ଖଲ୍ଲିକୋଟ,୧୦/୦୭: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କେଶପୁର ମଙ୍ଗଳା ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି । ମୃତ ବୃଦ୍ଧ ହେଉଛନ୍ତି ଦରବାର ପରିଡା (୬୨ବର୍ଷ) ଏବଂ ବାଇକ୍ ଚାଳକ ପରମା ପଲେଇ (୩୬ ବର୍ଷ) ବୋଲି ଜଣାପଡ଼ିଛି । ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ବୁଧବାର ରାତିରେ ଖଲ୍ଲିକୋଟରୁ ୨ଜଣ ଯୁବକ ଏକ ବାଇକ୍ରେ କୈରାଶି ଅଭିମୁଖେ ଯାଉଥିଲେ । ଏହି ସମୟରେ ମୋହନପୁର ଗାଁର ଦରବାର ପରିଡା ବିଲରେ କାମ ସାରି ଘରକୁ ଫେରୁଥିଲେ। ରାସ୍ତା ପାର ହେବା ପାଇଁ ସେ ମଙ୍ଗଳା ମନ୍ଦିର ନିକଟରେ ଛିଡା ହୋଇଥିବା ବେଳେ ଖଲ୍ଲିକୋଟରୁ ଆସୁଥିବା ଉକ୍ତ ବାଇକ୍ଟି ତାଙ୍କୁ ଧକ୍କା ଦେଇଥିଲା। ବାଇକ ଧକ୍କାରେ ବୃଦ୍ଧ ଦରବାରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେ ଛିଟିକି ଯାଇ ନିକଟରେ ଥିବା ଏକ ଖାଲ ଭିତରେ ପଡି ଯାଇଥିଲେ। ଖାଲଟି ଲଟା ବୁଦାରେ ପରିପୂର୍ଣ୍ଣ ଥିବାରୁ ବାହାରକୁ ଦେଖା ଯାଉନଥିଲା। ବୃଦ୍ଧଙ୍କୁ ଧକ୍କା ଦେଇ ତଳେ ପଡି ବାଇକ ଆରୋହୀ କୈରାଶି ଛକର ପରମା ପଲେଇ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣକ ସାମାନ୍ୟ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସାମାନ୍ୟ ଆହତ ହୋଇଥିବା ବାଇକ ଆରୋହୀ ଜଣକ ବୃଦ୍ଧଙ୍କୁ ବାଇକ ଧକ୍କା ଦେଇଥିବା ସମ୍ପର୍କରେ କାହାକୁ ଜଣାଇ ନଥିଲେ।
ସେପଟେ ଘରକୁ ଫେରିବାରେ ବିଳମ୍ବ ହେବାରୁ ବୃଦ୍ଧ ଦରବାରଙ୍କୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଦେଇ ଥିଲେ । କିନ୍ତୁ କୌଣସି ସନ୍ଧାନ ପାଇ ନଥିଲେ । ଶେଷରେ ପରିବାର ଲୋକେ ଖବର ପାଇ ବିଳମ୍ବିତ ରାତି ଗୋଟାଏ ସମୟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ପରେ ରାସ୍ତା ତଳ ଖାଲରେ ଗୁରୁତର ଅବସ୍ଥାରେ ବୃଦ୍ଧ ଦରବାର ପଡ଼ିଥିବା ଦେଖିବାକୁ ପାଇଥିଲେ । ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ଉକ୍ତ ଲଟା ବୁଦା ପୂର୍ଣ୍ଣ ଖାଲ ଭିତରୁ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲକୁ ନେଇଥିଲେ । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ବୃଦ୍ଧ ଦରବାର ପରିଡା ଖାଲ ଭିତରେ ଗୁରୁତର ଅବସ୍ଥାରେ ଦୀର୍ଘ ସମୟ ଧରି ପଡି ରହିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ତାଙ୍କ ଜୀବନ ଚାଲି ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଯଦି ବୃଦ୍ଧଙ୍କୁ ବାଇକରେ ଧକ୍କା ଦେଇଥିବା ଯୁବକ ଜଣକ ଯଦି ଏସମ୍ପର୍କରେ ସୂଚନା ଦେଇଥାନ୍ତେ, ତାହେଲେ ବୃଦ୍ଧଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।