ଡିଆବାହାଲ, ୨୨/୦୨: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ସବୁଜ ସନାତନପାଲି ଗାଁର କଲ୍ୟାଣୀ ଗର୍ଡ଼ିଆ । ସାଧାରଣ ପରିବାରର ବୋହୂ । ନିଜର ଜମିବାଡ଼ି ପ୍ରାୟ ନାହିଁ । ଏଭଳି ସ୍ଥିତିରେ କିଛି କରିବାର ପ୍ରୟାସ ସେ ଜାରି ରଖିଥିଲେ । ପାରମ୍ପରିକ ଧାନ ଓ ପନିପରିବା ବଦଳରେ ଲାଭଜନକ ଚାଷରୁ ଜୀବିକା ଅର୍ଜନ ପାଇଁ ମନ ବଳାଇଲେ । ଭାଗରେ ଚାଷ ଜମି ନେବାକୁ ଜଣେ ବ୍ୟକ୍ତିଙ୍କ ଦ୍ୱାରସ୍ଥ ହୋଇ ସଫଳ ହେଲେ । ଏହା ପରେ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରିବାକୁ ମନସ୍ଥ କଲେ । ଏଥିପାଇଁ ଉଦ୍ୟାନ କୃଷି ବିଭାଗରୁ ଆବଶ୍ୟକ ପରାମର୍ଶ ନେଇ ଭାଗରେ ନେଇଥିବା ୧.୫ ଏକର ଜମିରେ ଷ୍ଟ୍ରବେରି ଚାଷ କଲେ । ଉଦ୍ୟାନ କୃଷି ବିଭାଗ ବିଶେଷଜ୍ଞ କୁଲି ମେହେରଙ୍କ ଦିଗଦର୍ଶନରେ ବୈଜ୍ଞାନିକ ପ୍ରବନ୍ଧନ ପଦ୍ଧତି ଅବଳମ୍ୱନ କରି ସେ ପ୍ରାୟ ୧୫,୦୦୦ଟି ଷ୍ଟ୍ରବେରି ଚାରା ରୋପଣ କରିଥିଲେ । ଉଦ୍ୟାନ ବିଭାଗ ସହାୟତାରେ ପାଇଥିବା ଏସବୁ ଚାରାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ । ଚାରା ରୋପଣ ପରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହାର ଯତ୍ନ ନେଇଥିଲେ । ଏଥିରେ ତାଙ୍କୁ ତାଙ୍କ ସ୍ୱାମୀ ପ୍ରମୋଦ ଗର୍ଡ଼ିଆ, ଶାଶୁ ସୁବାସିନୀ ଗଡ଼ିଆଙ୍କ ସହଯୋଗ କରୁଛନ୍ତି ।
ଚାରା ରୋପଣର ପ୍ରାୟ ୪୦ ଦିନ ଅନ୍ତରରେ ପ୍ରଥମ ପର୍ଯ୍ୟାୟରେ ସେ ୫ କ୍ୱିଣ୍ଟାଲ ଷ୍ଟ୍ରବେରି ଉତ୍ପାଦନ କଲେ । କେଜି ପ୍ରତି ୩୦୦ ଟଙ୍କା ଦରରେ ବିକ୍ରୟ କରି ସେ ୧.୫ ଲକ୍ଷ ଟଙ୍କା ଆୟ କରିପାରିଛନ୍ତି । ଏବେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଅମଳ ବାକି ଅଛି । ଚଳିତ ବର୍ଷ ଅନ୍ତତଃ ୨ ଲକ୍ଷ ଟଙ୍କା ଆୟ ହେବା ସମ୍ଭାବନା ଅଛି ବୋଲି କଲ୍ୟାଣୀ କହିଛନ୍ତି । ଏହି ସଫଳ ଉଦ୍ୟମ ବଳରେ ନିଜକୁ ଜଣେ ପ୍ରଗତିଶୀଳ ମହିଳା କୃଷକ ଭାବେ ପ୍ରତିପାଦିତ କରିପାରିଛନ୍ତି । ଏହା ଦ୍ୱାରା ଅଞ୍ଚଳରେ ଷ୍ଟ୍ରବେରି ଚାଷର ବ୍ୟାବସାୟିକ ସମ୍ଭାବନାକୁ ପ୍ରମାଣ କରି ଦେଖାଇଛନ୍ତି । ତାଙ୍କ ସଫଳତା ଫସଲ ବିବିଧିକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ ହୋଇଛି ।
ଅଧିକ ପଢନ୍ତୁ-କରୋନା ପ୍ରତିକୂଳତା ରୋକିପାରିନି ସଫଳତା,ମହିଳା ସଶକ୍ତୀକରଣର ଉଦାହରଣ ଡୋରିନା
ସୂଚନାଯୋଗ୍ୟ, କଲ୍ୟାଣୀ ସନାତନପାଲି ଅଞ୍ଚଳର "ସବୁଜ ସନାତନପାଲି ଫାର୍ମର୍ସ ପ୍ରୋଡ୍ୟୁସର୍ କମ୍ପାନି'ର ଜଣେ ସକ୍ରିୟ ସଦସ୍ୟା । ଏହି ଅନୁଷ୍ଠାନ ସାମୂହିକ କୃଷି, ବଜାର ସଂଯୋଗ ଏବଂ ସ୍ଥାନୀୟ କୃଷକଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି । ତାଙ୍କ ସଫଳତା ଅନ୍ୟ କୃଷକ, ମହିଳା ଉଦ୍ୟୋଗୀଙ୍କ ପାଇଁ ସମୃଦ୍ଧ ପରିବାର ଓ ସଶକ୍ତ ଦେଶ ଗଠନରେ ପ୍ରେରଣା ସାଜିଛନ୍ତି ।