ଭୁବନେଶ୍ୱର, ୧୫/୦୫: ରାଜ୍ୟରେ ଶୀଘ୍ର ଆସିବ ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ବା ଇଭି ପଲିସି । ସେହିପରି ସାରା ରାଜ୍ୟରେ ବିଦ୍ୟୁତ ଯାନର ଚାର୍ଜିଂ ପାଇଁ ବିଭିନ୍ନ  ସ୍ଥାନରେ ନିର୍ମାଣ ହେବ ଇଭି ଷ୍ଟେସନ । ରାଜ୍ୟରେ ଅକ୍ଷୟ ଶକ୍ତି ବ୍ୟବହାରକୁ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦିଆଯିବ । ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସବସିଡ଼ି  ଜରିଆରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା  ପ୍ରକ୍ରିୟାକୁ ସରଳ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ  ବର୍ଦ୍ଧନ ସିଂହଦେଓ କହିଛନ୍ତି । 

ବୁଧବାର ଲୋକସେବା  ଭବନ ସମ୍ମିଳନୀ କକ୍ଷରେ ସର୍ଭୋଟେକ ସଂସ୍ଥା ପକ୍ଷରୁ  ସୌରଚାଳିତ ବିଦ୍ୟୁତ ଉତ୍ପାଦନ ଏବଂ ରାଜ୍ୟରେ ଇଭି ଷ୍ଟେସନ ନିର୍ମାଣ ବିଷୟରେ ଏକ ଉପସ୍ଥାପନା ପ୍ରଦର୍ଶନ  କରାଯାଇଥିଲା । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ  କେଭି କହିଥିଲେ, ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମି ଖୁବ  ସୁଦୃଢ ଅଛି । ଦେଶର ପ୍ରମୁଖ ୧୦ଟି ବିଦ୍ୟୁତ ବଣ୍ଟନ  କମ୍ପାନୀ ମଧ୍ୟରେ ଓଡ଼ିଶାର ତିନୋଟି ବଣ୍ଟନ କମ୍ପାନୀ ସ୍ଥାନ ଅଧିକାର କରିଛନ୍ତି । ଏହା ବ୍ୟତୀତ ଓଡ଼ିଶାର ବିଦ୍ୟୁତ  ପରିଚାଳନା ମଡେଲ୍‌କୁ ଆପଣେଇବା ପାଇଁ ଉତ୍ତରପ୍ରଦେଶ  ଆଗ୍ରହ ପ୍ରକାଶ କରି ପ୍ରତିନିଧିଙ୍କୁ କ୍ଷେତ୍ର ପରିଦର୍ଶନରେ  ପଠାଇଥିଲେ । ତେବେ ବିକଶିତ ଓଡ଼ିଶା ଲକ୍ଷ୍ୟରେ  ଅଗ୍ରସର ହେବାକୁ ହେଲେ ପ୍ରଥମେ ଆମକୁ ସବୁଜ ଶକ୍ତି  ବା ଅକ୍ଷୟ ଶକ୍ତିର ବ୍ୟବହାର ବୃଦ୍ଧି କରିବାକୁ ହେବ ବୋଲି  ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଏହି ସମନ୍ୱିତ  ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ କୁମାର  ମିଶ୍ର, ଗ୍ରୀଡ୍‌କୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା,  ସର୍ଭୋଟେକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରମଣ  ଭାଟିଆ, ନୀତିନ ପେରେଇରା, ଶକ୍ତି ବିଭାଗ, ଗ୍ରୀଡକୋ ଓ  ଟାଟା ପାୱାର୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।