ବରଗଡ, ୦୭/୦୯: ବରଗଡ଼ ଲେଙ୍ଗୁ ମିଶ୍ର ଛକରୁ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ଅଭିଯାନ । ରବିବାର ଲେଙ୍ଗୁ ମିଶ୍ର ଛକରୁ ଥାନା ଛକ ପର୍ଯ୍ୟନ୍ତ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସେହିପରି ଜେଲ ରୋଡର ଉଭୟ ପାର୍ଶ୍ୱରେ ରହିଥିବା ଜବରଦଖଲକାରୀଙ୍କ ଉପରେ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଉଛି । ଅନୁରୂପ ଭାବେ ଥାନା ଛକରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଏସଆରଆଇଟି ବିଲ୍ଡିଂ ମଧ୍ୟ ଭଙ୍ଗାଯିବ ବୋଲି ଜଣାପଡିଛି । ପୁଲିସ ପ୍ରଶାସନ ତରଫରୁ ଲେଙ୍ଗୁ ମିଶ୍ର ଛକରେ ରାସ୍ତା ଉପରେ ବ୍ୟାରିକେଡ ଲଗାଯାଇଛି ।
ଜବରଦଖଲ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ପରିସ୍ଥିତି ନ ଘଟିବ, ସେଥିପାଇଁ ବ୍ୟାପକ ପୁଲିସ ମୁତୟନ ରହିଛନ୍ତି । ଆଗାମୀ ଦିନରେ ସହର ଅନ୍ୟ ସ୍ଥାନମାନଙ୍କରେ ସରକାରୀ ଜାଗାଗୁଡିକ ଜବରଦଖଲ ମୁକ୍ତ କରାଯିବ ବୋଲି ସୂଚନା ମିଳିଛି । ଜବରଦଖଲ ଉଚ୍ଛେଦ ପୂର୍ବରୁ କଂଗ୍ରେସ ନେତା ନିପନ ଦାଶ ଏହାକୁ ବିରୋଧ କରିଥିଲେ l ତେବେ ଏହାକୁ ବିରୋଧ କରି କଂଗ୍ରେସ ନେତା ନିପନ ଦାଶ ନିୟମ ଅନୁଯାୟୀ, ପଦକ୍ଷେପ ନେବାକୁ ଦାବି କରିଥିଲେ l ମାତ୍ର ପୁଲିସ ନଶୁଣିବାରୁ ଶ୍ରୀ ଦାଶ ଓ ପୁଲିସ ମଧ୍ୟରେ ବେଶ ଧସ୍ତାଧସ୍ତି ହୋଇଥିଲା l ତେବେ ପୁଲିସ ଶ୍ରୀ ଦାଶଙ୍କୁ ଥାନାରେ ଅଟକ ରଖି ଉଚ୍ଛେଦ ଆରମ୍ଭ କରିଥିଲେ l ଅପରପକ୍ଷେ ଶ୍ରୀ ଦାଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ଛକରେ ରାସ୍ତାରୋକ କରିଥିଲେ l ମାତ୍ର ପୁଲିସ ଫୋର୍ସ ସମସ୍ତଙ୍କୁ ଉଠାଇ ନେଇଥିଲେ l