କଟକ, ୧୨। ୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ କିଛି ଦିନ ତଳେ ଖାଇବା ତେଲ ଦର ବଢ଼ିଥିବା ବେଳେ ଏବେ ବଜାରରେ ଖାଇବା ତେଲର କଳାବଜାର ହେଉଥିବା ଅଭିଯୋଗ ହୋଇଛି । ସନ୍ଫ୍ଲାୱାର ଏବଂ ପାମୋଲିନ୍ ଭଳି କିଛି ଖାଇବା ତେଲ ଦେଶ ବାହାରୁ ଆମଦାନୀ ହେଉଥିବା ବେଳେ ଏବେ ଯୋଗାଣ ପ୍ରଭାବିତ ହୋଇଛି । ତେଣୁ ବିଭିନ୍ନ ହୋଲସେଲ୍ ଡିପୋରେ ଗଚ୍ଛିତ ଥିବା ଖାଇବା ତେଲ ଯୁଦ୍ଧ ଆଳରେ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରଭାବ ଖୁଚୁରା ବଜାରରେ ପଡୁଥିବା ବେଳେ ଖାଉଟିମାନେ ଦହଗଞ୍ଜ ହେଉଛନ୍ତି । ବାହାରୁ ଆମଦାନୀ ହେଉଥିବା ଡାଲି ଏବଂ ସୋରିଷ ତେଲ ଭଳି ଅତ୍ୟବଶ୍ୟକ ଖାଦ୍ୟଦ୍ରବ୍ୟ ବଢ଼ିବା ସମ୍ଭାବନା ଥିବା କୁହାଯାଉଛି । ଦରବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଏହା ବି ପଢ଼ନ୍ତୁ... ହୋର୍ମୁଜ ପ୍ରଣାଳୀ ବନ୍ଦ ଚେତାବନୀ, ୨୦୦ ଡଲାର ଡେଇଁପାରେ ଅଶୋଧିତ ତେଲ ଦର

ଗୋଟିଏ ପଟେ ରାଜ୍ୟରେ ଏଲ୍ପିଜି ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଖାଇବା ତେଲର ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଜାନୁଆରୀ ମାସରୁ ଖାଇବା ତେଲ ଲିଟର ପିଛା ୧୦ରୁ ୨୦ ଟଙ୍କା ବୃଦ୍ଧି ପାଇ ୧୬୦ରୁ ୧୮୦ ଟଙ୍କାରେ ପହଞ୍ଚିଲାଣି । ୨ ସପ୍ତାହ ତଳେ ହୋଲସେଲ୍ ମାର୍କେଟରେ ଫର୍ଚ୍ୟୁନ୍ ସନ୍ଫ୍ଲାୱାର ରିଫାଇନ୍ ତେଲ ୧୫୫ରୁ ୧୬୦ ଟଙ୍କା ଥିବା ବେଳେ ଏବେ ଏହା ୧୭୦ରୁ ୧୭୨ ଟଙ୍କାରେ ପହଞ୍ଚିଛି । ସେହିପରି ଫ୍ରିଡମ୍ ରିଫାଇନ୍ ତେଲ ଲିଟର ପିଛା ୧୬୦ ଟଙ୍କା ଥିବା ବେଳେ ଏବେ ୧୮୦ ଟଙ୍କା ହୋଇଛି । ରାଗ୍ ରିଫାଇନ୍ ତେଲ ଲିଟର ପିଛା ୯୦ରୁ ୯୮ ଟଙ୍କା ଥିବା ବେଳେ ଏବେ ଦରବୃଦ୍ଧି ପାଇ ୧୧୦ ଟଙ୍କା ହୋଇଛି । ମାଲେସିଆ, ସିଙ୍ଗାପୁର ଏବଂ ଇଣ୍ଡୋନେସିଆରୁ ଆସୁଥିବା ଖାଇବା ତେଲ ଯୋଗାଣ ଯୁଦ୍ଧ ପ୍ରଭାବରେ ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶା ବଜାରକୁ ଆସୁଥିବା ତେଲ ପରିମାଣ ହ୍ରାସ ପାଇଛି । ଫଳରେ ଚାହିଦା ଅନୁସାରେ ଖାଇବା ତେଲ ଯୋଗାଣ ଅନେକାଂଶରେ କମିଥିବା ହୋଲସେଲ ବ୍ୟବସାୟୀ କହିଛନ୍ତି । ଯୁଦ୍ଧକୁ ଆଳ କରି କଟକ ସହର ନିକଟବର୍ତ୍ତୀ ଥିବା ବିଭିନ୍ନ ଖାଇବା ତେଲ ଡିପୋରେ ଗଚ୍ଛିତ ଥିବା ତେଲକୁ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ୧୦ରୁ ୨୦ ଲିଟର ଥିବା ତେଲ ପ୍ୟାକେଟ୍ ଏବଂ ଟିଣରେ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରି ବିକ୍ରି କରୁଥିବା ଜଣାପଡ଼ିଛି । 

ଅଧିକ ଦର ବୃଦ୍ଧି ପାଇଁ କିଛି ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାର ପ୍ରଭାବ ଖୁଚୁରା ବଜାରରେ ପଡୁଥିବା ବେଳେ ଖାଉଟିମାନେ ଚଢ଼ା ଦରରେ ଖାଇବା ତେଲ କିଣୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଦେବାଶିଷ ମହାନ୍ତି କହିଛନ୍ତି, ଗ୍ୟାସ୍ ସଙ୍କଟ ସମୟରେ ଖାଇବା ତେଲ ଦର ବୃଦ୍ଧି ଚିନ୍ତାକୁ ଦ୍ୱିଗୁଣିତ କରିଛି । ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କଳାବଜାର ରୋକିବାକୁ ପଦକ୍ଷେପ ନେବା ଉଚିତ୍ । ଅନ୍ୟପଟେ ଖୁଚୁରା ବ୍ୟବସାୟୀ କହିଛନ୍ତି, ଖାଇବା ତେଲ ଡିପୋରୁ ତେଲ ଦର ବଢୁଥିବା ବେଳେ ଆମେ କିଣିବା ଅନୁଯାୟୀ ଦର ନେଉଛୁ । ତେଣୁ ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଡିପୋର ଷ୍ଟକ୍ ଏବଂ ସେମାନେ କିଣୁଥିବା ଦର ସିଟ୍ ଯାଞ୍ଚ୍ କଲେ ପ୍ରକୃତ ମୂଲ୍ୟ ଜଣାପଡ଼ିବ । ଅନ୍ୟପକ୍ଷରେ କଟକର ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସନ୍‌ ତେଲ ଦର ବଢ଼ିଥିବା ରିପୋର୍ଟ ହସ୍ତଗତ ହୋଇଛି । ତେବେ ଚଢ଼ା ଦରରେ ତେଲ ବିକ୍ରି ଅଭିଯୋଗ ନେଇ ଯାଞ୍ଚ୍ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।