ନୂଆଦିଲ୍ଲୀ: ଦୁବାଇର ଏୟାର ଲାଇନ୍‌ ଏମିରେଟସ୍‌ ମଧ୍ୟପ୍ରାଚ୍ୟକୁ ବିମାନ ଉଡ଼ାଣ କଟକଣାର ଅବଧି ଆହୁରି ବଢ଼ାଇ ଦେଇଛି  । ଏହା ସହ ବିମାନରେ ପେଜର ଏବଂ ଓ୍ବାକିଟକି ବ୍ୟବହାର ଉପରେ କଟକଣା ଲଗାଇଛି କମ୍ପାନି । ନିକଟରେ ଲେବାନନରେ ପେଜର ଓ ଓ୍ବାକିଟକି ବିସ୍ଫୋରଣ ଘଟି ଲୋକଙ୍କ ଜୀବନ ଯାଇଥିଲା ଏବଂ ଅନେକ ଆହତ ହୋଇଥିଲେ ।  

ଦୁବାଇକୁ ଆସୁଥିବା, ଦୁବାଇରୁ ଯାଉଥିବା ଏବଂ ଦୁବାଇ ଦେଇ ଉଡ଼ାଣ ଭରୁଥିବା ଯାତ୍ରୀ ଏବଂ କ୍ରିଉ ସଦସ୍ୟ ପେଜର ଓ ଓ୍ବାକିଟକି ବ୍ୟବହାର କରିପାରିବେ ନାହିଁ ବୋଲି ଏୟାର ଲାଇନ୍‌ ପକ୍ଷରୁ ଘୋଷଣା କରାଯାଇଛି । ଲେବାନନ୍‌ରେ ଘଟିଥିବା ବିସ୍ଫୋରଣ ପରେ ଏୟାର ଲାଇନ୍‌ ତତ୍ପରତା ପ୍ରକାଶ କରିଛି । କୌଣସି ଯାତ୍ରୀଙ୍କ ବ୍ୟାଗ୍‌ରୁ ଯଦି ଏଭଳି ଡିଭାଇସ୍‌ ମିଳେ ତେବେ ତାଙ୍କୁ ଦୁବାଇ ପୋଲିସକୁ ହସ୍ତାନ୍ତର କରାଯିବ ।  

ଗତ ମାସରେ ଲେବନନରେ ହୋଇଥିବା ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ୩୭ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦୦ରୁ ଅଧିକ ଆହତ ହୋଇଥିଲେ । ଏହି ବ୍ୟାନ ସହ ଇରାକ ଓ ଇରାନ୍‌କୁ ନିଜର ବିମାନ ଉଡ଼ାଣ ମଙ୍ଗଳବାର ଯାଏଁ ବାତିଲ କରିଛି ଏମିରେଟସ୍‌ । ସେହିଭଳି ଲେବାନନରୁ ଏବଂ ଲେବାନନକୁ ଉଡାଣ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି ।