ଭୁବନେଶ୍ୱର, ୨୫/୦୯ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଓ କୋଇଲା। ଏ ଦିଗରେ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ। ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ସୂଚନା ଦେଇଛନ୍ତି। ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି ତତ୍ପର ହୋଇ କାମ କରିବାର ଆବଶ୍ୟକତା ଥିବା କହିଛନ୍ତି।​​​​​​​

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ ଅଳିଆ ବାହାରୁଛି । ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି ।  ଯାହାକୁ ବିଭିନ୍ନ ପଦ୍ଧତିରେ ଡି ସେଣ୍ଟ୍ରାଲାଇଜଡ୍ କରିବା ପାଇଁ  ସ୍ୱତନ୍ତ୍ର ଭାବେ SHG ମା' ମାନଙ୍କୁ ଟ୍ରେନିଂ ଦିଆଯାଇଛି । ମାତ୍ର ଅନେକ ସମୟରେ ଭୁବନେଶ୍ୱରରେ ଏହାକୁ ନେଇ ବିରୋଧ ହେଉଥିବା ଦେଖିବାକୁ ମିଳୁଛି । ତେବେ ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା ମଧ୍ୟ ବଢୁଛି । ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ୱଷ୍ଟେ ଟୁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ, ଏବଂ ୱଷ୍ଟେ ଟୁ ବ୍ରିକେଟ୍ ବା ଚାରକୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବାୟୋଗ୍ୟାସ୍ କମ୍ପୋଷ୍ଟିଙ୍ଗ୍ ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ମହାନଗର ନିଗମ ଟେଣ୍ଡର କରି ସାରିଥିବା ବେଳେ ୱଷ୍ଟେ ଟୁ  ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ଆମେ ପ୍ରସ୍ତୁତ ହେଉଛୁ। ଏନେଇ ଆମର ଗୋଟିଏ ପ୍ରିଲିମିନାରୀ ଆଲୋଚନା ସରିଛି। ଜାଗା ମଧ୍ୟ ଚିହ୍ନଟ ସରିଛି। ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ତେବେ ଆର୍ଥିକ ଦିଗରୁ କିଛି ସମସ୍ୟା ଅଛି । ତାର ସମାଧାନ ହୋଇ ସରିଲେ ଆମେ କାମ ଆଗକୁ ବଢ଼ିବୁ । ନିଷ୍ପତ୍ତି ହେବାର ୬ ମାସ ମଧ୍ୟରେ ପ୍ଲାଣ୍ଟ କାମ ସାରିବାକୁ ଆମର ଲକ୍ଷ୍ୟ ଅଛି।  ତେବେ ୱଷ୍ଟେ ଟୁ ଏନର୍ଜି ପ୍ଲାଣ୍ଟ ଏକ ଇଣ୍ଡଷ୍ଟ୍ରି ।  ଯାହାକୁ ନେଇ କିଛି କନସଲଟାଣ୍ଟ ଏବଂ ଏକ୍ସପର୍ଟମାନଙ୍କ  ସହ ଆଲୋଚନା ଚାଲିଛି ।