ନରଣପୁର, ୧୮।୯: ଗାଁରେ ଗୋଠଛଡ଼ା ଦନ୍ତାର ଉତ୍ପାତ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ନରଣପୁରର ବାଡ଼ୁଡିଘେରା ଗାଁର ୨୨ ବର୍ଷୀୟ ଯୁବକ ରାଜେଶ କୁମାର ମହାନ୍ତ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ନରଣପୁର ଅନ୍ତର୍ଗତ ବାଡୁଡିଘେରା ଗାଁର ରାଜେଶ ସକାଳୁ ବିଲ ବାଛିବା ପାଇଁ ଶ୍ରମିକ ଯୋଗାଡ଼ରେ ବଡ଼ ପଛୁଳା ଗାଁକୁ ଯାଇଥିଲେ । ସେଠାରୁ ଫେରିଲା ବେଳେ ବଡ଼ ପିଛୁଳା ଆମ୍ବ ତୋଟା ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ  । ଗଛ ଆଢ଼ୁଆଳରେ ଥିବା ଗୋଠଛଡ଼ା ଦନ୍ତା ରାଜେଶଙ୍କୁ ଆକ୍ରମଣ କରିଥିଲା । ହାତୀ ଦେଖି ରାଜେଶ ଭୟରେ ମୋଟର ସାଇକେଲରୁ ତଳେ ପଡ଼ିଯାଇଥିଲେ । ସେଠାରୁ ହାତୀଟି ରାଜେଶଙ୍କୁ ଶୁଣ୍ଢରେ ଘୋଷାରି ନେଇ କଚାଡ଼ି ଦେଇଥିଲା । ରାଜେଶ ଚିତ୍କାର କରିବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇ ଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ରାଜେଶଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଟାଉନଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ । ନରଣପୁର ବନ ବିଭାଗର ଫରେଷ୍ଟର କାଳନ୍ଦୀ ସାମଲ ଏବଂ ମୃତକ ପରିବାର ଲୋକଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜେଶଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଏ ବିଷୟରେ ବନବିଭାଗ ଅଧିକାରୀ କହିଛନ୍ତି ଯେ, ଦେଓବନ୍ଧ ଜଙ୍ଗଲରୁ ବସନ୍ତପୁର ଜଙ୍ଗଲ ଅଭିମୁଖେ ଯାଉଥିବା ଗୋଠଛଡ଼ା ଦନ୍ତାକୁ ବଡ଼ ପିଛୁଳା ଗ୍ରାମର ଲୋକେ ଚାଷଜମି ନଷ୍ଟ କରିବା ଭୟରେ ଗାଁ ଆମ୍ବତୋଟାରେ ଚାରିପଟୁ ଘେରି ରଖିଥିଲେ । ଲୋକେ ଘେରି ରଖିବା ଯୋଗୁ ହାତୀଟି ସକାଳ ହେବା ପରେ ଆଉ ଜଙ୍ଗଲକୁ ଯାଇପାରିନଥିଲା । ତେଣୁ ମୋଟର ସାଇକେଲରେ ଯାଉଥିବା ରାଜେଶକୁ ଦେଖି ତାଙ୍କୁ ଆକ୍ରମଣ କରିଥିଲା । ରାଜେଶର ବଡ଼ବାପା ଯାଦବ ମହାନ୍ତ କହିଛନ୍ତି ଯେ, ଏବେ ଏହି ଦନ୍ତା ହାତୀଟି ଗ୍ରାମ ନିକଟକୁ ଚାଲିଆସି ଉତ୍ପାତ କରୁଛି । ବନ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁନଥିବା କାରଣରୁ ଅନେକ ସମୟରେ ହାତୀ ଜଙ୍ଗଲରୁ ବାହାରି ଆସି ଲୋକଙ୍କ ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗୁଛି । ଅନେକ ସମୟରେ ହାତୀ ସାମନାରେ ମଣିଷ ଆସିଗଲେ କଚାଡ଼ି ମାରୁଛି । ହାତୀ ମଣିଷ ଲଢ଼େଇ ବନ୍ଦ କରିବା ପାଇଁ ବନ ବିଭାଗ ଆହୁରି ଅନେକ ତତ୍ପରତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ପରିବାର ଲୋକେ ଓ ଗ୍ରାମବାସୀ ରାଜେଶର ପରିବାରକୁ ସରକାରଙ୍କ ପକ୍ଷରୁ ଥିବା ଅନୁକମ୍ପା ରାଶିର ତୁରନ୍ତ ଦେବାକୁ ଦାବି କରିଛନ୍ତି ।