ଅମୃତସର ୧୮/୦୧: ବଲିଉଡ୍‌ ଅଭିନେତ୍ରୀ ଓ ହିମାଚଳପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ କଙ୍ଗନା ରାଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’ ଶୁକ୍ରବାର ରିଲିଜ୍‌ ହୋଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଅନେକ ବିବାଦ ଦେଖାଦେଇଥିଲା । ସେନ୍ସର ସାର୍ଟିଫିକେଟ୍ ପାଇବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି କୋର୍ଟର ଚକ୍କର କାଟିବାକୁ ପଡିଥିଲା। ତେବେ ‘ଏମର୍ଜେନ୍ସି’ ରିଲିଜ୍‌ ହେରବା ପରେ ବି ପୁଣି ବିବାଦ ଦେଖାଦେଇଛି।

ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ହିଁ ପଞ୍ଜାବରେ ଶିଖ୍‌ ସଂଗଠନଗୁଡି଼କ ଏହାକୁ ବିରୋଧ କରିଛନ୍ତି । ଅମୃତସର, ଜଳନ୍ଧର, ଲୁଧିଆନା ଓ ମୋହାଲିରେ ଥିଏଟର ବାହାରେ ଶିଖ୍‌ ସଂଗଠନଗୁଡ଼ିକର ସଦସ୍ୟ କଳା ପତାକା ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ସେଥିଯୋଗୁ ରାଜ୍ୟର କୌଣସି ଥିଏଟରରେ ଫିଲ୍ମ ପ୍ରଦର୍ଶନ ହୋଇନାହିଁ । ପିଭିଆର୍‌ ଗ୍ରୁପ୍‌ର ୭୦- ୮୦ଟି ଥିଏଟରରେ ଫିଲ୍ମ ପ୍ରଦର୍ଶନ ହେବାର ଥିଲା । କିନ୍ତୁ ବିରୋଧ ପରେ ଶୋ’ ବନ୍ଦ ହୋଇଛି ।

ଜଣେ ଆଇନ ଛାତ୍ରଙ୍କ ପକ୍ଷରୁ କଙ୍ଗନାଙ୍କୁ ଆଇନଗତ ନୋଟିସ୍‌ ପଠାଯାଇଛି । ସେଥିରେ ତାଙ୍କୁ ୫ ଦିନ ମଧ୍ୟରେ ପୂରା ପଞ୍ଜାବ ଓ ଶିଖ୍‌ ସଂପ୍ରଦାୟକୁ କ୍ଷମା ମାଗିବାକୁ କୁହାଯାଇଛି । ଯଦି ସେ ନୋଟିସ୍‌ର ଜବାବ ନ ଦେବେ ତେବେ ଏହି ମାମଲାରେ ଆଇନର ଆଶ୍ରୟ ନିଆଯିବ । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ରାଣାୱତ୍‌ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବରେ କଳା ଓ କଳାକାରଙ୍କ ଉତ୍ପୀଡ଼ନ । ତାଙ୍କର ଭାବମୂର୍ତ୍ତିକୁ ଖରାପ କରିବା ଓ ଫିଲ୍ମକୁ କ୍ଷତି ପହଞ୍ଚାଇବା ଲାଗି ଏହା କେବଳ ଦୁଷ୍ପ୍ରଚାର । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍‌ଜିପିସି) ‘ଏର୍ମଜେନ୍ସି’ରେ ଐତିହାସିକ ତଥ୍ୟକୁ ଭୁଲ୍‌ ଭାବେ ପ୍ରଦର୍ଶନ ଓ ଶିଖ୍‌ ସଂପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଯିବାର ଅଭିଯୋଗ ଆଣିଛି । ଏସ୍‌ଜିପିସିର ଅଭିଯୋଗ ପରେ ହିଁ ଶିଖ୍‌ ସଂଗଠନଗୁଡ଼ିକ ପିଭିଆର୍‌ ସିନେମା ବାହାରେ ପ୍ରଦର୍ଶନ ଆରମ୍ଭ କରିଥିଲେ ।