ନୂଆଦିଲ୍ଲୀ ୧୫/୧୨: ଆମେରିକୀୟ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପାଣିର ପ୍ରାଚୀନ ମାର୍ଗର ଏକ ନକ୍ସା ପ୍ରସ୍ତୁତ କରିଛନ୍ତି । ଏଥିରୁ ଜଣାପଡ଼ିଛି, ସେଠାରେ ଦିନେ ୧୬ ବଡ଼ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀଗୁଡ଼ିକର ଆକାର ଭାରତର ଗଙ୍ଗା ଓ ଆମାଜନ୍ ଭଳି ବିଶାଳ ଥିଲା । ୟୁନିଭର୍ସିଟି ଅଫ୍ ଟେକ୍ସାସ୍ର ଅଧ୍ୟୟନରୁ ଏ ବିଷୟରେ ଜଣାପଡ଼ିଛି । ମଙ୍ଗଳ ଗ୍ରହରେ ଜଳର ପ୍ରବାହ ଓ ନଦୀଗୁଡ଼ିକର ଚିହ୍ନ ମିଳିଛି । ଏଥିରୁ ଜଣାପଡ଼ିଛି, ୩୭୦ କୋଟି ବର୍ଷ ପୂର୍ବେ ମଙ୍ଗଳରେ ପ୍ରଚୁର ବର୍ଷା ହେଉଥିଲା । ବର୍ଷା ଜଳ ନଦୀ ରୂପେ ପ୍ରବାହିତ ହୋଇ ସମୁଦ୍ର ଓ ଝରଣାକୁ ଯାଉଥିଲା । ସେହି ମାଟି ଆଖପାଖରୁ ଜୀବନର ପ୍ରମାଣ ଏବେ ମିଳିପାରେ ବୋଲି ଆଶା କରାଯାଉଛି ।
ସଦ୍ୟ ଅଧ୍ୟୟନ ଅନୁସାରେ, ମଙ୍ଗଳ ଗ୍ରହ ସର୍ବଦା ଲାଲ୍ ଓ ମରୁଭୂମି ନ ଥିଲା । ସେଠାରେ ବି ପୃଥିବୀ ଭଳି ପାଣିର ପୂରା ପ୍ରଣାଳୀ ଥିଲା । ମଙ୍ଗଳ ଗ୍ରହକୁ ମାନବ ମିଶନ ଖୁବ୍ଶୀଘ୍ର ସଫଳ ହେବ । ମହାକାଶଚାରୀ ମଙ୍ଗଳ ପୃଷ୍ଠରୁ ନମୁନା ପୃଥିବୀକୁ ଆଣିବେ । ସେଗୁଡ଼ିକର ପରୀକ୍ଷାରୁ ଲାଲ୍ ଗ୍ରହର ଅତୀତକୁ ନେଇ ଥିବା ଅସଂଖ୍ୟ ରହସ୍ୟ ଉପରୁ ପରଦା ଉଠିବ । କେମିତି ଓ କେତେ ସମୟ ପର୍ଯ୍ୟନ୍ତ ଏ ଗ୍ରହରେ ପାଣି ଥିଲା, ସେ ବିଷୟରେ ଜଣାପଡ଼ିବ । ଏଠାରେ ତରଳ ଜଳକୁ ନେଇ ଥିବା ରହସ୍ୟ ଉପରେ ଅଧ୍ୟୟନକର୍ତ୍ତା ଫୋକସ୍ କରିବେ । କେଉଁ ପ୍ରକାର ଜଳବାୟୁ ଯୋଗୁ ମଙ୍ଗଳ ଗ୍ରହ ବର୍ତ୍ତମାନ ସ୍ଥିତିରେ ପହଞ୍ଚିଛି ଏବଂ ସେଠାରେ ଜୀବଜଗତ ଥିଲା କି ନାହିଁ, ବୈଜ୍ଞାନିକମାନେ ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବେ । ଅନେକ ବୈଜ୍ଞାନିକଙ୍କ ଧାରଣା ଯେ ମଙ୍ଗଳ ଗ୍ରହକୁ ମଣିଷ ନ ଯିବା ଯାଏ ଏବଂ ଉପଯୁକ୍ତ ନମୁନା ସଂଗ୍ରହ କରି ପୃଥିବୀକୁ ନ ଆଣିବା ପର୍ଯ୍ୟନ୍ତ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଅସମ୍ଭବ ।