ବଡ଼ମ୍ବା, ୨୦/୦୪: ଏକତରଫା ଭାବେ ବାରମ୍ବାର ପ୍ରେମ ନିବେଦନ କରି ପ୍ରତ୍ୟାଖ୍ୟାତ ହେବା ପରେ ପ୍ରତିହିଂସା ପରାୟଣ ହୋଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛି ଅଭିଯୁକ୍ତ କାମାନ୍ଧ ଯୁବକ । ପୀଡ଼ିତା ନାବାଳିକା ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଟେକି ନେଇ ଅଭିଯୁକ୍ତ ପାଶବିକ ଅତ୍ୟାଚାର କରିଥିଲା । ନାବାଳିକାଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି କାମାନ୍ଧ ଯୁବକକୁ କାବୁ କରି ପୁଲିସ ଜିମା ଦେବା ସହ ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ବଡ଼ମ୍ବା ବ୍ଲକ ଭଟ୍ଟାରିକା ପଞ୍ଚାୟତରେ ଘଟିଛି ।

ନାବାଳିକାଙ୍କ ବାପା, ମାଆଙ୍କୁ ମଧ୍ୟ ଅଭିଯୁକ୍ତ ଯୁବକ ମାରଧର କରିଥିଲା । ନାବାଳିକାଙ୍କ ବାପାଙ୍କ ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡ଼ିତା ନାବାଳିକା ଓ ଅଭିଯୁକ୍ତ ବିବାହିତ ଯୁବକର ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହାଜର କରାଯାଇଥିବା ଜଣାପଡ଼ିଛି ।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଭଟ୍ଟାରିକା ପଞ୍ଚାୟତର ସଂପୃକ୍ତ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ପଞ୍ଚାୟତର ବିବାହିତ ଯୁବକ ବିଶ୍ୱ ରଞ୍ଜନ ଚୌଧୁରୀ(୪୫) ବାଟରେ ଅଟକାଇ ବାରମ୍ବାର ପ୍ରେମ ନିବେଦନ କରୁଥିଲା । ହଇରାଣ ହରକତ କରୁଥିଲା । ନାବାଳିକା ବାରମ୍ବାର ତାର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ଏଥିରେ ଉକ୍ଷିପ୍ତ ହୋଇ ନାବାଳିକାଙ୍କୁ ପାନେ ଦେବ ବୋଲି ଯୋଜନା କରିଥିଲା ଅଭିଯୁକ୍ତ ।

ଶନିବାର ରାତି ପ୍ରାୟ ୯ଟାରେ ନାବାଳିକା ଟିଉସନ ସାରି ଏକୁଟିଆ ଫେରୁଥିବା ବେଳେ ତାଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ମଠକୁ ଟେକି ନେଇଥିଲା ଅଭିଯୁକ୍ତ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଝିଅ ଘରକୁ ଫେରିବାରେ ବିଳମ୍ବ ହେବାରୁ ବ୍ୟସ୍ତ ହୋଇ ବାପା, ମାଆ ଖୋଜାଖୋଜି ଆରମ୍ଭ କରିଥିଲେ । ଝିଅର ଚିତ୍କାର ଶୁଣି ଉଭୟ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ବିଶ୍ୱ ରଂଜନ ସେମାନଙ୍କୁ ମଧ୍ୟ ମାରଧର କରିଥିଲା । ପାଟିତୁଣ୍ଡ ଶୁଣି ଗାଁ ଲୋକେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ବଡ଼ମ୍ବା ପୁଲିସ ଜିମା ଦେଇଥିଲେ । ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ସ୍ୱତନ୍ତ୍ର ପୋକ୍ସୋ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିବା ସହ ପୀଡ଼ିତାଙ୍କ ବ୍ୟାଗ୍, ଚପଲ ଓ ଅନ୍ୟ ଜିନିଷ ଜବତ କରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ :-  ପ୍ଲଟ୍ ବ୍ୟବସାୟ କିଡନାପ୍ କେସ୍: ପୁଲିସକୁ ମିଳିଲା ସୁଧୀରଙ୍କୁ ନିର୍ଯାତନା ଦେବାର ଭିଡିଓ, ଅପହରଣକାରୀଙ୍କୁ ଟଙ୍କା, ସୁନା ଦେବାକୁ ଯାଇଥିଲେ ପତ୍ନୀ...