ନୂଆଦିଲ୍ଲୀ,୩୧ା୫(ଏଜେନ୍ସି): ଖୁବ୍‌ଶୀଘ୍ର ୟୁପିଆଇ ଏବଂ ଏଟିଏମ୍‌ରୁ ସିଧାସଳଖ ଟଙ୍କା ଉଠାଇପାରିବେ ଇପିଏଫ୍‌ଓ ଉପଭୋକ୍ତା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଏ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇପିଏଫ୍‌ଓ-୩.୦ର ବ୍ୟବସ୍ଥା ଅନୁସାରେ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ଏଟିଏମ୍‌ ଏବଂ ୟୁପିଆଇରୁ ସିଧାସଳଖ ପିଏଫ୍‌ ଟଙ୍କା ଉଠାଇବାର ସୁବିଧା ମିଳିବ । ଇପିଏଫ୍‌ଓ ୩.୦ ଅଧୀନରେ ପିଏଫ୍‌ ଖାତାଧାରୀଙ୍କୁ ଉଠାଣ କାର୍ଡ ପ୍ରଦାନ କରାଯିବ । ଏହା ସମ୍ପୂର୍ଣ୍ଣ ରୂପେ ବ୍ୟାଙ୍କ୍‌ ଏଟିଏମ୍‌ କାର୍ଡ ଭଳି ରହିବ । ନୂଆ ସୁବିଧା ଅନୁସାରେ, ଏକ ନିର୍ଦ୍ଧାରିତ ରାଶି ଧାର୍ଯ୍ୟ କରାଯିବ, ଯାହାକୁ ଉଠାଣ କରାଯାଇପାରିବ । ଏହାଦ୍ୱାରା କର୍ମଚାରୀ ଆପାତ କାଳରେ ତତ୍କାଳ ଟଙ୍କା ଉଠାଇପାରିବେ । ଏହାସହିତ ଅବସର ପରେ ବି ପର୍ଯ୍ୟାପ୍ତ ରାଶି ଆକାଉଣ୍ଟ୍‌ରେ ସୁନିଶ୍ଚିତ ରହିବ । 

କିପରି ହେବ ଉଠାଣ: ଏହି ନୂଆ ପ୍ରକ୍ରିୟାରେ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କୁ ଏକ ବିଶେଷ ଏଟିଏମ୍‌ କାର୍ଡ ଜାରି କରିବ, ଯାହା ୟୁଜରଙ୍କ ପିଏଫ୍‌ ଆକାଉଣ୍ଟ ସହ ଲିଙ୍କ୍‌ ହୋଇଥିବ । ଏହି କାର୍ଡର ବ୍ୟବହାର କରି ଇପିଏଫ୍‌ଓ ସଦସ୍ୟମାନେ ଏଟିଏମ୍‌ ମେଶିନ୍‌ରୁ ସିଧାସଳଖ ନିଜ ପିଏଫ୍‌ ଟଙ୍କା ଉଠାଇପାରିବେ । ସେହଭିଳି ୟୁପିଆଇରୁ ଟଙ୍କା ଉଠାଣ ପାଇଁ ୟୁଜରଙ୍କୁ ନିଜର ପିଏଫ୍‌ ଆକାଉଣ୍ଟ୍‌କୁ ୟୁପିଆଇ ସହ ଲିଙ୍କ୍‌ କରିବାକୁ ପଡ଼ିବ । ଏହା ପରେ ସେ ପିଏଫ୍‌ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟ୍‌କୁ ଟ୍ରାନ୍ସଫର କରିପାରିବେ । ପିଏଫ୍‌ ଉଠାଣ ନିୟମ ଅଧୀନରେ ଯଦି କୌଣସି ଉପଭୋକ୍ତାଙ୍କ ଚାକିରି ଚାଲିଯାଏ ତେବେ ସେ ମାସକ ପରେ ପିଏଫ୍‌ ଖାତାରୁ ୭୫% ଟଙ୍କା ଉଠାଇପାରିବେ । ଏହାଦ୍ୱାରା ସେ ବେରୋଜଗାର ସମୟରେ ନିଜ ଆବଶ୍ୟକତାକୁ ପୂରଣ କରିପାରିବେ । ଅବଶିଷ୍ଟ ୨୫% ଟଙ୍କାକୁ ଚାକିରି ଯିବାର ଦୁଇ ମାସ ପରେ ଉଠାଯାଇପାରିବେ । 

ୟୁପିଆଇ-ଏଟିଏମ୍‌ରୁ ପିଏଫ୍‌ ଉଠାଣ ଖୁବ୍‌ଶୀଘକର୍ମଚାରୀଙ୍କୁ ଯଦି କୌଣସି କମ୍ପାନିରେ କାର୍ଯ୍ୟ କରିବାରେ ୫ ବର୍ଷ ପୂରଣ ହୋଇଯାଇଥାଏ ଏବଂ ସେ ପିଏଫ୍‌ ଟଙ୍କା ଉଠାଉଛନ୍ତି ତେବେ ତାହା ଉପରେ ଆୟକର ବୋଝ ନ ଥାଏ । ୫ ବର୍ଷର ଅବଧି ଏକ୍‌ କିମ୍ବା ଅଧିକ କମ୍ପାନିଗୁଡ଼ିକୁ ମିଶାଇ ବି ହୋଇପାରେ । ଗୋଟିଏ କମ୍ପାନିରେ ୫ ବର୍ଷ ପୂରଣ କରିବାର ଆବଶ୍ୟକତା ନାହିଁ । ମୋଟ୍‌ ଅବଧି ଅନ୍ୟୁନ ୫ ବର୍ଷ ହୋଇଥିବା ଜରୁରୀ । ଯଦି କର୍ମଚାରୀ ଚାକିରିରେ ୫ ବର୍ଷ ପୂରଣ ହେବା ପୂର୍ବରୁ ପିଏଫ୍‌ ଖାତାରୁ ୫୦ ହଜାର ଟଙ୍କାରୁ ଅଧିକ ରାଶି ଉଠାଉଥାନ୍ତି ତେବେ ତାହା ଉପରେ ୧୦% ଟିଡିଏସ୍‌ ଦେବାକୁ ପଡ଼ିଥାଏ । ସେହିଭଳି ଯଦି ପାନ୍‌ କାର୍ଡ ନ ଥାଏ ତେବେ ୩୦% ଟିଡିଏସ୍‌ ଦେବାକୁ ପଡ଼ିବ । ତେବେ ଯଦି କର୍ମଚାରୀ ଫର୍ମ ୧୫ଜି/୧୫ଏଚ୍‌ ଦାଖଲ କରନ୍ତି ତେବେ କୌଣସି ଟିଡିଏସ୍‌ କଟାଯାଇ ନ ଥାଏ