ବୌଦ୍ଧ,୨/୮:- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ସମସ୍ତ ବିଭାଗର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗର ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଛଡ଼ା ବୌଦ୍ଧ ଜିଲ୍ଲାରେ ଆଦିବାସୀ ଉନ୍ନୟନ କାର୍ଯ୍ୟ ତଥା ସାମାଜିକ ସୁରକ୍ଷା ବିଭାଗ, ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନର ବିଭିନ୍ନ କାର୍ଯ୍ୟର ମନ୍ତ୍ରୀ ଶ୍ରୀ ଗଣ୍ଡ ସମୀକ୍ଷା କରିଥିଲେ ।
ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସହ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ମୁଖ୍ୟଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଷାନ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା ତଥା ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।
ପିଲାଙ୍କ ସୁରକ୍ଷା, ବାଳିକା ସୁରକ୍ଷା ଏବଂ ଛାତ୍ରାବାସ ମାନଙ୍କୁ ନିୟମିତ ପରିଦର୍ଶନ, ବିଦ୍ୟାଳୟ ପରିବେଶର ସ୍ୱଛତା, ସ୍କୁଲଗୃହର ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ, ପ୍ରଧାନଶିକ୍ଷକ ମାନଙ୍କ ସହ ବୈଠକ, ଆବଶ୍ୟକସ୍ଥଳେ ଅତିଥି ଶିକ୍ଷକ ମୁତୟନ, ସମସ୍ତ ବିଦ୍ୟାଳୟର ଜମିପଟ୍ଟା ତିଆରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ପିଏମଶ୍ରୀ ବିଦ୍ୟାଳୟ ମାନଙ୍କର ଅସଂପୂର୍ଣ୍ଣ କାମ ତୁରନ୍ତ ଶେଷ କରିବା, ହରଭଙ୍ଗା ବ୍ଲକ ଉଚ୍ଚ ମାଧ୍ୟମିକ ସ୍ତରର ବିଜ୍ଞାନ ବିଭାଗ ଖୋଲିବା ପାଇଁ ପ୍ରସ୍ତାବ, ବିଦ୍ୟାଳୟ ପରିସରରେ ଖେଳପଡିଆ, ଶିଶୁ ବାଟିକା, ସମସ୍ତ ସ୍କୁଲ, ହଷ୍ଟେଲକୁ ଅଚାନକ ପରିଦର୍ଶନ, ଶିକ୍ଷକମାନଙ୍କୁ ତାଲିମ, ବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆଦି ବିଷୟରେ ଧ୍ୟାନ ଦେବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ଜିଲ୍ଲାର ବିଦ୍ୟାଳୟରେ କୌଣସି ପ୍ରକାର ଦୁର୍ଘଟଣା ନଘଟିବାପାଇଁ ସମସ୍ତ ସ୍ତରରେ ଉଦ୍ୟମ ସହିତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ , ବିଦ୍ୟାଳୟ ପରିସରରେ ସିସିଟିଭି, ବିଦ୍ୟାଳୟରେ ଉଚ୍ଚ ପାଚେରୀ କରିବାକୁ ଯତ୍ନବାନ ହେବାପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ନାୟକ ସଭା ଆରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦଣ୍ଡସନା ସଭା ପରିଚାଳନା କରିଥିବାବେଳେ ଉପଜିଲ୍ଲାପାଳ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।