ନୂଆଦିଲ୍ଲୀ: ନିର୍ବାଚନ କମିଶନ ଆଗାମୀ ନିର୍ବାଚନ ପାଇଁ ଜନ ସୁରାଜ ପାର୍ଟିକୁ 'ସ୍କୁଲ ବ୍ୟାଗ' ନିର୍ବାଚନ ଚିହ୍ନ ଆବଣ୍ଟନ କରିଛନ୍ତି । ଦଳର ସମସ୍ତ ୨୪୩ ଜଣ ପ୍ରାର୍ଥୀ ଏହି ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜନ ସୁରାଜ ପାର୍ଟି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି । 'ସ୍କୁଲ ବ୍ୟାଗ' ଶିକ୍ଷା ଏବଂ ପ୍ରଗତିର ପ୍ରତୀକ, ଯାହା ସେମାନଙ୍କ ବିଚାରଧାରାକୁ ପ୍ରତିଫଳିତ କରେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଜନ ସୁରାଜ ଦଳ ବିହାରର ଏକ ଉଦୀୟମାନ ରାଜନୈତିକ ଦଳ । ଦଳର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋର, ଯିଏ ପିକେ ଭାବରେ ମଧ୍ୟ ଜଣାଶୁଣା । ସେ ଜଣେ ପ୍ରସିଦ୍ଧ ରାଜନୈତିକ ରଣନୀତିକାର ଥିଲେ । ଅନେକ ବଡ଼ ନେତାଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ ପିକେ । ୨୦୧୫ରେ ସେ ତୀତିଶ କୁମାର ଏବଂ ଲାଲୁ ଯାଦବଙ୍କୁ ଏକତ୍ର କରି ବିହାରରେ ମହାମେଣ୍ଟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ରାଜନୈତିକ ବିଶେଷଜ୍ଞ ଭାବରେ ଦୀର୍ଘ ସମୟ ବିତାଇବା ପରେ, ପ୍ରଶାନ୍ତ କିଶୋର ନିଜେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଜନ ସୁରାଜ ପାର୍ଟି ପ୍ରତିଷ୍ଠା କରିଥିଲେ। ପ୍ରଶାନ୍ତ କିଶୋରଙ୍କ ଅନୁଯାୟୀ, ଜନ ସୁରାଜ ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିହାରରେ ଶିକ୍ଷା, ନିଯୁକ୍ତି ଏବଂ ପ୍ରଶାସନିକ ସଂସ୍କାର ଉପରେ ଧ୍ୟାନ ଦେବା। ଦଳ ସମସ୍ତ ୨୪୩ ବିଧାନସଭା ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି ଏବଂ ବର୍ତ୍ତମାନ କୌଣସି ମେଣ୍ଟରେ ନାହିଁ । ପ୍ରଶାନ୍ତ କିଶୋର ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ସିଂହ (ପପ୍ପୁ ସିଂହ) ଦାବି କରିଛନ୍ତି ଯେ, କିଶୋର ବିହାରରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।
ପ୍ରଶାନ୍ତ କିଶୋର ଏବଂ ତାଙ୍କର ଜନ ସୁରାଜ ପାର୍ଟି ବିହାର ରାଜନୀତିରେ ତୃତୀୟ ବିକଳ୍ପ ଭାବରେ ଉଭା ହେବାକୁ ଚେଷ୍ଟା କରୁଛନ୍ତି । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ NDA ଏବଂ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ବିରୋଧରେ ପିକେଙ୍କ ଦଳ ରାଜନୀତି ମୈଦାନକୁ ଓହ୍ଲାଇବ । ପ୍ରଶାନ୍ତ କିଶୋର ଉଭୟ ନେତାଙ୍କ ନୀତି ଏବଂ ଶାସନକୁ ସମାଲୋଚନା କରନ୍ତି ଏବଂ ବିହାରରେ ଶିକ୍ଷା, ନିଯୁକ୍ତି ଏବଂ ସୁଶାସନକୁ ପ୍ରୋତ୍ସାହିତ କରନ୍ତି । ତାଙ୍କର ଆକ୍ରମଣାତ୍ମକ ରଣନୀତି ଏବଂ ଭାଷଣ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏକ ଆକର୍ଷଣୀୟ ରାଜନୈତିକ ପ୍ରତିଯୋଗିତାକୁ ସୂଚିତ କରୁଛି ।