ମାଲକାନଗିରି, ୨୪/୧୧ : ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଆୟୋଜିତ। ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ ଥିଲେ। ରାଷ୍ଟ୍ର ଭକ୍ତ, ଜାତୀୟତାବାଦୀ ଓ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାରଙ୍କ ଭୂମିକା ତାଙ୍କୁ ଚିର ଅମର କରି ରଖିଥିବ ବୋଲି ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ।
କ୍ରୀଡ଼ା ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଏମଭି-୩ ବିଏସଏଫ୍ ପଡ଼ିଆ ଠାରୁ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା। ସାଂସଦ ବଳଭଦ୍ର ମାଝୀଙ୍କ ସହ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସପି ବିନୋଦ ପାଟିଲ ଏଚ୍, ବିଏସଏଫ୍ ଡେପୁଟି କମାଣ୍ଡାଣ୍ଟ ରବି ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ବିଏସଏଫ୍ ପଡିଆ ଠାରେ ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ବିଦ୍ୟାଳୟ, ମହା ବିଦ୍ୟାଳୟ, ଏନସିସି କ୍ୟାଡେଟ୍, ଯୁବ ସଂଗଠନର ସଦସ୍ୟ, ପୁଲିସ୍, ବିଏସଏଫ୍ ଯବାନ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇ ବନ୍ଦେ ମାରତମ୍ ସହ ଦେଶାତ୍ମବୋଧକ ନାରା ଦେଇଥିଲେ।
ଏହି ଅବସରରେ ସାଂସଦ କହିଥିଲେ ଯେ, ଏକତା ସୂତ୍ରରେ ରହିଲେ ଦେଶର ବିକାଶ ଓ ଉନ୍ନତି ସମ୍ଭବ ବୋଲି ଅନୁଭବ କରି ୫୬୦ରୁ ଉର୍ଦ୍ଧ୍ବ ରାଜରାଜୁଡା ଶାସନତନ୍ତ୍ରକୁ ଲୌହ ମାନବ ଭାରତ ବର୍ଷରେ ସାମିଲ କରିଥିଲେ। ବିଶେଷ କରି ହାଇଦ୍ରାବାଦ, ଜାମ୍ମୁ କାଶ୍ମୀର ଓ ଜୁନାଗଡ ଗଡ଼ଜାତକୁ ମିଶ୍ରଣ କରାଇବାରେ ସର୍ଦ୍ଦାର ପ୍ରମୁଖ ଭୂମିକା ନେଇଥିଲେ। ସର୍ଦ୍ଦାରଙ୍କ ବୀରତ୍ବ, ଦେଶପ୍ରେମ ଓ ସାହସକୁ ସମ୍ମାନ ଜଣାଇ ବଲ୍ଲଭଭାଇଙ୍କୁ ଆଦର୍ଶ ମାନୁଥିବା ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ଏଥିପାଇଁ ଦେଶବ୍ୟାପି ପ୍ରତିଟି ଗ୍ରାମରୁ ଲୁହା ସଂଗୃହିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ବନ୍ଦେ ମାତରମ ସଙ୍ଗୀତର ୧୫୦ବର୍ଷ ପୂର୍ତ୍ତିକୁ ସରକାର ପାଳନ କରୁଛନ୍ତି। କାରଣ ଏହି ସଙ୍ଗୀତ ଭାରତର ଏକତା ଓ ସଂହତିର ଉଦାହରଣ। ଲୌହ ମାନବଙ୍କ ଜୀବନ ଆମକୁ ଆଦର୍ଶ, ଉନ୍ନତ ରାଷ୍ଟ୍ର ନିର୍ମାଣର ପ୍ରେରଣା ଦିଏ ।
ଡିଏନକେ ପଡିଆ ଠାରେ ଶୋଭାଯାତ୍ରାରେ ସମସ୍ତେ ପହଞ୍ଚିବା ପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିଥିଲେ। ସାଂସଦ ସମସ୍ତଙ୍କୁ ଆତ୍ମନିର୍ଭର ଭାରତର ଶପଥ ପାଠ କରାଇଥିଲେ। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ବନ୍ଦେ ମାତରମ ସଂଗୀତ ପରିବେଷଣ କରାଯାଇଥିଲା। କୋୟା ଜନଜାତି ପାରମ୍ପରିକ ସିଙ୍ଗ ନାଟ ଦଳଙ୍କ ସହିତ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମିଙ୍କ ନୃତ୍ୟ ବେଶ ଚିତାକର୍ଷକ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍, ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଯୁବ ଅଧିକାରୀ ବି ରମେଶ ଓ ଖାଦ୍ୟ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଓ କଳାକାରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆୟୋଜନ କରିବାରେ ନେହେରୁ ଯୁବ କେନ୍ଦ୍ର, ଖାଦ୍ୟ ଯୋଗାଣ, କ୍ରୀଡ଼ା ଓ ସଂସ୍କୃତି ବିଭାଗର କର୍ମଚାରୀ ସହଯୋଗ କରିଥିଲେ।