ଭୁବନେଶ୍ୱର ୧୬/୦୬: କୁକୁର ବି ଦେଖେ ସ୍ୱପ୍ନ । ଅନେକଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ବୈଜ୍ଞାନିକମାନେ ଏପରି ଦାବି କରିଛନ୍ତି । ବୈଜ୍ଞାନିକଙ୍କ ଅନୁସାରେ, କୁକୁର ବି ମଣିଷଙ୍କ ଭଳି ସ୍ୱପ୍ନ ଦେଖନ୍ତି । ସ୍ୱପ୍ନରେ ନିଜର ପ୍ରିୟ ଖାଦ୍ୟ ଖାଇବା, ଖେଳଣାରେ ଖେଳିବା, ଦୌଡ଼ିବା ଭଳି କାମ କରନ୍ତି । ଖାସ୍‌କରି ମାଲିକଙ୍କୁ ବି ସେମାନେ ସ୍ୱପ୍ନ ଦେଖନ୍ତି । ବୈଜ୍ଞାନିକଙ୍କ ଅନୁସାରେ, କୁକୁର ରାପିଡ୍‌ ଆଇ ମୁଭ୍‌ମେଣ୍ଟ ସ୍ଲିପ୍‌ ସମୟରେ ସ୍ୱପ୍ନ ଦେଖନ୍ତି । ଏହା ସେହି ପର୍ଯ୍ୟାୟ ଯେଉଁଥିରେ ମଣିଷ ବି ସ୍ୱପ୍ନ ଦେଖେ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଡିଡ୍ରେ ବ୍ୟାରେଟ୍‌ ଡିସ୍କଭରୀ ପତ୍ରିକାକୁ କହିଛନ୍ତି, ରାପିଡ୍‌ ଆଇ ମୁଭ୍‌ମେଣ୍ଟ୍‌ ନିଦ୍ରା ସମସ୍ତ ସ୍ତନ୍ୟପାୟୀ ପ୍ରଜାତିଙ୍କ ମଧ୍ୟରେ ଏକାଭଳି । ଏହାର ଅର୍ଥ ମୂଷାଠୁ ହାତୀ ଏବଂ କୁକୁରଠୁ ବିଲେଇ ପର୍ଯ୍ୟନ୍ତ ସମସ୍ତେ ସ୍ୱପ୍ନ ଦେଖିପାରନ୍ତି । ତେବେ ତିମି ଓ ଡଲ୍‌ଫିନ ଭଳି ପ୍ରଜାତି ନିଜର ଅଧା ମସ୍ତିଷ୍କକୁ ଜାଗ୍ରତ ରଖୁଥିବାରୁ ସ୍ୱପ୍ନ ଦେଖିପାରୁ ନ ଥିବେ । 

୨୦୦୧ରେ ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସ୍ନାୟୁବୈଜ୍ଞାନିକ ମାଥ୍ୟୁ ୱିଲସନ୍‌ ମୂଷାଙ୍କ ଉପରେ ଅଧ୍ୟୟନ କରିଥିଲେ । ଏକ ପ୍ରହେଳିକାରେ ଦୌଡୁଥିବାବେଳେ ମୂଷାଙ୍କ ମସ୍ତିଷ୍କର ଗତିବିଧିକୁ ସେମାନେ ଯାଞ୍ଚ୍‌ କଲେ । ମୂଷା ଶୋଇବା ପରେ ରାପିଡ୍‌ ଆଇ ମୁଭ୍‌ମେଣ୍ଟ୍‌କୁ ଯିବା ପରେ ସେମାନଙ୍କ ମସ୍ତିଷ୍କରେ ସେହି ପ୍ୟାଟର୍ନ ଦେଖାଗଲା, ଯାହା ପ୍ରହେଳିକାରେ ଦୌଡୁଥିବାବେଳେ ଥିଲା । ଅର୍ଥାତ୍‌ ମୂଷା ଜାଗ୍ରତ ସମୟର ନିଜ ଅନୁଭବକୁ ସ୍ୱପ୍ନରେ ଦୋହରାଉଥିଲେ । ବୈଜ୍ଞାନିକଙ୍କ ଅନୁସାରେ, ଏହି ପ୍ରକ୍ରିୟା ସ୍ମୃତିକୁ ମଜଭୁତ କରିବା ଓ ଶିଖିବାରେ ସାହାଯ୍ୟ କରେ । କୁକୁର ଆମକୁ ସ୍ୱପ୍ନ ବିଷୟରେ କହି ପାରିବେ ନାହିଁ । ଏଥିରେ ବୈଜ୍ଞାନିକମାନେ ଏକ ଥିଓରି ଉପରେ ଭରସା କରନ୍ତି । ଏହାକୁ କଣ୍ଟିନ୍ୟୁଟି ହାଇପୋଥେସିସ୍‌ କୁହାଯାଏ । ଅର୍ଥାତ୍‌ ଦିନମାନ ଯେଉଁ କଥାରେ ଆମ ଧ୍ୟାନ ଥାଏ, ତାହା ଆମେ ସ୍ୱପ୍ନରେ ଦେଖୁ । କୁକୁରଙ୍କ କ୍ଷେତ୍ରରେ ମଧ୍ୟ ସମାନ ହୁଏ ।