ଭୁବନେଶ୍ୱର,୨୨ ।୧୧(ବିଜୟ ମିଶ୍ର): ଆମ ଦୋକାନ ଭାଙ୍ଗିଦେଲେ । କ୍ଷତିପୂରଣ ଦେଲେନି କି ଥଇଥାନ କଲେନି । ଦୋକାନକୁ ଝୁରି ଝୁରି ସ୍ୱାମୀ ଆଖିବୁଜିଲେ । ବାଧ୍ୟ ହୋଇ ମୁଁ  ପଦାକୁ ଗୋଡ଼ କାଢ଼ିଲି । ରାସ୍ତା କଡ଼ରେ ବସି  ଘରକରଣା ଜିନିଷ ବିକୁଛି.. । ଏହା ହେଉଛି ଏକାମ୍ର ଯୋଜନା ପାଇଁ ଭରଣପୋଷଣର ସାଧନ ସହିତ ସ୍ୱାମୀଙ୍କୁ ହରାଇ ରାଜରାସ୍ତାରେ ବସିଥିବା ମହିଳା ଭାରତୀ ମହାରଣାଙ୍କ କଥା ଓ ବ୍ୟଥା । ଏମିତି ୨୫୦ରୁ ଅଧିକ ଦୋକାନୀଙ୍କ  ଚଳଣି ଉପରେ ପ୍ରହାର ପକାଇ ଯୋଜନା  ଆଗେଇ ଚାଲିଛି । ଇତିମଧ୍ୟରେ ୫ ବର୍ଷ ବିତିଗଲାଣି । ଥଇଥାନ ଓ କ୍ଷତିପୂରଣକୁ ଚାହିଁ  ଚାହିଁ କିଛି ଆରପାରିକୁ ଚାଲିଗଲେଣି । ବାକି  ଦୋକାନୀଙ୍କ ଜୀବନଜୀବିକା ଛିନ୍ନଛତ୍ର । ତେବେ ନୂଆ ସରକାର ଅମଳରେ ସେମାନଙ୍କ ଦୁଃଖ  ଦୂର ହେବ ବୋଲି କିଛି କ୍ଷତିଗ୍ରସ୍ତଙ୍କ ମନରେ  ଆଶାର ଉଦ୍ରେକ ହୋଇଛି । 

ଶ୍ରୀଲିଙ୍ଗରାଜ ସିଂହଦ୍ୱାର ସାମନାରେ ଥିଲା  ଭୁବନେଶ୍ୱରର ସର୍ବ ପୁରାତନ ବଜାର । ଏହି  ବଜାର ୨୦୧୯ ଡିସେମ୍ବରରେ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇ ମାଟିରେ ମିଶିଗଲା । ଏହାର ସପ୍ତାହେ  ପରେ ତଳବଜାରରେ ଥିବା ସମସ୍ତ ଦୋକାନ ଡୋଜର ଦାନ୍ତରେ ଗଲା । ପର୍ଯ୍ୟାୟ କ୍ରମେ ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ-ପଶ୍ଚିମ କୋଣ ଓ  ଉତ୍ତର ପଟେ ଥିବା ବଜାରର ଚିହ୍ନବର୍ଣ୍ଣ କୁଆଡ଼େ  ହଜିଗଲା। ଦେବୀ ପାଦହରା ପୁଷ୍କରିଣୀ କୋଣରେ ଥିବା ବିଏମ୍‌ସିର ମାର୍କେଟ କମ୍ପେ୍ଲକ୍ସ  ବି ଧୂଳିସାତ ହେଲା । କ୍ଷତିଗ୍ରସ୍ତ ଶହ ଶହ ଦୋକାନୀ ଏହାର ବିରୋଧ କଲେ । ତତ୍କାଳୀନ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଗଲା ୬  ମାସ ଯାଏ ଚଳିବା ପାଇଁ ପ୍ରତିଦୋକାନୀଙ୍କ  ମାସକୁ ୫ ହଜାର ଟଙ୍କା ଲେଖାଏଁ ମୋଟ ୩୦ ହଜାର ଦିଆଯିବ । ଏହି ଅବଧି ମଧ୍ୟରେ ମନ୍ଦିର ନିକଟବର୍ତ୍ତୀ ଭଲ ଜାଗାରେ ଭେଣ୍ଡିଂ  ଜୋନ୍‌ କରି ସେଥିରେ ଥଇଥାନ କରାଯିବ । ଦୋକାନୀମାନେ ଏଥିରେ ସନ୍ତୁଷ୍ଟ ହୋଇ ପ୍ରକଳ୍ପ ଆଗେଇବା ଦିଗରେ ବାଟ ଛାଡ଼ିଦେଲେ ।  

ସ୍ଥାନୀୟ ବ୍ୟବସାୟୀ ସଂଘ ବିଏମ୍‌ସି  ନିକଟରେ ପ୍ରାଥମିକ ପର୍ଯ୍ୟାୟରେ ୧୮୦( ଘରେ ଥିବା ଦୋକାନ) ଦୋକାନୀଙ୍କ ସୂଚୀ  ପ୍ରଦାନ କଲା । ପ୍ରଥମେ ୧୦୦ ଜଣ ଦୋକାନୀଙ୍କ  ଖାତାକୁ ୩୦ ହଜାର ଟଙ୍କା ଲେଖାଏଁ ଆସିଲା ।  ବାକି ଦୋକାନୀଙ୍କ ଦାବିରେ ବିଏମ୍‌ସି କର୍ତ୍ତୃପକ୍ଷ ଆଉଥରେ ସର୍ଭେ କଲେ । ଉକ୍ତ ସର୍ଭେରେ ପ୍ରାୟ ୨୨୦ (ଘର ଓ ଉଠା) ଦୋକାନୀଙ୍କୁ ବିଏମ୍‌ସି  ଚିହ୍ନଟ କରିଥିଲା । ହେଲେ ସେଥିରୁ ମାତ୍ର ୬୫  ଜଣ ଦୋକାନୀ କ୍ଷତିପୂରଣ ପାଇଲେ । ବାକି ୨୬୫ ଦୋକାନୀଙ୍କ କ୍ଷତିପୂରଣ ଅର୍ଥ ଅର୍ଥାତ୍‌  ୭୯ ଲକ୍ଷ ୫୦ ହଜାର ଟଙ୍କା କିଏ ପାଇଲେ  କି ବାଟମାରଣା ହେଲା ତାହାର ହିସାବ ଏଯାଏ ମିଳୁନାହିଁ ।  ଏକାମ୍ର ଯୋଜନା କାଳରେ ମାସ ମାସ ବର୍ଷ  ବର୍ଷ ବିତିଗଲା ପଛେ ଭେଣ୍ଡିଂ ଜୋନ୍‌ର ନାଁ କେହି ଧରିଲେନାହିଁ । କେମିତି ଚଳିବେ ଚିନ୍ତାରେ କିଛି ଦୋକାନୀ ଇତିମଧ୍ୟରେ ମରିହଜି ଗଲେଣି ।  କିଛି ଫୁଟ୍‌ପାଥ ଓ ରାସ୍ତା କଡ଼ରେ ବସି ପରିବା,  ଫୁଲ, ପଇଡ଼ ବିକୁଛନ୍ତି । ଅନେକ ହାତବାନ୍ଧି  ବସିଛନ୍ତି । 

ସବୁଠାରୁ ବଡ଼କଥା ହେଲା,  ଭଡ଼ା ଘରେ ଦୋକାନ କରିଥିବା କିଛି ଲୋକ  କିଛି ପାଇନାହାନ୍ତି । ସେମାନଙ୍କ କ୍ଷତିପୂରଣ  ଘରମାଲିକଙ୍କ ପାଖକୁ ଯାଇଛି । ଅନ୍ୟତମ  କ୍ଷତିଗ୍ରସ୍ତ ଶରତ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି,  ମନ୍ଦିର ସାମନା ଭଡ଼ା ଘରେ ଆମର ଘରକରଣା  ଜିନିଷ ଦୋକାନ ଥିଲା । ୫୦ ବର୍ଷ ହେବ  ଆମେ ବେପାର କରି ଆସୁଥିଲୁ । ଦୋକାନ  ଭାଙ୍ଗି ଆମର ଜୀବନଜୀବିକା ଗଲା । କିନ୍ତୁ  କ୍ଷତିପୂରଣ ଟଙ୍କା କିମ୍ବା ଥଇଥାନରେ ଆମକୁ  ସୂଚୀଭୁକ୍ତ କରାଗଲାନାହିଁ । ବିଚିତ୍ର କଥା  ଯେ ପୁରୁଣା ବିଏମ୍‌ସି ମାର୍କେଟ ଘର ଭଙ୍ଗା  ବେଳେ ସେଥିରେ ମାତ୍ର ୧୫ ଜଣ ଦୋକାନ  କରିଥିଲେ । କିନ୍ତୁ ଦୋକାନ ନଥିବା ବାକି  ୪୫ କୋଠରୀର ପୂର୍ବ ଦୋକାନୀଙ୍କୁ ସୂଚୀରେ  ଚଢ଼ାଇ ସେମାନଙ୍କୁ ନୂଆ ମାର୍କେଟ କମ୍ପେ୍ଲକ୍ସରେ  ଥଇଥାନ କରାଯାଇଛି । ଅନୁରୂପ ଭାବେ ଦୋକାନ ଭାଙ୍ଗିବା ପରେ ରାସ୍ତା କଡ଼ରେ ଫୁଲ  ବିକୁଥିବା ମହିଳା ଲକ୍ଷ୍ମୀ ସାହୁ କହିଛନ୍ତି, ମୋ  ଦୋକାନ ଭାଙ୍ଗିବା ପରେ ନାଁ ଗାଁ ଠିକଣା ନେଇ ସୂଚୀରେ ଚଢ଼ାଇଲେ । ହେଲେ ଏଯାଏ ମତେ  କିଛି ମିଳିନାହିଁ ।  

ନୂଆ ସରକାରଙ୍କ ଅମଳରେ ଏବେ ଏକାମ୍ର ପ୍ରକଳ୍ପ କାମ ତ୍ୱରାନ୍ୱିତ ହୋଇଛି ।  ଫଳରେ କ୍ଷତିଗ୍ରସ୍ତ ଦୋକାନୀଙ୍କ ମନରେ ଆଶାର ସଞ୍ଚାର ହୋଇଛି । ବଜାର ବ୍ୟବସାୟୀ  ସଂଘର ସମ୍ପାଦକ ଅନୁପ କୁମାର ମହାପାତ୍ର  କହିଛନ୍ତି, ପୂର୍ବରୁ ଦୋକାନୀ ଚିହ୍ନଟରେ  ବ୍ୟାପକ ହେରଫେର ହୋଇଛି ।  ଏହାର ତଦନ୍ତ କରାଯାଉ । ଥଇଥାନ ପାଇଁ  ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି ସାନିଟୋରିୟମ  ଛକରେ ନିର୍ମାଣାଧୀନ ଷ୍ଟାଣ୍ଡ ନିକଟରେ ଭେଣ୍ଡିଂ  ଜୋନ୍‌ ନିର୍ମାଣ କରି ବଣ୍ଟାଯିବ । ହେଲେ ଉକ୍ତ  ଜାଗା ଶ୍ରୀଲିଙ୍ଗରାଜ ମନ୍ଦିର ଠାରୁ ପ୍ରାୟ ୧ କିମି ଦୂରରେ । ମନ୍ଦିର ନିକଟରେ ଯାତ୍ରୀଙ୍କ  ସମାଗମ । ତେଣୁ ଅନନ୍ତ ବାସୁଦେବ ମନ୍ଦିର ପୂର୍ବ ଦିଗରେ ଥିବା ଯେ କୌଣସି ସ୍ଥାନରେ ଆମକୁ ଥଇଥାନ କରାଯାଉ ।