ପୁରୀ, ୧୫/୧୧ : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ ଥିଲେ। ରାଷ୍ଟ୍ର ଭକ୍ତ, ଜାତୀୟତାବାଦୀ ଓ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାରଙ୍କ ଭୂମିକା ତାଙ୍କୁ ଚିର ଅମର କରି ରଖିଥିବ। ଶନିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଗଡରୋଢଙ୍ଗ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅନୁଷ୍ଠିତ ଏକତା ପଦଯାତ୍ରାରେ ସାମିଲ ହୋଇ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଏହା କହିଛନ୍ତି। 

ବ୍ରହ୍ମଗିରିର ଗଡରୋଢଙ୍ଗ ଠାରେ କ୍ରୀଡ଼ା ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା। ସାଂସଦ ଡା ସମ୍ଵିତ ପାତ୍ରଙ୍କ ସହ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ସର୍ଦ୍ଦାର ବଲ୍ଲଭଭାଇଙ୍କ ଫଟୋଚିତ୍ର, ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ସାଂସଦ ଓ ବିଧାୟିକା ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରିବା ପରେ କାଳିକା ବାଡ଼ି ଛକ, ଢାବା ଛକ ଦେଇ କେରାଣ୍ଡିଆ ହେଲିପ୍ୟାଡ ପଡିଆ ଠାରେ ପଦଯାତ୍ରା ପହଞ୍ଚିଥିଲା।

ଏହି ଅବସରରେ ସମ୍ଵିତ ପାତ୍ର କହିଥିଲେ ଯେ, ଏକ ସୂତ୍ରରେ ରହିଲେ ଦେଶର ବିକାଶ ଓ ଉନ୍ନତି ସମ୍ଭବ ବୋଲି ଅନୁଭବ କରି ୫୬୦ରୁ ଉର୍ଦ୍ଧ୍ବ ରାଜରାଜୁଡା ଶାସନତନ୍ତ୍ରକୁ ଲୌହ ମାନବ ଭାରତ ବର୍ଷରେ ସାମିଲ କରିଥିଲେ। ବିଶେଷ କରି ହାଇଦ୍ରାବାଦ, ଜାମ୍ମୁ କାଶ୍ମୀର ଓ ଜୁନାଗଡ ଗଡଜାତକୁ ମିଶ୍ରଣ କରାଇବାରେ ସର୍ଦ୍ଦାର ପ୍ରମୁଖ ଭୂମିକା ନେଇଥିଲେ। ସର୍ଦ୍ଦାରଙ୍କ ବୀରତ୍ବ, ଦେଶପ୍ରେମ ଓ ସାହସକୁ ସମ୍ମାନ ଜଣାଇ ବଲ୍ଲଭଭାଇଙ୍କୁ ଆଦର୍ଶ ମାନୁଥିବା ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ଏଥିପାଇଁ ଦେଶବ୍ୟାପି ପ୍ରତିଟି ଗ୍ରାମରୁ ଲୁହା ସଂଗୃହିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ବନ୍ଦେ ମାତରମ ସଙ୍ଗୀତର ୧୫୦ବର୍ଷ ପୂର୍ତ୍ତିକୁ ସରକାର ପାଳନ କରୁଛନ୍ତି। କାରଣ ଏହି ସଙ୍ଗୀତ ଭାରତର ଏକତା ଓ ସଂହତିର ଉଦାହରଣ। ଲୌହ ମାନବଙ୍କ ଜୀବନ ଆମକୁ ଆଦର୍ଶ, ଉନ୍ନତ ରାଷ୍ଟ୍ର ନିର୍ମାଣର ପ୍ରେରଣା ଦିଏ। ବ୍ରହ୍ମଗିରି ମଧ୍ୟ ବୀର ପାଇକ ମାଟି। ସଂଗ୍ରାମୀ ମାଟିରୁ ଆରମ୍ଭ ଏହି ପଦଯାତ୍ରା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। 

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହ ଆତ୍ମନିର୍ଭର ଭାରତର ଶପଥ ପାଠ କରାଇଥିଲେ। ପୂର୍ବରୁ ଅତିଥିମାନେ ସର୍ଦ୍ଦାର ପଟେଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ଏହି ଅବସରରେ ବନ୍ଦେ ମାତରମ ସଂଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଓ କଳାକାରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ବିଡିଓ ମନୀଷା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଅତିଥିମାନେ ଏକ ପେଡ ମା କେ ନାମ ଆଧାରରେ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଏକତା ରଥ ପରିକ୍ରମଣ କରିଥିଲା।