ହାତ ଥରିବାକୁ ପ୍ରାୟତଃ ଥକ୍କାପଣ ବା ଷ୍ଟ୍ରେସ୍ର କାରଣ ବୋଲି ଧରି ନିଆଯାଏ । କିନ୍ତୁ ଜାଣନ୍ତି କି ଏହା ଭିଟାମିନ୍ ଓ ମିନେରାଲ୍ ଅଭାବର ମଧ୍ୟ ଲକ୍ଷଣ ହୋଇପାରେ । ହାତ ଥରିବାର ମୁଖ୍ୟ କାରଣ-
ଭିଟାମିନ୍, ମିନେରାଲ୍ସର ଅଭାବ: ଭିଟାମିନ୍-ବି୧୨, ଡି, ଇ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଓ ପୋଟାସିୟମ୍ ଅଭାବରୁ ହାତ ଥରିଥାଏ ।
ଥକ୍କାପଣ ଓ ଷ୍ଟ୍ରେସ୍: ନିଦର ଅଭାବ ଓ ମାନସିକ ଚାପରୁ ମଧ୍ୟ ହାତ ଥରିଥାଏ ।
ନିମ୍ନ ଶର୍କରାସ୍ତର: ମଧୁମେହ କିମ୍ବା ଦୀର୍ଘ ସମୟ ଯାଏ ଖାଲି ପେଟରେ ରହିବା ଦ୍ୱାରା ମଧ୍ୟ ହାତଗୋଡ ଥରିଥାଏ ।
ଥାଇରଏଡ୍ ସମସ୍ୟା: ହାଇପୋଥାଇରଏଡ୍ଜିମ୍ ରୋଗୀଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଦେଖା ଦେଇଥାଏ ।
ସ୍ନାୟୁ ବ୍ୟବସ୍ଥାରେ ଗଡ଼ବଡ଼: ସ୍ନାୟୁ ଦୁର୍ବଳ ହେଲେ କିମ୍ବା ନଷ୍ଟ ହେବା ଦ୍ୱାରା ମଧ୍ୟ ହାତ ଥରିବା ପରି ସମସ୍ୟା ଦେଖା ଦେଇଥାଏ । ଲକ୍ଷଣ ହାତ ଏବଂ ଆଙ୍ଗୁଳି ହାଲ୍କା କିମ୍ବା ଜୋର୍ ଥରିବା, ଦୁର୍ବଳତା ବା ଥକ୍କାପଣ ଜଲଦୀ ଅନୁଭବ ହେବା, ମାଂସପେଶୀରେ ଟାଣିଭିଡି ହେବା, ହାତପାଦ ଝିମ୍ଝିମ୍ ଲାଗିବା, ଧ୍ୟାନକେନ୍ଦ୍ରୀତ କରିବାରେ ସମସ୍ୟା ଓ ହୃଦ୍ସ୍ପନ୍ଦନ ତୀବ୍ର ହେବା ପରି ଲକ୍ଷଣମାନ ଦେଖିବାକୁ ମିଳିଥାଏ ।
କେଉଁ ଭିଟାମିନ୍ର ଅଭାବରୁ ହାତ ଥରେ?
ଭିଟାମିନ୍ ବି ୧୨: ଏହା ସ୍ନାୟୁକୁ ମଜଭୁତ କରିବା ସହ ମସ୍ତିଷ୍କ ପାଇଁ ଖୁବ୍ ଜରୁରି । ଏହାର ଅଭାବରେ ମାଂସପେଶୀ ଦୁର୍ବଳ ଲାଗିବା ସହ ହାତ ଥରିବା ପରି ସମସ୍ୟା ଦେଖା ଦେଇଥାଏ । ଉତ୍ସ: କ୍ଷୀର, ଦହି, ପନୀର୍, ଅଣ୍ଡା, ସୋୟା ଓ ଛତୁ ।
ଭିଟାମିନ୍ ଡି: ଏହା ମାଂସପେଶୀ ଓ ହାଡ଼କୁ ମଜଭୁତ କରିଥାଏ । ଏହାର ଅଭାବରୁ ମାଂସପେଶୀ ଦୁର୍ବଳ ଲାଗିବା ଓ ହାତ ଥରିବା ସମସ୍ୟା ଦେଖାଦେଇଥାଏ । ଉତ୍ସ: ସକାଳର ଖରା, ଅଣ୍ଡାର ହଳଦିଆ ଅଂଶ, ଛତୁ ଓ ଫର୍ଟିଫାଏଡ୍ ଖାଦ୍ୟ ।
ଭିଟାମିନ୍ ଇ: ଏହା ମାଂସପେଶୀ ଓ ସ୍ନାୟୁକୁ ସୁସ୍ଥ ରଖେ । ଏହାର ଅଭାବ ହେଲେ ସ୍ନାୟୁ ନଷ୍ଟ ହେବା ସହ ହାତ ଥରିଥାଏ ।
ଉତ୍ସ: ବାଦାମ, ଆଖରୋଟ୍, ପାଳଙ୍ଗ ଶାଗ, ମୂର୍ଯ୍ୟମୁଖୀ ମଞ୍ଜି ।
କ୍ୟାଲସିୟମ୍: ଏହା ମାଂସପେଶୀ ଓ ହାଡ଼କୁ ମଜଭୁତ କରିଥାଏ । କ୍ୟାଲସିୟମ୍ ଅଭାବରେ ହାତପାଦ ଦୁର୍ବଳ ଲାଗିବା ସହ ଥରିବା ପରି ସ୍ଥିତି ଉପୁଜିଥାଏ । ଉତ୍ସ: କ୍ଷୀର, ପନୀର, ରାଶି ଓ ପାଳଙ୍ଗ ।
ମ୍ୟାଗ୍ନେସିୟମ୍: ଏହା ଶରୀରର ସ୍ନାୟୁ ଓ ମାଂସପେଶୀକୁ ରିଲାକ୍ସ କରିଥାଏ । ଏହାର ଅଭାବରେ କ୍ରାମ୍ପ ହେବା ସହ ହାତ ଥରିଥାଏ । ଉତ୍ସ: କାଜୁ, ଆଲମଣ୍ଡ, ସବୁଜ ପତ୍ରଯୁକ୍ତ ପରିବା ଓ ଡାଲି ।
ପୋଟସିୟମ୍: ଏହା ସ୍ନାୟୁ ଓ ମାଂସପେଶୀର ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରେଲାଇଟ୍ । ଏହାର ଅଭାବରେ ମାଂସପେଶୀ ଦୁର୍ବଳ ଲାଗିବା ସହ ହାତ ଥରିଥାଏ ।
ଉତ୍ସ: କଦଳୀ, ନଡ଼ିଆ ପାଣି, ଆଳୁ ଓ ଡାଲି ହାତ ଥରିବା କେବଳ ଥକ୍କାପଣର ପରିଣାମ ନୁହେଁ । ବରଂ ପୋଷକ ତତ୍ତ୍ୱ ଅଭାବର ସଙ୍କେତ ମଧ୍ୟ । ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇ ନେବା ଉଚିତ୍ ।