ରାଞ୍ଚି, ୧୧/୦୭ : ରେଳ ଧାରଣାରେ ଛୁଆ ଜନ୍ମ କଲା ହାତୀ। ୨ ଘଣ୍ଟା ଯାଏଁ ଅଟକି ରହିଲା ଟ୍ରେନ୍। ଝାଡ଼ଖଣ୍ଡ ରାମଗଢ ବନାଞ୍ଚଳରେ ଏହି ଘଟଣା ଘଟିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓ ସେୟାର କରିଛନ୍ତି। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତ ସମସ୍ତଙ୍କ ହୃଦୟକୁ ଛୁଇଁଛି। 

ସୂଚନାନୁଯାୟୀ, ରାମଗଢ ବନାଞ୍ଚଳରେ ଏକ ଗର୍ଭବତୀ ହାତୀ ରେଳ ଧାରଣା ନିକଟକୁ ଚାଲିଆସିଥିଲା। ଏହି ସମୟରେ ତାର ପ୍ରସବ ପୀଡ଼ା ଆରମ୍ଭ ହୋଇଥିଲା। ଠିକ୍ ସେତିକି ବେଳେ ଏକ ମାଲବାହୀ ଟ୍ରେନ୍ ଆସୁଥିଲା। ହେଲେ ହାତୀଟି ରେଳ ଧାରଣାରେ ପ୍ରସବ କରୁଥିବାର ଦେଖି ଲୋକୋ ପାଇଲଟ୍ ଟ୍ରେନ୍ ଅଟକାଇଥିଲେ। ରେଳ ଏବଂ ବନ ବିଭାଗର ଅଧିକାରୀ ମିଶି ହାତୀଟି ଟ୍ରାକ୍‌ରୁ ଯିବା ପର୍ଯ୍ୟନ୍ତ ଟ୍ରେନ୍ ଅଟକାଇବାକୁ ନିଷ୍ପତ୍ତି ନେଇଥିଲେ। ହାତୀଟି ତାର ଛୁଆକୁ ନେଇ ଜଙ୍ଗଲକୁ ଯିବା ପର୍ଯ୍ୟନ୍ତ ପ୍ରାୟ ୨ ଘଣ୍ଟା ଯାଏଁ ଟ୍ରେନ୍ ଅଟକି ରହିଥିଲା। 

ଏହି ମର୍ମସ୍ପର୍ଶୀ ଭିଡିଓକୁ କେନ୍ଦ୍ର ମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ମଣିଷ ଏବଂ ପଶୁଙ୍କ ଭିତରେ ଆସୁଥିବା ସଙ୍ଘର୍ଷର ଖବର ଭିତରେ ଏକ ସଦ୍ଭାବନାର ଉଦାହରଣ ସୃଷ୍ଟି ହୋଇଛି। ଝାଡ଼ଖଣ୍ଡରେ ଏକ ହାତୀ ଛୁଆ ଜନ୍ମ କଲା, ଯେଉଁଥିପାଇଁ ଟ୍ରେନ୍ ୨ ଘଣ୍ଟା ଯାଏଁ ଅପେକ୍ଷା କଲା। ଏଥିପାଇଁ ସେ ରେଳ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଅଧିକାରୀଙ୍କ ସମ୍ଵେଦନଶୀଳତା ଯୋଗୁଁ ହାତୀ ଛୁଆଟିର ଜୀବନ ବଞ୍ଚିଗଲା। ଏକ ଅନନ୍ୟ ଉଦାହରଣ ସୃଷ୍ଟି ହେଲା। 

ଏହି ଅବସରରେ ମନ୍ତ୍ରୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସରକାରୀ ସଂସ୍ଥା ମଧ୍ୟରେ ଚାଲିଥିବା ମିଳିତ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ପରିବେଶ ମନ୍ତ୍ରଣାଳୟ ଓ ଭାରତୀୟ ରେଳ ମନ୍ତ୍ରଣାଳୟ ମିଳିତ ଭାବେ ସମଗ୍ର ଭାରତରେ ୩୫୦୦ କିଲୋମିଟର ରେଳ ଧାରଣା ସର୍ଭେ କରି ୧୧୦ରୁ ଅଧିକ ସମ୍ଵେଦନଶୀଳ ବନ୍ୟପ୍ରାଣୀ କରିଡର ଚିହ୍ନଟ କରିଛନ୍ତି। ଦୁର୍ଘଟଣା ରୋକିବା ଓ ଏଭଳି ଜୀବନ ରକ୍ଷାକାରୀ ମୁହୂର୍ତ୍ତ ପାଇଁ ବର୍ତ୍ତମାନ ଏହି ଜୋନ୍‌ଗୁଡ଼ିକ ଉପରେ ନଜର ରଖାଯାଇଛି।