ହିନ୍ଦୋଳ ୦୧/୦୬: ହିନ୍ଦୋଳ  ଏନଏସି ଇଲାକାର ଏକ ଫାର୍ମ  ପରିସରରେ ଏକ ମୃତହାତୀ  ପୋତାଯାଇଛି । ହାତୀର ମୃତ୍ୟୁ ପରେ ଘଟଣାକୁ ଚପାଇବାକୁ ଯାଇ ଫାର୍ମ ପରିସରରେ ଗାତଖୋଳି ମୃତଦେହ ପୋତି ଦିଆଯାଇଛି ବୋଲି ସୂଚନା  ପାଇବା ପରେ ବନ ବିଭାଗ ତନାଘନା ଚଳାଇଛି । ଫାର୍ମ ପରିସରରେ ବନ  କର୍ମଚାରୀ ଜଗି ରହିଛନ୍ତି। ଫାର୍ମ୍‌ର ମାଲିକଙ୍କ ସମେତ ୩ ଜଣଙ୍କୁ ବନ ବିଭାଗ ଅଟକ ରଖି  ଜେରା କରୁଛି । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ  ଚର୍ଚ୍ଚାର ବିଷୟ ହୋଇଛି ।

 

ପ୍ରକାଶ ଯେ, ହିନ୍ଦୋଳ ଏନଏସି ୧୪ ନମ୍ୱର  ୱାର୍ଡ ଚରଣପୁରଠାରେ ରହିଛି ଏହି ୪ ଏକରର  ଫାର୍ମ ରହିଛି । ଫାର୍ମ ଚତୁର୍ପାଶ୍ୱର୍ରେ ସୌରାଲୋକ  ବ୍ୟବସ୍ଥା ହୋଇଛି । ସୌରବାଡ଼ ବି ଦିଆଯାଇଛି ।  ବିଦ୍ୟୁତ୍‌ କରେଣ୍ଟ ସଂସ୍ପର୍ଶରେ ଆସି ହାତୀଟି  ମୃତ୍ୟୁମୁଖରେ ପଡ଼ିଥିବ ହିନ୍ଦୋଳ ବନ ବିଭାଗ  ସନ୍ଦେହ କରିଛି । ହାତୀ ମୃତ୍ୟୁ ପରେ ଘଟଣା  ଲୁଚାଇବାକୁ ଫାର୍ମ ପରିସରରେ ଜେସିବିରେ ମାଟି  ଖୋଳି ମୃତଦେହ ପୋତି ଦିଆଯାଇଛି  ବୋଲି ବନ ବିଭାଗ ଆଶଙ୍କା କରିଛି ।  ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହିନ୍ଦୋଳ  ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ  ତନାଘନା କରାଯାଇଛି ।  ପୋତା  ଯାଇଥିବା ଜାଗା ଚିହ୍ନଟ କରାଯାଇଛି ।  

ଅଧିକ ପଢ଼ନ୍ତୁ :-  Parking Issues: ଭୋକ ବଢ଼ାଉଛି ରାଜଧାନୀ ଟ୍ରାଫିକ୍

ରବିବାର ସନ୍ଧ୍ୟା ହେବାରୁ ସେହି ସ୍ଥାନକୁ  ବନ କର୍ମଚାରୀ ଜଗି ରହିଥିଲେ ।  ଆଜି ସେହି ସ୍ଥାନରୁ ମାଟିଖୋଳି  ମୃତଦେହ ଉଦ୍ଧାର କରାଯିବ ବୋଲି  ସୂଚନା ମିଳିଛି । ସେପଟେ ଫାର୍ମମାଲିକ  ଓ ତାଙ୍କର ଦୁଇ ସହଯୋଗୀଙ୍କୁ ବନ  କାର୍ଯ୍ୟାଳୟରେ ଅଟକ ରଖାଯାଇଛି ।  ଘଟଣା ସ୍ଥଳରେ ଏସିଏଫ କୁଞ୍ଜ ବିହାରୀ  ନାୟକ, ରେଞ୍ଜର ତ୍ରିଲୋଚନ ଦେହୁରୀ, ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟ, ଗାର୍ଡ  ଦିପୁ ରଞ୍ଜନ ଖିଲାରଙ୍କ ସହିତ ହିନ୍ଦୋଳ  ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ  ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ରେଞ୍ଜର ଶ୍ରୀ ଦେହୁରୀ କହିଛନ୍ତି, ଫାର୍ମ ପରିସରରେ ହାତୀ  ପୋତା ଯାଇଥିବା ଖବର ପାଇ  ସେହି ସ୍ଥାନରେ  ଜଗି ରହିଛୁ । ଆଜି ସେହି ସ୍ଥାନ ଜେସିବି  ଦ୍ୱାରା ଖୋଳାଯିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ।