ଚଣ୍ଡିଗଡ଼ : ଏଲପିଜି ସଙ୍କଟର ଖବର ମଧ୍ୟରେ, ପଞ୍ଜାବରୁ ଏକ ଦୁଃଖଦ ଖବର ଆସିଛି। ଏଠାରେ ଏଲପିଜି ସିଲିଣ୍ଡର ଆଣିବାକୁ ଆସି ଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାଟି ପଞ୍ଜାବର ବର୍ନାଲା ଜିଲ୍ଲାରେ ଘଟିଛି। କୁହାଯାଉଛି ଯେ, ୬୬ ବର୍ଷୀୟ ବୃଦ୍ଧ ଜଣକ ସକାଳେ ସିଲିଣ୍ଡର ପାଇବା ପାଇଁ ଧାଡ଼ିରେ ଠିଆ ଥିଲେ। ପୁଲିସର କହିବାନୁସାରେ , ମୃତ ବୃଦ୍ଧ ଜଣଙ୍କ ସେହନା ଗାଁର ଭୂଷଣ କୁମାର ମିତ୍ତଲ । ସେ ସକାଳ ସମୟ ୭ଟା ୧୫ରେ ସେଠାରେ ପହଞ୍ଚି ସିଲିଣ୍ଡର ଶୀଘ୍ର ପାଇବା ଆଶାରେ ଧାଡ଼ିରେ ଠିଆ ହୋଇଥିଲେ। କୁହାଯାଏ କି , ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଏଠାରେ ଏଲପିଜି ସଙ୍କଟ ଆହୁରି ତୀବ୍ର ହୋଇଛି। ଫଳରେ ଏଠାରେ ସିଲିଣ୍ଡରର ଅଭାବ ଦେଖା ଦେଇଛି।

ଏହା ସହ ମଧ୍ୟ ପଢନ୍ତୁ : ଯୁଦ୍ଧ ମଧ୍ୟରେ ହୋର୍ମୁଜ ପ୍ରଣାଳୀରୁ ବାହାରିବାକୁ ପ୍ରସ୍ତୁତ ୨୨ ଭାରତୀୟ ଜାହାଜ

ସୂଚନା ଅନୁସାରେ , ଭୂଷଣ କୁମାର ମିତ୍ତଲ ତାଙ୍କ ପୁଅ ଦେବରାଜ ମିତ୍ତଲଙ୍କ ସହିତ ସକାଳ ୮ଟାରୁ ଏକ ଗ୍ୟାସ ଏଜେନ୍ସିରେ ସିଲିଣ୍ଡର ପାଇବା ପାଇଁ ଲାଇନରେ ଠିଆ ହୋଇଥିଲେ। ତାଙ୍କ ନମ୍ୱର ୨୫ତମ ସ୍ଥାନରେ ଥିଲେ। ଅପେକ୍ଷା କରି କରି ସେ ସିଲିଣ୍ଡର ଉପରେ ବସିଲେ ଏବଂ ଏହି ସମୟରେ ସେ ତଳେ ଖି ପଡ଼ିଲେ। ସେଠାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଥିଲା।

ଘଟଣାର ଖବର ପ୍ରସାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳ ଶୋକର ଛାୟା ଖେଳିଗଲା। କଂଗ୍ରେସ ନେତା ସୁଖବିନ୍ଦର ସିଂହ ଧାଲିୱାଲ ଏହି ଘଟଣା ପାଇଁ କେନ୍ଦ୍ର ସରକାରଙ୍କ ଏଲପିଜି ନୀତିକୁ ଦାୟୀ କରିଛନ୍ତି ଏବଂ ପରିବାରକୁ କ୍ଷତିପୂରଣ ଦେବା ନେଇ ଦାବି କରିଛନ୍ତି।

ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ପଞ୍ଜାବ ଏବଂ ଚଣ୍ଡିଗଡ଼ ଉପରେ ପଡ଼ିଛି। ଏଠାରେ ଲୋକମାନଙ୍କୁ ଗ୍ୟାସ ସିଲିଣ୍ଡର ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡୁଛି। ୨ ଦିନ ପୂର୍ବରୁ କେବଳ ବାଣିଜ୍ୟିକ ସିଲିଣ୍ଡରର ବିତରଣ ବନ୍ଦ ଥିଲା, କିନ୍ତୁ ଏବେ ଘରୋଇ ଗ୍ୟାସ ମଧ୍ଯ ଉପଲବ୍ଧ ନାହିଁ। ସରକାର ଏବଂ ପ୍ରଶାସନ ଦାବି କରୁଛନ୍ତି ଯେ ଘରୋଇ ସିଲିଣ୍ଡରର କୌଣସି ଅଭାବ ନାହିଁ, କିନ୍ତୁ ଏବେ ବି ଲୋକମାନେ ସେମାନଙ୍କ ଘରେ ଯୋଗାଣ ପାଉ ନାହାଁନ୍ତି। ଗ୍ୟାସ କମ୍ପାନୀଗୁଡ଼ିକର ସର୍ଭର କାମ କରିବା ବନ୍ଦ କରି ଦେଇଛି, ତେଣୁ ବୁକିଂ କନଫର୍ମେସନ୍ ପାଇଁ ୱାନ୍ ଟାଇମ୍ ପାସୱାର୍ଡ ଆସୁ ନାହିଁ।

ପଞ୍ଜାବରେ ରନ୍ଧନ ଗ୍ୟାସର ଅଭାବ ଯୋଗୁଁ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆକ୍ସନ ମୋଡକୁ ଆସିଛନ୍ତି। କଳାବଜାରୀ ଉପରେ ନଜର ରଖିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି।