ନୂଆଦିଲ୍ଲୀ: ଓଭାଲ ଟେଷ୍ଟରେ ପ୍ରଥମ ପାଳିରେ ଇଂଲଣ୍ଡ ୨୪୭ ରନରେ ଅଲଆଉଟ୍ ହୋଇଛି । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୨୨୪ ରନ କରିଥିବାରୁ ଆୟୋଜକ ଇଂଲଣ୍ଡ ୨୩ ରନର ଲିଡ୍ ହାସଲ କରିଛି । ଟିମ୍ ଇଣ୍ଡିଆ ପାଇଁ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣା ସର୍ବାଧିକ ୱିକେଟ୍ ନେଇଥିଲେ । ଉଭୟେ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ଇଂଲଣ୍ଡ ପାଇଁ ଜ୍ୟାକ୍ କ୍ରାଉଲି ଏବଂ ହ୍ୟାରି ବ୍ରୁକ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ୱିତୀୟ ଦିନର ପ୍ରଥମ ସେସନ ସମ୍ପୂର୍ଣ୍ଣ ଭାବରେ ଇଂଲଣ୍ଡ ନାମରେ ଥିଲା । ଗୋଟିଏ ବି ୱିକେଟ୍ ନହରାଇ ଇଂଲଣ୍ଡ ୯୨ ରନ କରିଥିବା ବେଳେ ୧୫୫ ରନରେ ୧୦ ୱିକେଟ୍ ହରାଇଥିଲା ।
ଭାରତୀୟ ଦଳ ୨୦୪/୬ ରୁ ଏହାର ସ୍କୋରକୁ ଆଗକୁ ବଢ଼ାଇଥିଲା । ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ କେବଳ ୩୪ ବଲ୍ ଖେଳିପାରିଥିଲା । ଯେଉଁଥିରେ ଟିମ୍ କେବଳ ୨୦ ରନ କରିପାରିଥିଲେ ଏବଂ ବାକି ଚାରୋଟି ୱିକେଟ୍ ହରାଇଥିଲେ । ଜବାବରେ, ବେନ୍ ଡକେଟ ଏବଂ ଜ୍ୟାକ୍ କ୍ରାଉଲି ଇଂଲଣ୍ଡକୁ ଏକ ଧମାକାଦାର ଆରମ୍ଭ ଦେଇଥିଲେ। ଉଭୟ ୧୨.୫ ଓଭରରେ ୯୨ ରନ କରିଥିଲେ, କିନ୍ତୁ ତା’ପରେ ଡକେଟ ୪୩ ରନ କରି ଆଉଟ ହୋଇଥିଲେ ।
ଏହିଠାରୁ ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜ୍ୟାକ୍ କ୍ରାଉଲି ତାଙ୍କର ୫୦ ରନ୍ ପୂରଣ କରିଥିଲେ, ଏବଂ ସେ ୬୪ ରନରେ ଆଉଟ ହୋଇଥିଲା। ଅଧିନାୟକ ଓଲି ପୋପ୍ ୨୨ ରନ କରିଥିଲେ । ଜୋ ରୁଟ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ଇନିଂସ ଖେଳିପାରି ନଥିଲେ । ରୁଟ୍ ୨୯ ରନ ସ୍କୋରରେ ମହମ୍ମଦ ସିରାଜଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ । ହ୍ୟାରି ବ୍ରୁକ୍ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ । ସେ ୫୩ ରନ କରି ଆଉଟ ହୋଇଥିଲେ । ତାଙ୍କୁ ସିରାଜ କ୍ଲିନ୍ ବୋଲ୍ଡ କରିଥିଲେ।
ଗୋଟିଏ ସମୟରେ ଇଂଲଣ୍ଡ ମାତ୍ର ୩ ୱିକେଟ ହରାଇ ୧୭୫ ରନ କରିଥିଲା ଏବଂ ଦଳ ଏକ ବଡ଼ ସ୍କୋର ଆଡକୁ ଗତି କରୁଥିଲା । ଏହିଠାରୁ ସିରାଜ ଏବଂ କୃଷ୍ଣା ବୋଲିଂରେ ଏପରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଯେ, ଇଂଲଣ୍ଡ ପରବର୍ତ୍ତୀ ୭୨ ରନ ମଧ୍ୟରେ ବାକି ୭ ୱିକେଟ ହରାଇଥିଲା । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣା ପ୍ରତ୍ୟେକେ ୪ଟି ଏବଂ ଆକାଶଦୀପ ଗୋଟିଏ ୱିକେଟ ନେଇଥିଲେ ।