କୋଲକାତା:  ଭାରତୀୟ ନିର୍ବାଚନ କମିଶନ ବିହାରରେ ନିର୍ବାଚନ ପୂର୍ବରୁ ଏକ ବଡ଼ କାର୍ଯ୍ୟକ୍ରମ ଚଳାଇଛନ୍ତି । ଭୋଟର ତାଲିକାର ଗମ୍ଭୀରତାର ସହ ପୁନଃ ଯାଞ୍ଚ କରାଉଛନ୍ତି ନିର୍ବାଚନ କମିଶନ । ଏହାର ପ୍ରଥମ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଥିବା ସୂଚନା ମିଳିଛି । କିନ୍ତୁ ଏହି ପ୍ରକ୍ରିୟାକୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ବିଭିନ୍ନ ରାଜନୈତିକ ଦଳ ଇସିଆଇଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ଏପରିକି ଏହା ବିରୋଧରେ ଆରଜେଡି ଏବଂ ଟିଏମସି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।  

 ବିହାରରେ ଆରମ୍ଭ ହୋଇଥିବା ଭୋଟର ତାଲିକାର  ‘ସ୍ପେଶାଲ୍‌ ଇଣ୍ଟେନସିଭ୍‌ ରିଭିଜନ’ (SIR) ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର । ଏହା ଗଣତାନ୍ତ୍ରିକ ଅଧୀକାର ପ୍ରତି ବପଦ ବୋଲି ସେ ଅଭିଯୋଗ କରିଛନ୍ତି ।   ଗରିବ ଓ ପ୍ରବାସୀଙ୍କୁ ହଇରାଣ କରିବାକୁ ନିର୍ବାଚନ କମିଶନ ବିଜେପି ଇଙ୍ଗିତରେ ଏସବୁ କରୁଛି ବୋଲି ମଧ୍ୟ ସେ କହିଛନ୍ତି । ମହୁଆ ମୋଇତ୍ର କହିଛନ୍ତି ‘ବିହାରରେ ଆରମ୍ଭ ହୋଇଥିବା ଏସଆଇଆର, ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରେ ଆରମ୍ଭ ହେବ । ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସି ଏହାକୁ ଗଣତାନ୍ତ୍ରିକ ଅଧୀକାର ପ୍ରତି ବପଦ ବୋଲି ମଧ୍ୟ କହିଛସାରିଛି । ମୁଁ ଗତକାଲି ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ।’ 




ଏହି ପ୍ରକ୍ରିୟା ଏକାଧିକ ସାମ୍ବିଧାନିକ ପ୍ରାବଧାନ ଯଥା ଆର୍ଟିକିଲ୍‌ ୧୪,୧୯ ଏବଂ ୨୧, ଆର୍ଟିକିଲ୍‌ ୩, ୩୨୫ ଏବଂ ୩୨୬ର ଉଲ୍ଲଂଘନ କରୁଛି । ଏସଆଇଆର ଆଇନର୍‌ ଉଲ୍ଲଂଘନ ବୋଲି ସେ ଦାବି କରିଛନ୍ତି ।  ତାଙ୍କ ମତରେ, ଏସଆଇଆର ଲାଗି ନିର୍ବାଚନ ଆୟୋଗ ୧୧ଟି ଦସ୍ତାବିଜ୍‌ ମାଗୁଛନ୍ତି । କିନ୍ତୁ ଏଥିରେ ଆଧାର କିମ୍ବା ରାସନ କାର୍ଡ ଭଳି ପରିଚୟ ପତ୍ର ସାମିଲ ନାହିଁ । 

ମହୁଆ ମୋଇତ୍ର କହିଛନ୍ତି ଯେ, SIR ପାଇଁ ନିର୍ଦ୍ଦେଶ ‘୧ ଜୁଲାଇ, ୧୯୮୭ ରୁ ୨ ଡିସେମ୍ବର, ୨୦୦୪ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଲକ୍ଷ ଲକ୍ଷ ପ୍ରକୃତ ଭୋଟରଙ୍କୁ ଅକ୍ଷମ କରିବା ପାଇଁ ଉଦ୍ଦିଷ୍ଟ। ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ ଆବେଦନରେ, ଦେଶର ଅନ୍ୟ ରାଜ୍ୟ ଲାଗି ସମାନ ନିର୍ଦ୍ଦେଶ ଜାରି କରିବାରୁ ଭାରତୀୟ ନିର୍ବାଚନ କମିଶନଙ୍କୁ ବାରଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ମହୁଆ ମୋଇତ୍ର । ନିର୍ବାଚନ କମିଶନ ଜୁନ୍ ୨୪ରେ ବିହାରରେ ଏକ SIR କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।  ଅଯୋଗ୍ୟ ନାମଗୁଡ଼ିକୁ ବାଦ ଦେଇ କେବଳ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏହାର ଉଦ୍ଦେଶ୍ୟ ବୋଳି କହିଥିଲେ ଇସିଆଇ ।