ନୂଆଦିଲ୍ଲୀ,୫।୧୦:  ବ୍ରିଟେନରେ ଏୟାର ଇଣ୍ଡିଆର ବୋଇଂ ଡ୍ରୀମଲାଇନର ୭୮୭-୮ ବିମାନକୁ ଜରୁରୀକାଳୀନ ଲ୍ୟାଣ୍ଡିଂ ପରେ ରୋକି ଦିଆଯାଇଛି। ରିପୋର୍ଟ ଅନୁସାରେ, ଅମୃତସରୁ ବର୍ମିଂହାମ ଯାଉଥିବା ଏୟାର ଇଣ୍ଡିଆାର ଫ୍ଲାଇଟ୍‌ ନମ୍ବର AI-117  ରେ ଶନିବାର ଅବତରଣ ସମୟରେ ଜରୁରୀକାଳୀନ ଟର୍ବାଇନ ରାମ୍ ଏୟାର ଟର୍ବାଇନ୍ (RAT) ସକ୍ରିୟ ହେବାପରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଥିଲା। ବିମାଟି ବର୍ମିଂହାମ ପହଁଞ୍ଚିବାର ଶେଷ ପର୍ଯ୍ୟାୟରେ ଥିଲା। ରାମ୍ ଏୟାର ଟର୍ବାଇନ୍‌ ସକ୍ରିୟ ହେବାପରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି। ସମସ୍ତ ଯାତ୍ରୀ ଓ ଚାଳକ ଦଳ ସୁରକ୍ଷିତ ଅଛନ୍ତି।

ଏୟାର ଇଣ୍ଡିଆର କହିବା ଅନୁସାରେ,ସେ ନିଜର ବର୍ମିଂହାମ୍-ଦିଲ୍ଲୀ ଉଡାଣକୁ ରଦ୍ଦ କରିଦେଇଛି। କାରଣ ବିମାନକୁ ନିରୀକ୍ଷଣ ପାଇଁ ରୋକି ଦିଆଯାଇଛି  ଅମୃତସରରୁ ବର୍ମିଂହାମ ଯାଉଥିବା ବିମାନ AI117ର କର୍ମଚାରୀମାନେ ଅବତରଣ ସମୟରେ RAM ଏୟାର ଟର୍ବାଇନ୍ (RAT) ସକ୍ରିୟ ହେଉଥିବା ଜାଣିପାରିଥିଲେ। ତେବେ ସମସ୍ତ ବୈଦ୍ୟୁତିକ ଏବଂ ହାଇଡ୍ରୋଲିକ୍ ପାରାମିଟରଗୁଡ଼ିକ ସ୍ୱାଭାବିକ ଥିଲା।ଏହାପରେ ବିମାନଟି ବର୍ମିଂହାମରେ ସୁରକ୍ଷିତ ଅବତରଣ କରିଥିଲା ।

ଉଲ୍ଲେଖନୀୟ ଯେ,  ଚଳିତ ବର୍ଷ ଜୁନ୍ ମାସରେ, ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ମଧ୍ୟ ବୋଇଂ ଡ୍ରିମଲାଇନର୍ ୭୮୭-୮ ଥିଲା, ଯେଉଁଥିରେ ଗୋଟିଏ RAT ପାୱାର ସିଷ୍ଟମ୍ ଥିଲା। ଅହମ୍ମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣାର ଅନ୍ତରୀଣ ତଦନ୍ତ ରିପୋର୍ଟରେ ଜଣାପଡିଛି ଯେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ଇଞ୍ଜିନଗୁଡ଼ିକ ବନ୍ଦ ହୋଇଯାଇଥିଲା, ଯାହା ଜରୁରୀକାଳୀନ ସିଷ୍ଟମକୁ ଟ୍ରିଗର କରିଥିଲା। ରାମ୍ ଏୟାର ଟର୍ବାଇନ୍ (RAT) ଏକ ଜରୁରୀକାଳୀନ ଉପକରଣ ଯାହା ବିମାନର ଇଞ୍ଜିନ୍ କିମ୍ବା ଅନ୍ୟାନ୍ୟ ମୁଖ୍ୟ ପାଓ୍ବାର ସୋର୍ସ ବନ୍ଦ ହେବା ପରେ ଫ୍ଲାଇଟ୍‌ରେ ଇଲେକ୍ଟ୍ରୋନିକ୍ ଏବଂ ହାଇଡ୍ରୋଲିକ୍ ପାଓ୍ବାର ଦେବା ପାଇଁ ନିୟୋଜିତ ହୋଇଥାଏ। ଏହା ସାଧାରଣତଃ କେବଳ ଜଟିଳ ପରିସ୍ଥିତିରେ ସକ୍ରିୟ ହୋଇଥାଏ।