ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ସ୍ପିନର ଏଲ.ଶିବରାମକୃଷ୍ଣନ ଗତ କିଛି ଦିନରୁ ବିସିସିଆଇ ଉପରେ ଲଗାତାର ଅଭିଯୋଗ କରି ଆସୁଛନ୍ତି। ଏବେ ସେ ଏକ ଆଶ୍ଚର୍ଯ୍ୟକର ଦାବି କରିଛନ୍ତି। ତାଙ୍କର କହିବାନୁସାରେ, କିଛି ବର୍ଷ ପୂର୍ବେ ନିଜର ବଡ଼ ଭାଇଙ୍କ ଅନ୍ତିମ ସଂସ୍କାରର କିଛି ସମୟ ପରେ ଜଣେ ବିସିସିଆଇ ଅଧିକାରୀ ତାଙ୍କୁ ଫୋନ୍ କରି କାମକୁ ଫେରିବା କଥା କହି ଥିଲେ।
ପୂର୍ବତନ କ୍ରିକେଟର ସୋସିଆଲ ମିଡିଆ ମାଧ୍ୟମରେ ଗତ କିଛି ଦିନରେ ବିସିସିଆଇ ଉପରେ ପକ୍ଷପାତିତା ଓ ତାଙ୍କୁ ବାଧ୍ୟ କରାଯିବାର ଅଭିଯୋଗ କରିଥିଲେ। ସେ ଏହା ପୂର୍ବରୁ ବର୍ଣ୍ଣ ବୈଷମ୍ୟବାଦର ଗମ୍ଭୀର ଅଭିଯୋଗ ଆଣିଥିଲେ ଏବଂ ଏବେ ଏମିତି କିଛି କହି ଦେଇଛନ୍ତି , ଯାହାକୁ ଶୁଣି କେହି ବି ବିଚାର କରିବ। ଶିବରାମାକୃଷ୍ଣନଙ୍କ କହିବାନୁସାରେ , ବଡ଼ ଭାଇଙ୍କର ଅନ୍ତିମ ସଂସ୍କାରର ତତକ୍ଷଣାତ୍ ତାଙ୍କୁ ବିସିସିଆଇ ପକ୍ଷରୁ ଫୋନ କରି ପଚରା ଗଲା ଯେ,ସବୁ ରୀତିନୀତି ଶେଷ ହୋଇଗଲା , ଏବେ ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍ ପାଇଁ କମେଣ୍ଟ୍ରି ପ୍ୟାନେଲରେ ଯୋଗ ଦିଅନ୍ତୁ।
ଶିବରାମକୃଷ୍ଣନ ଏକ୍ସରେ ପୋଷ୍ଟ କରି ଥିଲେ, ମୋ ବଡ଼ ଭାଇଙ୍କର କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇ ଥିଲା। ଆମେ ସନ୍ଧ୍ୟାକୁ ଅନ୍ତିମ ସଂସ୍କାର କଲୁ, ଏହାର କିଛି ମିନିଟ ପରେ ବିସିସିଆଇର ଡାଇରେକ୍ଟର ବ୍ରଡକାଷ୍ଟିଂ ମୋତେ ଫୋନ୍ କରି କହିଲେ, ଏବେ ଅନ୍ତିମ ସଂସ୍କାର ତ ସରି ଯାଇଛି ,ଆପଣ ସକାଳ ଫ୍ଲାଇଟ୍ ନେଇ ମୋହାଲିରେ ଭାରତ – ଅଷ୍ଟ୍ରେଲିଆ ଟେଷ୍ଟର କମେଣ୍ଟ୍ରି କରି ପାରିବେ ? ମୁଁ ଗଲି।
ଚଳିତ ବର୍ଷର ଆରମ୍ଭରେ ଶିବରାମକୃଷ୍ଣନ କମେଣ୍ଟ୍ରିରୁ ଅବସର ନେବାର ଘୋଷଣା କରିଥିଲେ। ସେ ସୁଯୋଗର ଅଭାବ ଦର୍ଶାଇ କହିଥିଲେ ଯେ, ସେ ଜାତିଭେଦର ଶିକାର ହୋଇଛନ୍ତି। ଆଉ ଏକ ପୋଷ୍ଟରେ , ଯେବେ ଜଣେ ୟୁଜର ତାଙ୍କୁ ସେହି ସମୟର ବିସିସିଆଇ ଅଧିକାରୀଙ୍କ ପରିଚୟ ପଚାରିଲେ , ତ ଶିବରାମକୃଷ୍ଣନ ଲେଖିଥିଲେ , ଯିଏ ଏବେ ଅଛନ୍ତି । ସେହି ବ୍ୟକ୍ତି ଯାହାଙ୍କ ପାଇଁ ମୁଁ ସନ୍ନ୍ୟାସ ନେଲି।
ଶିବରାମକୃଷ୍ଣନ ୧୯୮୩ରୁ ୧୯୮୭ ମଧ୍ୟରେ ୯ଟି ଟେଷ୍ଟ ଓ ୧୬ଟି ୱାନଡେ ଖେଳିଛନ୍ତି। ଯେଉଁଥିରେ ମୋଟ ୪୧ଟି ୱିକେଟ୍ ନେଇଛନ୍ତି । ପରେ ସେ କମେଣ୍ଟ୍ରି ଆଡକୁ ଢଳି ଥିଲେ ଏବଂ ପୂର୍ବରୁ ମଧ୍ୟ ସେ କହିଥିଲେ ଯେ, ସେ ସାରା ଜୀବନ ଜାତିଭେଦର ସମ୍ମୁଖୀନ ହୋଇଛନ୍ତି ଏବଂ ଏବେ ଏଥିରେ ଅଭ୍ୟସ୍ତ ହୋଇ ଗଲେଣି।
ଆହୁରି ମଧ୍ୟ ପଢନ୍ତୁ : Arshdeep/Prince: 'ମୋତେ ଆଉ ଭାଇ ଡାକିବନି'; ଲକ୍ଷ୍ନୌର ପ୍ରିନ୍ସଙ୍କୁ କାହିଁକି ଏମିତି କହିଲେ ଅର୍ଶଦୀପ ?