ମୁମ୍ବାଇ, ୧୪/୦୩: ଇଂଲଣ୍ଡ କ୍ରିକେଟ୍‌ ଦଳର ଉପଅଧିନାୟକ ହ୍ୟାରୀ ବ୍ରୁକ୍‌ଙ୍କୁ ବିସିସିଆଇ ୨ବର୍ଷ ପାଇଁ ଆଇପିଏଲ୍‌ରୁ ବାସନ୍ଦ କରିଛି । ସେ ଶେଷ ମୁହୂର୍ତ୍ତରେ ଆଇପିଏଲ୍‌ରୁ  ଓହରି ଯାଇଥିବାରୁ ଏଭଳି ଦଣ୍ଡିତ ହୋଇଛନ୍ତି ।  

୨୦୨୫ ଓ ୨୦୨୬ ସିଜନ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବିସିସିଆଇ ଘୋଷଣା  କରିଛି । ଇଂଲଣ୍ଡର ଆଗାମୀ ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀକୁ ନଜରରେ ରଖି ଏବେଠୁ ବିଶ୍ରାମ  ନେବାକୁ ନିଷ୍ପତ୍ତି ନେଇ ଆଇପିଏଲ୍‌ରୁ ଓହରି  ଯାଇଥିବା ବ୍ରୁକ୍‌ ୨ଦିନ ତଳେ ନିଜ ସୋସିଆଲ ମିଡ଼ିଆ ପୃଷ୍ଠାରେ ପୋଷ୍ଟ କରିଥିଲେ । ବ୍ରୁକ୍‌  ଓ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ(ଇସିବି)ଠାରୁ  ସ୍ପଷ୍ଟୀକରଣ ପାଇବା ପରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ଗତ ମେଗା  ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୬.୨୫  କୋଟି ଟଙ୍କାରେ କିଣିଥିଲା । ସେ ଗତ ବର୍ଷ ମଧ୍ୟ  ଆଇପିଏଲ୍‌ରୁ ଦୂରେଇ ରହିଥିଲେ ।  

ଗତ ମେଗା ନିଲାମ ସମୟରେ ନୂଆ  ନିୟମ ଲାଗୁ କରାଯାଇଥିଲା । କୌଣସି ବିଦେଶୀ  ଖେଳାଳି ଆଇପିଏଲ୍‌ ନିଲାମରେ କିଣା ହେବା ପରେ ସିଜନ ପୂର୍ବରୁ ଓହରି ଗଲେ ଉକ୍ତ  ଖେଳାଳିଙ୍କୁ ପରବର୍ତ୍ତୀ ୨ଟି ସିଜନ ପାଇଁ ବାସନ୍ଦ  କରାଯିବ । ଏହି ୨ବର୍ଷ ମଧ୍ୟରେ ସେ ନିଲାମ ପାଇଁ ମଧ୍ୟ ନାମ ଦାଖଲ କରିପାରିବେ ନାହିଁ ।  କୌଣସି ଖେଳାଳି ଆହତ ହୋଇ ଆଇପିଏଲ୍‌ରୁ  ଓହରି ଗଲେ ତାଙ୍କୁ ନିଲମ୍ବିତ କରାଯିବ ନାହିଁ।  ତେବେ ଏହା ପୂର୍ବରୁ ଉକ୍ତ ଆହତ ଖେଳାଳି ନିଜ  ଦେଶର ବୋର୍ଡ ଜରିଆରେ ସମସ୍ତ ମେଡିକାଲ୍‌  ରିପୋର୍ଟର ପ୍ରମାଣ ପତ୍ର ବିସିସିଆଇ ନିକଟକୁ  ପ୍ରଦାନ କରିବାକୁ ହେବ ।