ନୂଆଦିଲ୍ଲୀ,୦୨/୦୯: ବିହାରରେ ଭୋଟର ତାଲିକା ସଂଶୋଧନ (ଏସଆଇଆର)କୁ ନେଇ ଦେଶର ହଲଚଲ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ବିରୋଧୀ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଏବେ ଦେଶରେ ଯେଉଁଠି ଭୋଟର ତାଲିକା ଯାଞ୍ଚ ହେବ ସେଠାରେ ମତଦାତାଙ୍କୁ ନୂଆ ଟେକ୍‌ନିକଯୁକ୍ତ ଭୋଟ ପରିଚୟ ପତ୍ର ମିଳିବ । ଅର୍ଥାତ ବିହାରରେ ଜାରି ଏସଆଇଆର ଶେଷ ହେବା ପରେ ରାଜ୍ୟରେ ସବୁ ଯୋଗ୍ୟ ଭୋଟରଙ୍କୁ ନୂଆ ଭୋଟର ପରିଚୟ ପତ୍ର ଦେବାକୁ ଯୋଜନା ହେଉଛି । ଅଗଷ୍ଟ ପହିଲାରୁ ବିହାରରେ ୭.୨୪ କୋଟି ଭୋଟର ତାଲିକା ପ୍ରକାଶ କରାଯାଇଛି । ଅନ୍ତିମ ସୂଚୀ ସେପ୍ଟେମ୍ବର ୩୦ରେ ଜାରି ହେବ ।

ନିର୍ବାଚନ ଆୟୋଗଙ୍କ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଯେବେ ମତଦାତାଙ୍କୁ ଗଣନା ଫର୍ମରେ ତାଙ୍କର ନୂଆ ଫଟୋ ବି ଜମା କରିବାକୁ କୁହାଯାଇଛି । ନୂଆ ଭୋଟରଙ୍କ ପରିଚୟ ପତ୍ରରେ ଏହି ଫଟୋ ରହିବ । ବିହାରରେ ବିଧାନସଭା ନିର୍ବାଚନ ଅକ୍ଟୋବର ଶେଷ ସୁଦ୍ଧା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେବ । ନୂଆ ବିଧାନସଭା ଗଠନ  ଏହା ପୂର୍ବରୁ ହେବା ଅନିବାର୍ଯ୍ୟ । ନିର୍ବାଚନ କମିଶନଙ୍କ ସୂତ୍ର ଅନୁଯାୟୀ, SIR ଫର୍ମ ପୂରଣ କରିଥିବା ୯୯ ପ୍ରତିଶତ ଲୋକ ସେମାନଙ୍କର ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି । ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ଦେବା କିମ୍ବା ଯୋଡିବା ପାଇଁ ଗୋଟିଏ ମାସର ସମୟ ଦିଆଯାଇଥିଲା । ଏହି ସମୟରେ, ବିରୋଧୀ ଦଳ ଆରଜେଡି ୧୦ଟି ନାମ ସାମିଲ କରିବା ପାଇଁ ଆବେଦନ କରିଛି । ସିପିଆଇ (ML) ୧୫ଟି ନାମ ଯୋଡିବା ଏବଂ ୧୦୩ଟି ନାମ ବାଦ ଦେବା ପାଇଁ ଆବେଦନ ପଠାଇଛି । ବାକି ୧୦ଟି ଅନ୍ୟ ପଞ୍ଜିକୃତ ଦଳ ଗୋଟିଏ ବି ଆବେଦନ ପଠାଇ ନାହାଁନ୍ତି ।

ବିହାରରୁ ୩୩ ହଜାର ୩୨୬ଜଣ ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ଆବେଦନ କରିଛନ୍ତି । ଡ୍ରାଫ୍ଟ ତାଲିକାରୁ ସେମାନଙ୍କ ନାମ ଗାଏବ ଥିଲା । ୨ ଲକ୍ଷ ୭ ହଜାର ୫୬୫ ଜଣ ଭୋଟର ତାଲିକାରେ ନିଜ ନାମ ହଟାଇବାକୁ ଆବେଦନ କରିଛନ୍ତି । ଏହା ବ୍ୟତୀତ, ବିହାର ପ୍ରଥମ ରାଜ୍ୟ ହୋଇଛି ଯେଉଁଠାରେ ଭୋଟ କେନ୍ଦ୍ରରେ ଭିଡ଼ ହ୍ରାସ କରିବାକୁ ଭୋଟରଙ୍କ ସଂଖ୍ୟା ୧୫୦୦ ରୁ ସର୍ବାଧିକ ୧୨୦୦କୁ ହ୍ରାସ କରାଯାଇଛି । ଏହି ପରିବର୍ତ୍ତନ ଯୋଗୁଁ, ବିହାରରେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୭୭ ହଜାରରୁ ୯୦ ହଜାରକୁ ବୃଦ୍ଧି ପାଇଛି ।