ବୌଦ୍ଧ,୨/୮:- ଆଜି ସାରା ଦେଶରେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ପ୍ରଦାନ କରାଯାଇଛି । ଦେଶର ୯ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ୨୦,୫୦୦ କୋଟି ଟଙ୍କା ହସ୍ତାନ୍ତରର ବ୍ୟବସ୍ଥା କରାଯାଇଥିଲା । ଜାତୀୟସ୍ତରରେ ଉତ୍ତରପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗ ଦେଇଥିବା ବେଳେ ଓଡିଶାରେ ମଧ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବୌଦ୍ଧ ଜିଲ୍ଲା ସଦର ମହକୁମା ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ପିଏମ କିଷାନ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ। ବିଭିନ୍ନ ଯୋଜନାର ରୂପାୟନ, କାର୍ଯ୍ୟାନ୍ୱୟନ, ସମ୍ବଲପୁରୀ ବସ୍ତ୍ରର ବ୍ୟବହାର ସହିତ ବୁଣାକାର ଚାଷୀଙ୍କ ସ୍ଥିତି ମଜଭୁତ କରିବା, ସ୍ୱଦେଶୀ ବସ୍ତ୍ରର ପ୍ରଚାର ପ୍ରସାର, ପିଏମ ଜନଧନ ଯୋଜନା, ପିଏମ କିଷାନ ଯୋଜନା, ସିଏମ କିଷାନ ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଗଲେ ଗରିବ ଲୋକଟି ଉପକୃତ ହୋଇପାରିବ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଥିଲେ ବୌଦ୍ଧ ଜିଲ୍ଲାର ଅନେକ ଚାଷୀ ଏହି ସମସ୍ତ ଯୋଜନାରୁ କିପରି ଉପକୃତ ହୋଇପାରିବେ। ତୁରନ୍ତ ଚାଷୀଙ୍କୁ ଚି଼ହ୍ନଟ କରି ପଞ୍ଜିକରଣ କରିବେ ସେଥିପାଇଁ ବୌଦ୍ଧ ବିଧାୟକ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ମୁଖ୍ୟଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, କଣ୍ଟାମାଳ ବିଧାୟକ ପ୍ରତିନିଧି ବିପ୍ରଚରଣ ମହାନ୍ତି, ଚାଷୀ ସଂଗଠକ ତଥା କୃଷକନେତା ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି. ଭେଙ୍କଟ ରମଣ ରାଓ ସମସ୍ତଙ୍କୁ ସ୍ୱାଗତ କରିବାସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ ଯେ ବୌଦ୍ଧ ଜିଲ୍ଲାର ସମୁଦାୟ ୪୯,୫୫୭ ଜଣ ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି ପ୍ରଦାନ କରାଯାଇଥିବାବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୧୪୨୨୧ ଜଣ, ବୌଦ୍ଧ ବ୍ଲକର ୧୪୭୦୦ ଓ କଣ୍ଟାମାଳ ବ୍ଲକର ୨୦୬୩୬ ଜଣ ଚାଷୀଙ୍କ ଆକାଉଣ୍ଟକୁ କିଷାନ ସମ୍ମାନ ନିଧି ଅର୍ଥ ଆସିଥିବାରୁ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।