ଭୁବନେଶ୍ୱର,୨୧/୦୧: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ସେସନ୍-୨ର ପେପର-୧ (ବିଇ/ ବିଟେକ୍) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA ) ପରିଚାଳିତ ଏହି ପରୀକ୍ଷାରେ ୨୬ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ରେଜଲ୍ଟ କରିଛନ୍ତି । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ସର୍ବାଧିକ ୫ଜଣ ଲେଖାଏଁ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ (ପର୍ସେଣ୍ଟାଇଲ୍) ରେଜଲ୍ଟ କରିଛନ୍ତି । ରାଜସ୍ଥାନର ୪ଜଣ, ଦିଲ୍ଲୀର ୩,ହରିୟାଣାର ୨, ମହାରାଷ୍ଟ୍ରର ୨, ଚଣ୍ଡିଗଡ଼, ଓଡ଼ିଶା, ବିହାର, ଗୁଜରାଟରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ୍ ରେଜଲ୍ଟ କରିଛନ୍ତି । ୫୩ ଜଣ ରାଜ୍ୟ ଟପର ହୋଇଛନ୍ତି । ଜେଇଇ ମେନ୍ ସେସନ୍-୧ରେ ଶତ ପ୍ରତିଶତ ସ୍କୋର କରି ଓଡ଼ିଶା ଟପର ହୋଇଥିବା ଭବେଶ ପାତ୍ର ପୁଣି ଆଉ ଥରେ ଶତ ପ୍ରତିଶତ ପର୍ସେଣ୍ଟାଇଲ ରେଜଲ୍ଟ କରି ଟପର ହୋଇଛନ୍ତି ।
ଏନ୍ଟି ଏ ୱେବ୍ସାଇଟ୍ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ଜେଇଇ ମେନ୍ ସେସନ୍-୨ ପରୀକ୍ଷା ଚଳିତ ମାସ ୨ ତାରିଖରୁ ୮ ତାରିଖ ଯାଏ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ମୋଟ ୧୧ ଲକ୍ଷ ୧୦ ହଜାର ୯୦୪ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ଏଥିରୁ ୧୦ ଲକ୍ଷ ୩୪ ହଜାର ୩୩୦ ଜଣ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୭ ଲକ୍ଷ ୮ ହଜାର ୧୬୩ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩ ଲକ୍ଷ ୨୬ ହଜାର ୧୬୭ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ଉଭୟ ସେସନ୍-୧ ଓ ସେସନ୍-୨ ପାଇଁ ୧୬ ଲକ୍ଷ ୪ ହଜାର ୮୫୪ଜଣ ପଞ୍ଜିକରଣ କରିଥିଲେ । ଏଥିରୁ ୧୫ ଲକ୍ଷ ୩୮ ହଜାର ୪୬୮ଜଣ ପରୀକ୍ଷା ଦେଇଥିଲେ ।
ଅଧିକ ପଢ଼ନ୍ତୁ :-
ଏନ୍ଟିଏ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ, ଚଣ୍ଡିଗଡ଼ର ଆରୁଷ ସିଂଘାଲ ୧୦୦ ସ୍କୋର ହାସଲ କରିଛନ୍ତି । ସାଧାରଣବର୍ଗରେ ୨୪ଜଣ ୧୦୦ ପର୍ସେଣ୍ଟାଇଲ୍ ହାସଲ କରିଛନ୍ତି । ଆର୍ଥିକ ଅନଗ୍ରସର ସାଧାରଣ ବର୍ଗରେ ତେଲଙ୍ଗାନାର ସାଇ ରିତ୍ୱିକ୍ ରେଡ୍ଡୀ ଭେଙ୍କଟରେଡ୍ଡି ଭାଲା ୧୦୦ ପର୍ସେଣ୍ଟାଇଲ ରଖି ଟପର ହୋଇଛନ୍ତି । ସେହିପରି ଓବିସି ବର୍ଗରେ ଆନ୍ଧ୍ରପ୍ରଦେଶର ନରେନ୍ଦ୍ରବାବୁ ଗରି ମାହିତ୍ ୧୦୦ ଏନ୍ଟିଏ ସ୍କୋର ହାସଲ କରି ଏହି ବର୍ଗରେ ଟପର୍ ହୋଇଛନ୍ତି । ଏସ୍ସି ବର୍ଗରେ ଆନ୍ଧ୍ରପ୍ରଦେଶର ଦେବ ଶ୍ରିବେଦ ୯୯.୯୯, ଏସ୍ଟି ବର୍ଗରେ ରାଜସ୍ଥାନର ଡାକେଶ ସେହରା ୯୯.୯୯ ଓ ଭିନ୍ନକ୍ଷମ ବର୍ଗରେ ମଧ୍ୟପ୍ରଦେଶ ଅରେଶ୍ ଜୈନ୍ ୯୯.୯୨ ପର୍ସେଣ୍ଟାଇଲ୍ ଏନ୍ଟିଏ ସ୍କୋର ରଖି ଟପର୍ ହୋଇଛନ୍ତି । ମହିଳା ବର୍ଗରେ ତେଲଙ୍ଗାନାର ମାଲ୍ଲାଭାରାପୁ ଆସ୍ନା ୯୯.୯୯ ଏନ୍ଟିଏ ସ୍କୋର ରଖି ଦେଶରେ ଟପର୍ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ :- ବିଫଳ ପ୍ରେମିକର କୁତ୍ସିତ କାମ, ଟ୍ୟୁସନରୁ ଫେରୁଥିବା ବେଳେ ଛାତ୍ରୀ ଉଠାଇନେଇ ଦୁଷ୍କର୍ମ...
ସୂଚନାଯୋଗ୍ୟ, ଜେଇଇ ଆଡ୍ଭାନ୍ସ ପାଇଁ ଆସନ୍ତା ୨୩ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ଜେଇଇ ମେନ୍-୧, ମେନ୍-୨ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଆସନ୍ତା ମେ ୨ ତାରିଖ ମଧ୍ୟରେ ଜେଇଇ ଆଡଭାନ୍ସ ପାଇଁ ୱେବ୍ସାଇଟ୍ https://jeeadv.ac.in/ ଦ୍ୱାରା ଅନ୍ଲାଇନ୍ ଆବେଦନ କରିପାରିବେ । ମେ ୪ ତାରିଖ ମଧ୍ୟରେ ଆବେଦନ ଫି ଦାଖଲ କରିବେ । ମେ ୧୭ ତାରିଖରେ ପରୀକ୍ଷା ହେବ । ପେପର-୧ ପରୀକ୍ଷା ସକାଳ ୯ଟାରୁ ୧୨ ଯାଏ ହେବ । ପେପର-୨ ପରୀକ୍ଷା ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ଯାଏ ଚାଲିବ । ମେ ୧୧ ତାରିଖରୁ ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ପ୍ରକାଶ ପାଇବ । ମହିଳା, ଭିନ୍ନକ୍ଷମ, ଏସ୍ସି, ଏସ୍ସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି ୧୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୩୨୦୦ ଟଙ୍କା ଫି ରହିଛି । ଜୁନ୍ ୧ ତାରିଖରେ ଚୂଡ଼ାନ୍ତ ଆନସର କି’ ପ୍ରକାଶ ପାଇବ । ଆଇଆଇଟି ରୁର୍କୀ ଚଳିତ ଜେଇଇ ଆଡଭାନ୍ସକୁ ପରିଚାଳିତ କରିବ ।