ୍ରମୁଖ ଯୋଗଦାନ ରହିଛି । ଏହିକ୍ରମରେ  ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ୫୮.୧ ନିୟୁତ ଟନ୍‌ ମାଲ୍‌ ପରିବହନ କରିଥିବାବେଳେ ୱାଲଟିୟର  ରେଳମଣ୍ଡଳ ୨୫.୪୬ ଏବଂ ସମ୍ବଲପୁର ରେଳ ମଣ୍ଡଳ ୧୭ ନିୟୁତ ଟନ୍‌ ମାଲ୍‌ ପରିବହନ କରିଛି ।  ବିଶେଷ କରି କୋଇଲା, ଲୁହାପଥର, ଆଲୁମିନିୟମ୍‌, ମାଙ୍ଗାନିଜ୍‌ ଏବଂ ବକ୍ସାଇଟ୍‌ ପରିବହନ  କରି ଏହି ସଫଳତା ମିଳିଛି । 

ପୂର୍ବତଟ ରେଲୱେ ପାରାଦୀପ, ବିଶାଖାପାଟଣା, ଗଙ୍ଗାଭରମ,  ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରି ଏହାର ଲଜିଷ୍ଟିକ୍‌ ଆବଶ୍ୟକତାକୁ ପୂରଣ କରୁଛି । ଏଥିସହ ଇସ୍ପାତ, ଶକ୍ତି, ଆଲୁମିନିୟମ୍‌, ସାର, ସିମେଣ୍ଟ ଏବଂ  ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ମଧ୍ୟ ପୂର୍ବତଟ ରେଲୱେ ଦ୍ୱାରା ପୂରଣ  ହୋଇଥାଏ । 

ସୂଚନାଯୋଗ୍ୟ, ଏହି ସଫଳତା ୨୦୨୪-୨୫ ଆର୍ଥିକ ବର୍ଷରେ ୧୬୦ ଦିନ ତୁଳନାରେ  ୧୨ ଦିନ ଏବଂ ୨୦୨୩-୨୪ରେ ୧୭୧ ଦିନ ତୁଳନାରେ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି ।