ଫିରିଙ୍ଗିଆ,୧୬/୦୪: ଗତ  କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଜାଗାରେ କାଳ ବୈଶାଖୀ ତାଣ୍ଡବ ରଚିଛି I କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି ତ ଆଉ କେଉଁଠି ଗଛପଡି ରାସ୍ତା ଅବରୋଧ ହୋଇଯାଉଛି I ଆଉ କେଉଁଠି ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ଯାଇଛି।  ବିଦ୍ୟୁତ ତାର ମରାମତି କରାଯାଉ  ନ ଥିବାରୁ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଥିବା କାଶିନୀପଦର ପଞ୍ଚାୟତର ସାସୀପଦର ଗାଁରେ ଏହା ଦେଖିବାକୁ ମିଳିଛି। ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ଗତ ଚାରିଦିନ ହେଲା ଗାଁ ଟି ଅନ୍ଧାର ରେ ଥିବା ବେଳେ ଗ୍ରାମବାସୀ ଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I 

କାଳବୈଶାଖୀ ପ୍ରଭାବରେ ଚାରି ଦିନ ତଳେ  ଗାଁ ପାଖ କଡରେ ଥିବା ଏକ ବିଶାଳକାୟ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡି ଯାଇ ଥିବାରୁ ବିଦ୍ୟୁତ୍ ତାର ଛିଣ୍ଡି  ଯାଇଛି I ଯାହାଫଳରେ ଚାରି ଦିନ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ  ଅଞ୍ଚଳର ଯୁବ ସମାଜସେବୀ ସୁନାଶିର ଦିଗାଲ  କନିଷ୍ଠ ଯନ୍ତ୍ରୀ ସତ୍ୟ ସାହୁଙ୍କୁ  ସମସ୍ୟାର ସମାଧାନ କରିବା ପାଇଁ ଅଭିଯୋଗ କରିଥିଲେ ସୁଧ୍ୟା କୌଣସି ସୁଫଳ ମିଳିପାରିନାହିଁ। ଅନ୍ୟ ପଟେ ବିଦ୍ୟୁତ ବିଭାଗର ହେଲ୍ପଲାଇନ ନମ୍ୱର କୁ କଲ୍ କରି ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଯାହାଫଳରେ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ   ଗ୍ରାମବାସୀ ଦାବି କରିଛନ୍ତି।