ନୂଆଦିଲ୍ଲୀ ୦୧/୦୬: ବ୍ୟକ୍ତିଗତ ଓ ବୃତ୍ତିଗତ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଛନ୍ତି ବିଶ୍ୱର ଅନ୍ୟତମ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଏବେ ଏକ ବ୍ୟକ୍ତିଗତ କାରଣ ପାଇଁ ସେ ଚର୍ଚ୍ଚାରେ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ, ମସ୍କ ଗୋପନରେ ଜଣେ ଜାପାନୀ ପପ୍‌ ଷ୍ଟାର୍‌ଙ୍କ ସନ୍ତାନର ବାପା ହୋଇଛନ୍ତି । କନ୍‌ଜର୍ଭେଟିଭ୍‌ କମେଣ୍ଟେଟର ଆଶ୍‌ଲି ସେଣ୍ଟ୍‌.କ୍ଲେୟାର ଦାବି କରିଛନ୍ତି, ୨୦୨୪ରେ ସେ ମଧ୍ୟ ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ । ସମଗ୍ର ବିଶ୍ୱରେ ତାଙ୍କର ସନ୍ତାନ ଅଛନ୍ତି ବୋଲି ମସ୍କ ନିଜେ ତାଙ୍କୁ କହିଥିବା କ୍ଲେୟାର କହିଛନ୍ତି । 

ଏଥିରେ ଜଣେ ଜାପାନୀ ଗାୟିକା ଅଛନ୍ତି, ଯିଏକି ଟ୍ରମ୍ପ୍‌ଙ୍କ ସନ୍ତାନ ଜନ୍ମ ଦେଇଥିବା କ୍ଲେୟାର ଦାବି କରିଛନ୍ତି । ସନ୍ତାନ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କୁ ଶୂକ୍ରାଣୁ ଦାନ କରିବେ ବୋଲି ମସ୍କ ଦାବି କରିଥିଲେ । କ୍ଲେୟାର ଆହୁରି କହିଛନ୍ତି, ଉଭୟଙ୍କ ସମ୍ପର୍କକୁ ଲୁଚାଇ ରଖିବାକୁ ମସ୍କ କୋଡ୍‌ ଭାଷାରେ ତାଙ୍କୁ ମେସେଜ୍‌ ଦେଇଥିଲେ । ଗୁପ୍ତ ଭାବେ ସନ୍ତାନ ଜନ୍ମ ଦେବା ପାଇଁ ମସ୍କ ତାଙ୍କୁ ୧୫ ମିଲିଅନ୍‌ ଡଲାର ଅଫର୍‌ କରିଥିଲେ ଏବଂ ସନ୍ତାନର ବୟସ ୨୧ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତି ମାସ ୧୦୦,୦୦୦ ଡଲାର ଦେବାକୁ ମଧ୍ୟ କହିଥିଲେ । କ୍ଲେୟାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ମସ୍କଙ୍କ ବିରୋଧରେ ପିତୃତ୍ୱ ଓ ସନ୍ତାନ ସମର୍ଥନ ପାଇଁ ମକଦ୍ଦମା କରିଥିଲେ । ସୁରକ୍ଷା ଚିନ୍ତା ଦର୍ଶାଇ ମସ୍କ ମାମଲା ରଫାଦଫାର ଆଦେଶ ମାଗିଲେ । ୫୩ ବର୍ଷୀୟ ମସ୍କ ଏକାଧିକ ସାଥୀଙ୍କ ସହିତ ୧୪ ସନ୍ତାନଙ୍କ ବାପା ହୋଇଛନ୍ତି । 

ୱାଲ୍‌ ଷ୍ଟ୍ରିଟ୍‌ ପତ୍ରିକାର ଏକ ରିପୋର୍ଟ ଅନୁସାରେ, ମସ୍କ ତାଙ୍କ ସନ୍ତାନଙ୍କୁ ଆର୍ମି ଭାବେ ଦେଖନ୍ତି, ଯାହା ରୋମାନ ମିଲିଟାରୀ ୟୁନିଟ୍‌କୁ ଦର୍ଶାଏ । କ୍ଲୋୟାର କହିଛନ୍ତି, ପୃଥିବୀ ଧ୍ୱଂସ ପୂର୍ବରୁ ସେ ସନ୍ତାନଙ୍କର ଏକ ବିଶାଳ ଆର୍ମି କରିଥିବେ ଏବଂ ଏଥିପାଇଁ ସରୋଗେଟ୍‌ଙ୍କ ସାହାଯ୍ୟ ନେବାକୁ ପଡ଼ିବ ବୋଲି ମସ୍କ କ୍ଲେୟାରଙ୍କୁ ମେସେଜ୍‌ ଦେଇଥିଲେ । ଟାଇମ୍ସ ନିଜ ରିପୋର୍ଟରେ ଆହୁରି ଅଭିଯୋଗ ଆଣିଛି, ନିଜର ସନ୍ତାନ ଇଚ୍ଛା ପୂରଣ ପାଇଁ ମହିଳାଙ୍କୁ ଖୋଜିବା ଉଦ୍ଦେଶ୍ୟରେ ମସ୍କ ଏକ୍ସ ପ୍ଲାଟ୍‌ଫର୍ମକୁ ବ୍ୟବହାର କରୁଛନ୍ତି । ତେବେ ମସ୍କ ଏ ନେଇ ମୁହଁ ଖୋଲିନାହାନ୍ତି ।