ଭୁବନେଶ୍ୱର ୨୪/୦୧ : ଆଜିକାଲି ପ୍ରାୟ ଲୋକ ଶରୀରର ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ଚାଲିବାକୁ ପସନ୍ଦ କରୁଛନ୍ତି । ଏହା ହୃଦୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ହୃଦୟକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ଶାରୀରିକ ସକ୍ରିୟତା ଜରୁରି । ସେମିତି ଦେଖିବାକୁ ଗଲେ ଚାଲିବା ସବୁଠାରୁ ସହଜ ଓ ପ୍ରଭାବଶାଳୀ ଶୈଳୀ, ଯାହା ବ୍ୟକ୍ତି ଯେକୌଣସି ବୟସରେ କରିପାରିବ । ଚାଲିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହେବା ସହ ହୃଦ୍ରୋଗ ଓ ରକ୍ତଚାପ ରିସ୍କ କମ୍ ରହିଥାଏ । ତଥାପି ଚାଲିବା ସମୟରେ କେତେକ ଖାସ୍ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଚାଲିବାର ଭରପୂର ଲାଭ ଉଠାଇବା ପାଇଁ କେତେକ ଖାସ୍ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଷ୍ଟ୍ରେଚିଂରୁ ଆରମ୍ଭ କରନ୍ତୁ :
ଚାଲିବା ପୂର୍ବରୁ କିଛି ସମୟ ହାଲ୍କା ଫୁଲ୍କା ଭାବେ ଶରୀରକୁ ଷ୍ଟ୍ରେଚିଂ କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ମାଂସପେଶୀର ନମନୀୟତା ବଢିବା ସହ ଶରୀର ଚାଲିବା ପାଇଁ ପ୍ରସ୍ତୁତ ହୋଇଥାଏ । ଫଳରେ କୌଣସି ଆଘାତ ଚାଲିବାର ଭୟ ରହି ନଥାଏ ।
ତୀବ୍ର ବେଗରେ ଚାଲନ୍ତୁ :
ହୃଦୟକୁ ସୁସ୍ଥ ରଖିବା ପାଇଁ ଚାଲିବା ସମୟରେ ଗତି ବଢାନ୍ତୁ । ଧୀମା ବେଗରେ ଚାଲିବା ଅପେକ୍ଷା ମଧ୍ୟମ ବା ଜୋର୍ରେ ଚାଲିବା ଅଧିକ ଲାଭଦାୟକ । ଏହା କ୍ୟାଲୋରୀ ବର୍ଣ୍ଣ କରିବା ସହ ହୃଦୟର ଗତିକୁ ବଢାଇଥାଏ ।
ଚାଲିବା ସମୟରେ ଉଚିତ୍ ଶୈଳୀ ବଜାୟ ରଖନ୍ତୁ :
ଚାଲିବା ସମୟରେ ପିଠିକୁ ସିଧା ରଖିବା ସହ ଶରୀରକୁ ଆରାମଦାୟକ ସ୍ଥିତିରେ ରଖନ୍ତୁ । ଯଦି ପିଠି ନଇଁ ରୁହେ, ତେବେ ହୃଦୟ ଉପରେ ଅତ୍ୟଧିକ ଚାପ ପଡିଥାଏ । ସେହିପରି ଉପଯୁକ୍ତ ଶୈଳୀରେ ନିଶ୍ୱାସପ୍ରଶ୍ୱାସ ନେବା ଦ୍ୱାରା ରକ୍ତ ସଞ୍ଚାଳନ ତୀବ୍ର ହୋଇଥାଏ ।
ଗଭୀର ଭାବେ ନିଶ୍ୱାସ-ପ୍ରଶ୍ୱାସ ନିଅନ୍ତୁ :
ଚାଲିବା ସମୟରେ ଗଭୀର ଓ ନିୟନ୍ତ୍ରିତ ଭାବେ ନିଶ୍ୱାସପ୍ରଶ୍ୱାସ ନେବା ଉଚିତ୍ । ଏପରି କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବଢିବା ସହ ଅମ୍ଲଜାନ ସ୍ତର ମଧ୍ୟ ବଢିଥାଏ ।
ହୃଦୟର ଗତି ଉପରେ ଦୃଷ୍ଟି ରଖନ୍ତୁ :
ନିଜ ହୃଦୟର ଗତିକୁ ଟ୍ରାକ୍ କରିବା ପାଇଁ ଫିଟନେସ୍ ବ୍ୟାଣ୍ଡ୍ କିମ୍ବା ସ୍ମାର୍ଟୱାଚ୍ ବ୍ୟବହାର କରନ୍ତୁ । ଫଳରେ ଚଲିବା ସମୟରେ ହୃଦୟର ଗତିକୁ ପରଖି ପାରିବେ ।
ପ୍ରାକୃତିକ ବାତାବରଣରେ ଚାଲନ୍ତୁ :
ଶୀତ ହେଉ ଅବା ଗରମ ଦିନେ ପ୍ରାକୃତିକ ବାତାବରଣରେ ଚାଲିବା ଦ୍ୱାରା ଅଧିକ ମାତ୍ରାରେ ମାନସିକ ଓ ଶାରୀରିକ ଶାନ୍ତି ମିଳିଥାଏ । ସବୁଜ ପରିବେଶରେ ଚାଲିବା ଦ୍ୱାରା ଚିନ୍ତା କମ୍ ହେବା ସହ ମାନସିକ ସ୍ୱାସ୍ଥ୍ୟ ସନ୍ତୁଳିତ ରହିଥାଏ ।
ଚାଲିବା ସମୟରେ ପାଣି ପିଅନ୍ତୁ :
ଚାଲିବା ସମୟରେ ପାଣି ପିଇବା ଜରୁରି । ଶରୀରରେ ପାଣିର ଅଭାବ ହେଲେ ରକ୍ତ ସଞ୍ଚାଳନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ତେଣୁ ଭରପୂର ମାତ୍ରାରେ ପାଣି ପିଇବାକୁ ପ୍ରୟାସ କରନ୍ତୁ ।