ନୂଆଦିଲ୍ଲୀ,୧୫/୦୯: ଝାଡ଼ଖଣ୍ଡର ହଜାରିବାଗରେ ବଡ଼ ଏନକାଉଣ୍ଟର । ସୁରକ୍ଷା ବାହିନୀଙ୍କ ଗୁଳିରେ ୩ କୁଖ୍ୟାତ ନକ୍ସଲ ନେତା ନିହତ ହୋଇଛନ୍ତି । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ଏନକାଉଣ୍ଟରରେ ନିପାତ ହୋଇଛନ୍ତି । ସହଦେବ ସୋରେନ ମୁଣ୍ଡରେ ୧ କୋଟି ଟଙ୍କା ପୁରସ୍କାର ରାଶି ରହିଥିଲା । ସେହିପରି ରଘୁନାଥ ହେମ୍ବ୍ରମଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଓ ବୀରସେନ ଗଞ୍ଜୁଙ୍କ ପାଇଁ  ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ସିଆରପିଏପ ଓ ଝାଡ଼ଖଣ୍ଡ ପୁଲିସର ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଛି ।

ଝାଡ଼ଖଣ୍ଡ ପୁଲିସ ସୂଚନା ଅନୁସାରେ, "ଗୁଇନ୍ଦା ସୂଚନାକୁ ଆଧାର କରି ଆଜି ସକାଳୁ ହଜାରିବାଗ ଜିଲ୍ଲା ଟାଟିଝରିଆ ଥାନା କରାଣ୍ଡି ଗ୍ରାମରେ ୨୦୯ କୋବ୍ରା ବାଟାଲିୟନ ଓ ପୁଲିସ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲା । ଅପରେସନ୍ ସମୟରେ ସୁରକ୍ଷାକର୍ମୀ  ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।ମୋଟ୍ ୩ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ସିପିଆଇ ସଦସ୍ୟ ସହଦେବ ସୋରେନ, ଯାହା ମୁଣ୍ଡରେ ୧ କୋଟି ଟଙ୍କା ପୁରସ୍କାର ଥିଲା, ଅନ୍ୟ ଦୁଇ ନକ୍ସଲ ନିହତ ହୋଇଛନ୍ତି । ଅପରେସନ ପରେ, ନକ୍ସଲମାନଙ୍କଠାରୁ ଏକେ-୪୭ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସମଗ୍ର ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଜାରି ରହିଛି ।

ସହଦେବ ସୋରେନ୍  ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରଖାଯାଇଥିଲା । ସେ ପରବେଶ୍ ନାମରେ ମଧ୍ୟ ଜାଣିଥିଲେ । ଗତ କିଛି ମାସ ମଧ୍ୟରେ ନିହତ ହୋଇଥିବା ଶୀର୍ଷ ନକ୍ସଲଙ୍କ ତାଲିକାରେ ତାଙ୍କ ନାମ ଯୋଡା ଯାଇଛି । ରଘୁନାଥ ହେମ୍ବ୍ରମ ସ୍ୱତନ୍ତ୍ର କ୍ଷେତ୍ର କମିଟିର ସଦସ୍ୟ ଥିଲା । ତାଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ତାଙ୍କର ଉପନାମ ଚଞ୍ଚଲ ଥିଲା । ବୀରସେନ ଗଞ୍ଜୁ ଓରଫ ରାମଖେଲଭନ୍ ଜୋନାଲ କମିଟିର ସଦସ୍ୟ ଥିଲା । ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ଅନ୍ୟପଟେ କୁଖ୍ୟାତ ନକ୍ସଲ ନେତା ମୁଖଦେବ ଯାଦବ ଓରଫ୍‌ ତୁଫାନ ନିହତ ହୋଇଛି । ଝାଡ଼ଖଣ୍ଡର ମାନାଟୁ ଥାନା ବାନ୍ସି ଗାଁ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ତୁଫାନଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ୪ ଯବାନଙ୍କୁ ହତ୍ୟା କରିବାରେ ସାମିଲ ଥିଲା ତୁଫାନ । ୨୬ ମାମଲାରେ ଥିଲା ଅଭିଯୁକ୍ତ ।