ନୂଆଦିଲ୍ଲୀ, ୨୦/୦୯: ଜମ୍ମୁ କାଶ୍ମୀର ଉଧମପୁରରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ୍ ହୋଇଛନ୍ତି । ଜଣେ ଯବାନ ଆହତ ହୋଇଛନ୍ତି । ୩ରୁ ୪ ଆତଙ୍କୀ ଲୁଚି ରହିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସେନା ସର୍ଚ୍ଚ ଅପରେସନ ଜାରି ରଖିଛି ।
ସେନାବାହିନୀମାନେ ସ୍ଥାନୀୟ ଲୋକମାନଙ୍କୁ ସତର୍କ ରହିବା ଏବଂ ସନ୍ଦେହଜନକ ଗତିବିଧି ବିଷୟରେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ଡୋଡା ଏବଂ କିଷ୍ଟୱାଡ଼ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀମାନଙ୍କୁ ସମୂଳେ ନାଶ କରିବା ପାଇଁ ଡ୍ରୋନ ଏବଂ ହେଲିକପ୍ଟରର ବ୍ୟବହାର କରାଯାଇଛି । କିସ୍ତୱାଡରେ ସେନା ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ ତିନିରୁ ଚାରି ଜଣ ଆତଙ୍କବାଦୀ ଘେରାଯାଇଥିବାର ସମ୍ଭାବନା ରହିଛି । ଜମ୍ମୁ ଆଇଜିପି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ଏସଓଜି, ପୁଲିସ ଏବଂ ସେନାର ମିଳିତ ଅଭିଯାନ ଜାରି ରହିଛି । କିସ୍ତୱାଡରେ ସର୍ଚ୍ଚ ଅପରେସନ ଶେଷ ହୋଇନାହିଁ । ଜଣେ ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି, ଗୁଇନ୍ଦା ଏଜେନ୍ସିଂ କିସ୍ତୱାଡ଼ାରେ ଆତଙ୍କୀ ଲୁଚିଥିବାର ଖବର ଦେଇଥିଲେ । ଦୀର୍ଘ ଘଣ୍ଟା ତଲାସୀ ଅଭିଯାନ ପରେ ଗୁଳି ବିନିମୟ ହୋଇଥିଲା ।
ଗତକାଲି (ଶୁକ୍ରବାର) ରାତି ପ୍ରାୟ ୮ଟା ବେଳେ, ହ୍ୱାଇଟ ନାଇଟ କର୍ପସର ଏକ ଟିମ୍ ଗୁପ୍ତଚର ସୂଚନା ଆଧାରରେ କିସ୍ତୱାଡର ସାଧାରଣ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜୋରଦାର ଗୁଳିଚାଳନା ହୋଇଥିଲା। ଆତଙ୍କବାଦୀମାନେ ଜଙ୍ଗଲର ଘନ ଅଞ୍ଚଳର ଫାଇଦା ଉଠାଇ ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷା ବାହିନୀ ସତର୍କତାର ସହ ସେମାନଙ୍କୁ ପିଛା କରିଥିଲେ ।