ଭୁବନେଶ୍ଵର, ୨୮/୦୮ : ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ହାର୍ଡକୋର ମାଓବାଦୀ। ନିହତଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି। ଘଟଣାସ୍ଥଳରୁ ବିପୁଳ ମାତ୍ରାରେ  ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେଥିମଧ୍ୟରେ ଏକ ଇନ୍‌ସାସ୍‌ ରାଇଫଲ, ୨ ଏସ୍‌ଏଲ୍‌ଆର ଏବଂ ଗୋଟିଏ  ଥ୍ରି-ନଟ୍‌-ଥ୍ରି ରାଇଫଲ ରହିଛି । ତଲାସି ଅଭିଯାନ ଜାରି  ଅଛି ।

ସୁଚନାନୁଯାୟୀ, ମହାରାଷ୍ଟ୍ର ଗଡଚିରୋଲି ଓ ଛତିଶଗଡ଼ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା କୋପର୍ଶି ଜଙ୍ଗଲ ଭିତରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ C-60 ବାହିନୀ ଓ CRPF ବାହିନୀ ପକ୍ଷରୁ କୋପରଶି ଗ୍ରାମ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲେ। ଏହି ଏନକାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି। ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଜବତ ହୋଇଛି। ଗୋଟିଏ SLR, ୨ ଟି INSAS ଓ ଗୋଟିଏ 303 ବନ୍ଧୁକ ଜବତ ହୋଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀଙ୍କ ମୃତଦେହ ହେଲିକପ୍ଟର ଯୋଗେ ଗଡଚିରୋଲି ନିଆଯାଇଛି। ଏହି  ଅପରେସନ ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା ।

ଅଧିକାରୀଙ୍କ  ଅନୁସାରେ, ମାଓବାଦୀମାନେ ଜବତ ଅସ୍ତ୍ରଶସ୍ତ୍ର ଦ୍ୱାରା କୌଣସି ବଡ଼ ଧରଣର ହିଂସାକାଣ୍ଡ ଲାଗି ଯୋଜନା  କରିଥିଲେ । ସେମାନେ ଦୀର୍ଘ ଦିନ ଏହି ଏହି ଜଙ୍ଗଲରେ  ସକ୍ରିୟ ଥିଲେ । ସେଠାରେ ଆହୁରି କେତେଜଣ ମାଓବାଦୀ  ଲୁଚି ରହିଥିବା କୁହାଯାଉଛି । ପ୍ରକାଶଥାଉ କି, ଗତ ୨୦  ତାରିଖରେ ମୋଟ ୫୫.୫୦ ଲକ୍ଷ ଟଙ୍କା ପୁରସ୍କାର ଥିବା  ୨୯ ମାଓବାଦୀ ଦନ୍ତେୱାଡା ଏବଂ ନାରାୟଣପୁର ଜିଲ୍ଲାରେ  ସୁରକ୍ଷାକର୍ମୀଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ ।