ଭୁବନେଶ୍ୱର,୧୫/୦୯: ଆସନ୍ତା ୧୭ ତାରିଖରେ ରାଜ୍ୟର  ସମସ୍ତ ସ୍କୁଲରେ ବୃକ୍ଷରୋପଣ  କାର୍ଯ୍ୟକ୍ରମ କରାଯିବ । ‘ଏକ୍‌ ପେଡ୍‌  ମା’କେ ନାମ’ ପର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ହେବ । ଏହି ଦିନ ସ୍କୁଲ  ସକାଳ ୭ଟାରୁ ଅପରାହ୍ନ ସାଢ଼େ ୧ଟା ଯାଏ ଖୋଲାଯିବ। ଏନେଇ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୭  ତାରିଖରେ ରାଜ୍ୟର ସମସ୍ତ ମାଧ୍ୟମିକ  ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ବିଶାଳ  ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଛାତ୍ରଛାତ୍ରୀ  ସାମିଲ ହେବେ। ରାଜ୍ୟର ୨  ଲକ୍ଷ ଶିକ୍ଷକଙ୍କ ନେତୃତ୍ୱରେ ପ୍ରାୟ  ୪୦ ହଜାର ବିଦ୍ୟାଳୟର ୧୫  ଲକ୍ଷ ଛାତ୍ରଛାତ୍ରୀ ଚାରା ରୋପଣ  କରିବେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ  ଦିଗ୍‌ଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଚିଠିରେ ଉଲ୍ଲେଖ କରାଯାଇଛି,  ସରକାରଙ୍କ ଅନୁମୋଦନ କ୍ରମେ  ସମସ୍ତ ସରକାରୀ, ସରକାରୀ  ଅନୁଦାନପ୍ରାପ୍ତ ସ୍କୁଲର ସମୟକୁ  ପରିବର୍ତ୍ତନ କରାଯାଇଛି । ୧୭ ତାରିଖରେ ଛାତ୍ରଛାତ୍ରୀମାନେ ସକାଳ ୭ଟା ସୁଦ୍ଧା  ସ୍କୁଲରେ ପହଞ୍ଚିବେ । ସାଢ଼େ ୧ଟା ବେଳକୁ ସ୍କୁଲ  ଛୁଟି କରାଯିବ । ମାତ୍ର ସେହି ଦିନ ସମସ୍ତ ପିଲା ଯେପରି ମଧ୍ୟାହ୍ନଭୋଜନ କରନ୍ତି ତାକୁ ସୁନିଶ୍ଚିତ  କରାଯିବ । ଏଥିସହ ପାଠପଢ଼ା ମଧ୍ୟ ହେବ । ସେହିପରି ବିଭିନ୍ନ ପ୍ରତିଯୋଗିତା କରାଯାଇଥିବା  କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବ ।