ଆଜି ଯେଉଁ ଭାରତ ଆମେ ଦେଖୁଛେ ତାହା ରାଓଙ୍କ ଦୂରଦର୍ଶୀ  ନୀତିର ପରିଣାମ । ନିକଟ  ଅତୀତରେ ଭାରତର ବିଦେଶୀ ବିନିମୟ ମୁଦ୍ରା ଭଣ୍ଡାର ୬୩୦ଶହ କୋଟି ଆମେରିକୀୟ ଡଲାରକୁ  ଛୁଇଁଛି । ବିଶ୍ୱର ସର୍ବବୃହତ ବହୁରାଷ୍ଟ୍ରୀୟ କମ୍ପାନୀର ନେତୃତ୍ୱ ଭାରତୀୟମାନେ ନେଇପାରିଛନ୍ତି । ଖାସ୍‌ ଏଥିପାଇଁ ଏହି ଲେଖକ ତାଙ୍କୁ  ‘ଦି ପ୍ରଫେଟ୍‌ ଅଫ୍‌ ବୁମ୍‌’ ବୋଲି ଅଭିହିତ କରିଥିଲା ।

ଗତ ମାସରେ ଡ. ମନମୋହନ ସିଂ ଇହଲୀଳା  ସମ୍ବରଣ କଲେ । ତାଙ୍କର ତିରୋଧାନରେ ଦେଶ  ବିଶେଷ ଭାବେ ବ୍ୟଥିତ ହେଲା । ତାଙ୍କ ସ୍ମୃତି ପ୍ରତି ଦେଶର  କୋଣ ଅନୁକୋଣରୁ ଶ୍ରଦ୍ଧାଞ୍ଜଳି ଅଜାଡ଼ି ହୋଇପଡ଼ିଲା ।  ଅନେକେ ଆଲେଖ୍ୟ ଜରିଆରେ ତାଙ୍କପ୍ରତି ଶ୍ରଦ୍ଧା ସମ୍ମାନ  ବ୍ୟକ୍ତ କଲେ । ଡ. ସିଂଙ୍କ ନେତୃତ୍ୱ ଏବଂ ବିଚକ୍ଷଣ  ବୁଦ୍ଧିମତ୍ତାକୁ ବି ଭୂରି ଭୂରି ପ୍ରଶଂସା କଲେ । ସେ ୧୯୯୧ରେ  ଦେଶର ଅର୍ଥନୀତିକୁ ମୁକୁଳା କରିଦେବାରୁ ଭାରତ କିପରି  ବିଶ୍ୱର ଅନ୍ୟ ଦେଶ ସହ ସ୍ପର୍ଦ୍ଧା କରିପାରିବାର ଆତ୍ମବିଶ୍ୱାସ  ଫେରିପାଇଥିଲା ତା’ର ବିଶଦ ଆଲୋଚନା କରିବାକୁ ବି ଦେଶବାସୀ ଭୁଲିଯାଇନଥିଲେ । 

ଯେତେବେଳେ ଡ. ସିଂଙ୍କ ବୌଦ୍ଧିକ ଶକ୍ତି ଏବଂ  ସଫଳତାକୁ ନେଇ ଦଳମତ ନିର୍ବିଶେଷରେ ପ୍ରଶଂସା  ଅଜାଡ଼ି ହୋଇପଡୁଥିଲା ଏବଂ ତାଙ୍କର ଆବର୍ତ୍ତମାନରେ  ଦେଶରେ ଶୋକର ମାହୋଲ ସୃଷ୍ଟି ହୋଇଥିଲା, ସେହି  ପରିବେଶକୁ ବିଗାଡ଼ି ଦେବାକୁ ଶ୍ରେୟ ମଣିଥିଲେ ନେହରୁ-ଗାନ୍ଧି ପରିବାର । ସେମାନେ ଡ. ସିଂଙ୍କ ଅନ୍ତ୍ୟେଷ୍ଟିକ୍ରିୟାକୁ  ଆଳ କରି ବିବାଦ ଠିଆ କରାଇଦେଲେ । 

ଭାରତ ସରକାରଙ୍କ ଦ୍ୱାରା ଦିଲ୍ଲୀର  ନିଗମବୋଧ ଘାଟରେ ଡ. ସିଂଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିଲା । ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ତାଙ୍କ ଭାଇ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ।  ପ୍ରିୟଙ୍କା କହିଲେ ଡ. ସିଂଙ୍କ ଶେଷକୃତ୍ୟ ଲାଗି  ଉପଯୁକ୍ତ ସ୍ଥାନ ନଦେଇ ମୋଦି ସରକାର ‘ଛୋଟପଣିଆ’ର ପରିଚୟ ଦେଇଛନ୍ତି । ‘ପ୍ରଧାନମନ୍ତ୍ରୀ ପଦ ମର୍ଯ୍ୟାଦା ପ୍ରତି ଏହା ନ୍ୟାୟୋଚିତ  ହୋଇନାହିଁ’ । ରାହୁଲ ଗାନ୍ଧି କହିଲେ ନିଗମବୋଧ ଘାଟରେ  ଶେଷକୃତ୍ୟ କରାଇ ସରକାର ଡ. ସିଂଙ୍କୁ ‘ପୂରାପୂରି  ଅପମାନ’ ଦେଇଛନ୍ତି । ରାହୁଲ ଯୁକ୍ତି ବାଢ଼ିଥିଲେ ଯେ ଡ.  ସିଂ ଆଧୁନିକ ଭାରତ ଏବଂ ଏହାର ଉଦାରୀକରଣ ନୀତିର  ନିର୍ମାତା । ଏପର୍ଯ୍ୟନ୍ତ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର  ଶେଷକୃତ୍ୟ ‘ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବିଶେଷ  ସ୍ଥଳରେ ହିଁ ହୋଇଛି’ । ପରିତାପର ବିଷୟ ହେଲା, ଡ.  ସିଂଙ୍କ ସ୍ମୃତିସ୍ଥଳ ଲାଗି ସରକାର ଉପଯୁକ୍ତ ସ୍ଥାନ ଯୋଗାଇ ଦେବାକୁ ପ୍ରଯତ୍ନ କରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ  ଶାହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଆଶ୍ୱସ୍ତ  କରିସାରିବା ପରେ ନେହରୁ-ଗାନ୍ଧି ପରିବାର ପକ୍ଷରୁ  ଏସବୁ ବୟାନବାଜି ଚାଲିଥିଲା । 

ପ୍ରିୟଙ୍କା ଭଦ୍ରା ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟାକୁ  ନିରୀକ୍ଷଣ କଲେ ଭାବିବାକୁ ପଡ଼େ ଯେ ‘ଅସାଧୁପଣିଆର  କିଛି ସୀମା ସରହଦ ଅଛି ନା ନାହିଁ?’ ପୂର୍ବତନ  ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ୨୦୦୪ ଡିସେମ୍ବର  ମାସରେ ପରଲୋକ ଗମନ କଲେ । ସେହି ସମୟରେ  ଯଦିଓ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ, ମାତ୍ର  ସରକାରଙ୍କ ଡୋରି ଥିଲା ସୋନିଆ ଗାନ୍ଧିଙ୍କ ହାତମୁଠାରେ ।  ସେତେବେଳେ ପ୍ରଥମ ନିଷ୍ପତ୍ତି ନିଆଯାଇଥିଲା ରାଓଙ୍କ ଶେଷକୃତ୍ୟ ଦିଲ୍ଲୀରେ ନକରାଇ ଦେବାକୁ । ହାଇଦ୍ରାବାଦରେ  ହିଁ ଶେଷକୃତ୍ୟ ହେବ ଏବଂ ରାଓଙ୍କ ମରଶରୀରକୁ  ସେଠାକୁ ବିମାନ ଯୋଗେ ପଠାଯିବାର ସୁବନ୍ଦୋବସ୍ତ  କରାଯାଉଛି ବୋଲି ପରିବାରବର୍ଗଙ୍କୁ ସୁନିଶ୍ଚିତ କରିବାର  ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ପ୍ରଥମତଃ, ଆନ୍ଧ୍ରପ୍ରଦେଶ  ମୁଖ୍ୟମନ୍ତ୍ରୀ ୱାଇ.ଏସ. ରାଜଶେଖର ରେଡ୍ଡୀଙ୍କ ଜରିଆରେ  ହାଇଦ୍ରାବାଦରେ ‘ଏକ ବଡ଼ଧରଣର ଶେଷକୃତ୍ୟ’ କରିବା  ପ୍ରସ୍ତାବ ସାମନାକୁ ଅଣାଗଲା । ରାଓଙ୍କ ମରଶରୀରକୁ ଆନ୍ଧ୍ର  ଆଣିବା ସପକ୍ଷରେ ମାହୋଲ ସୃଷ୍ଟି କରାଇବା କାମରେ  ରେଡ୍ଡୀ ଏବଂ ଦଳର ଅନ୍ୟ ତୁଙ୍ଗ ନେତାମାନଙ୍କୁ ନିୟୋଜିତ  କରାଗଲା । ହାଇଦ୍ରାବାଦରେ ହିଁ ଶେଷକୃତ୍ୟ ହେବ ବୋଲି ପରିବାର ଲୋକ ରାଜିହେବା ପାଇଁ ସେମାନେ ପରୋକ୍ଷରେ  ବାଧ୍ୟ କରାଇଥିଲେ । 

କେବଳ ଶେଷକୃତ୍ୟକୁ ନେଇ ନୁହେଁ, ସୋନିଆ  ଗାନ୍ଧି ଏବଂ ତାଙ୍କ ପରିବାର ରାଓଙ୍କୁ ଲାଞ୍ôଛତ କରିବାର  ଅବଶିଷ୍ଟ ମଉକା ବି ହାତଛଡ଼ା କରିନଥିଲେ । ରାଓଙ୍କ  ମରଶରୀରକୁ ଦିଲ୍ଲୀ ଆକବର ରୋଡ୍‌ ସ୍ଥିତ କଂଗ୍ରେସ  ପାର୍ଟି ମୁଖ୍ୟ କାର୍ଯ୍ୟାଳୟ ପରିସରକୁ ପଶିବାକୁ ଅନୁମତି ଦିଆଯାଇନଥିଲା । ଏଠାରେ ମନେପକାଇ ଦିଆଯାଇପାରେ  ଯେ ପି. ଭି. ନରସିଂହ ରାଓ ୧୯୯୧ରୁ ୧୯୯୬ ଯାଏଁ  ପାଞ୍ଚବର୍ଷ କଂଗ୍ରେସ ପାର୍ଟିର ଜାତୀୟ ଅଧ୍ୟକ୍ଷ ଥିଲେ । ଦଳର  ପୂର୍ବତନ ଅଧ୍ୟକ୍ଷଙ୍କ ଶବ ଶୋଭାଯାତ୍ରା କଂଗ୍ରେସ ମୁଖ୍ୟ  କାର୍ଯ୍ୟାଳୟ ନିକଟବର୍ତ୍ତୀ ହେବା ବେଳକୁ ସେପଟୁ ସୁରକ୍ଷା  କର୍ମୀମାନଙ୍କୁ କାର୍ଯ୍ୟାଳୟ ଫାଟକ ବନ୍ଦ କରିବେବାକୁ  ଆଗୁଆ ନିର୍ଦ୍ଦେଶ ଦିଆଯାଇ ସାରିଥିଲା । ଏଣୁ ରାଓଙ୍କ  ମରଶରୀରକୁ ରାସ୍ତାପାଶ୍ୱର୍ ଫୁଟପାଥ୍‌ରେ ହିଁ ରଖିବାକୁ  ପଡ଼ିଥିଲା । ଦଳର ପୂର୍ବତନ ଅଧ୍ୟକ୍ଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ  କରିବା ଲାଗି ଦଳୀୟ କର୍ମକର୍ତ୍ତା, କର୍ମୀମାନଙ୍କୁ ଏକଜୁଟ୍‌  କରାଇବାର ସାମାନ୍ୟତମ ପ୍ରୟାସ ମଧ୍ୟ ହୋଇନଥିଲା । 

ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିର  ଚିହ୍ନବର୍ଣ୍ଣ ଦେଶର ରାଜଧାନୀରେ ନରହୁ ବୋଲି  ନେହରୁ-ଗାନ୍ଧିମାନେ ଚାହୁଁଥିଲେ ଏବଂ ତାହା ପୂରଣ  କରିବାକୁ ସବୁପ୍ରକାର ପଦକ୍ଷେପ ମଧ୍ୟ ନେଇଥିଲେ । ଏଥିରୁ ବୁଝାପଡୁଛି ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧି ଆରୋପ  ଲଗାଇବା ପଛର ଅଭିସନ୍ଧି କ’ଣ ହୋଇପାରେ! ରାଓଙ୍କ  ଘଟଣାରେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ  କେତେ ନାଚାର ଥିଲେ ତାହା ସ୍ପଷ୍ଟ କରିଥିଲା । ଡ. ସିଂ  ଘଟଣାରେ ହସ୍ତକ୍ଷେପ କରି ନିଜର ଦିଗ୍‌ଦର୍ଶକଙ୍କ ପାଇଁ  ରାଜଧାନୀରେ ସମ୍ମାନଜନକ ଶେଷକୃତ୍ୟ କରାଇବାର  ବନ୍ଦୋବସ୍ତ କରିବାକୁ ସାହସ ଜୁଟାଇ ପାରିନଥିଲେ ।  ତେବେ ନେହରୁ-ଗାନ୍ଧି ପରିବାର ଏହି ଦୁଷ୍ଟାମିକୁ ଅକାମି  କରିଦେବାର ଶ୍ରେୟ ମୋଦି ସରକାରଙ୍କୁ ଦେବାକୁ ହେବ ।  ମୋଦି ସରକାର ଏକତା ସ୍ଥଳରେ ରାଓଙ୍କ ସ୍ମୃତିପୀଠ  ସ୍ଥାପନ କରିଥିବାବେଳେ ତାଙ୍କୁ ମରଣୋତ୍ତର ଭାବେ  ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ  ରତ୍ନ’ରେ ସମ୍ମାନିତ କରିଛନ୍ତି । 

ନବେ ଦଶନ୍ଧିର ଦେଶର ଆର୍ଥିକ ଅଭ୍ୟୁତ୍‌ଥାନର  ଶ୍ରେୟ ନେହୁର-ଗାନ୍ଧି ପରିବାର ଡ. ମନମୋହନ ସିଂଙ୍କୁ  ଦେଉଥିବାବେଳେ ଦେଶର ଲକ୍ଷ ଲକ୍ଷ ଏହି ଆର୍ଥିକ  ପୁନର୍ଜାଗରଣ ଲାଗି ରାଓଙ୍କ ଅତୁଳନୀୟ ଅବଦାନକୁ  ସ୍ୱୀକାର କରନ୍ତି । ୧୯୯୧ ଜୁନ୍‌ରେ ଯେତେବେଳେ  ରାଓ ଦେଶର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ  ଭାରତ ସରକାର ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ ସୁନା ବନ୍ଧକ  ରଖି ଆଣିଥିଲେ ମାତ୍ର ୨୦୦ ନିୟୁତ ଆମେରିକୀୟ  ଡଲାର । ପେଟ୍ରୋଲ କିଣିବା ପାଇଁ ଭାରତ ପାଖରେ  ସେତେେବେଳେ ଯଥେଷ୍ଟ ବିଦେଶୀ ବିନିମୟ ମୁଦ୍ରା ଗଚ୍ଛିତ  ନଥିଲା । ତେବେ ରାଓ ୧୧୯୬ ମେ’ରେ ଅଫିସ୍‌ ଛାଡ଼ିବା  ବେଳକୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୫୦ଶହ  କୋଟି ଆମେରିକୀୟ ଡଲାର ଛୁଇଁସାରିଥିଲା । ୨୦୦୪ରେ  କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର କ୍ଷମତାକୁ  ଫେରିବାବେଳକୁ ଏହାର ପରିମାଣରେ ଜବରଦସ୍ତ ଅଭିବୃଦ୍ଧି ହୋଇ ୧୪୬ଶହ କୋଟି ଡଲାରକୁ ଛୁଇଁଥିଲା ।  ଦୁର୍ଭାଗ୍ୟ ଯେ, କେନ୍ଦ୍ରରେ କଂଗ୍ରେସ ମେଣ୍ଟ ସରକାର ଗଠନ  ବେଳକୁ ନରସିଂହ ରାଓ ଇହଧାମ ଛାଡ଼ି ଚାଲିଯାଇଥିଲେ ।  

ପି. ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ  ଅନେକ ସଫଳତା ମଧ୍ୟରେ ଉପରୋକ୍ତ ଆର୍ଥିକ ସଫଳତା  ଅନ୍ୟତମ । ଜଣେ ଅତି ବିଜ୍ଞ ତଥା ବାସ୍ତବବାଦୀ ବ୍ୟକ୍ତିତ୍ୱ  ଥିଲେ ରାଓ । ସେ ଅତି ଚତୁରତାର ସହ ଦେଶକୁ  ‘ନେହରୁବିୟାନ୍‌ ସୋସାଆଲିଜମ୍‌’ ପଞ୍ଝାରୁ ବାହାର  କରି ଆଣିପାରିଥିଲେ । କହିବା ବାହୁଲ୍ୟ ଯେ, ନେହରୁ  ଏବଂ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଅନୁସୃତ ସମାଜବାଦ  ନୀତି ଭାରତକୁ ଏକପ୍ରକାର ମାଗିଖିଆ ଅବସ୍ଥାକୁ  ଟାଣିନେଇଥିଲା । ଭାରତୀୟ ଲୋକଙ୍କ ଔଦ୍ୟୋଗିକୀ  ଦକ୍ଷତାକୁ ଦଳିମକଚି ଦେବା ସହିତ ଘରୋଇ ଉଦ୍ୟୋଗର  ଏକପ୍ରକାର ସମୂଳ ଉତ୍ପାଟନ ହୋଇସାରିଥିଲା । ପ୍ରତ୍ୟେକ  ଉଦ୍ୟୋଗୀଙ୍କୁ ଲାଗୁଥିଲା ତାଙ୍କ ହାତ ପଛପଟେ ବାନ୍ଧି  ଦିଆଯାଇଛି । ନେହରୁଙ୍କ ସମାଜବାଦ ନୀତି କାରଣରୁ  ପ୍ରତ୍ୟେକ ଭାରତୀୟ ମନେକରୁଥିଲେ ଆମ ସରକାର ହିଁ  ଆମର ‘ମାୟି-ବାପ୍‌’ (ମାଆ ବାପା) । ସ୍ଥିତି ଏମିତି ଥିଲା  ଯେ, ସରକାର ହିଁ ସବୁକିଛି ଉତ୍ପାଦନ କରୁଥିଲେ, ତାହା  କଣ୍ଡୋମଟିଏ ହେଉ ଅବା ଉଡ଼ାଜାହଜ! 

ଏପରି ସ୍ଥିତିରେ ଭାରତୀୟ ବଜାରକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଲାଗି ମୁକୁଳା କରିବାକୁ ହେବ  ବୋଲି ରାଓ ବୁଝିପାରିଥିଲେ । ସେ ଉଦ୍ୟୋଗୀମାନଙ୍କୁ  ଖୋଲା ଛାଡ଼ିଦେଲେ । ସେମାନଙ୍କର ମନକୁ ବି ମୁକ୍ତ  କରିଦେଲେ ଏବଂ ଭାରତୀୟମାନଙ୍କୁ ବାହାରକୁ ବାହାରିବା  ପାଇଁ ପ୍ରୋତ୍ସାହିତ କଲେ³ ବଡ଼ ବଡ଼ ସ୍ୱପ୍ନ ଦେଖିବାକୁ  ପ୍ରେରଣା ଭରିଦେଲେ । ସେ ଜାଣିଥିଲେ ଯେ ତାଙ୍କ ନିଷ୍ପତ୍ତି  କଂଗ୍ରେସର ସମାଜବାଦୀ ନୀତିର ବ୍ୟତିକ୍ରମ, ଏଥିପାଇଁ  ତାଙ୍କୁ ଦଳ ଭିତରେ ଏବଂ ବାହାରେ କଡ଼ା ସମାଲୋଚନା,  ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ସେ ‘ଲୁହା  ଗୋଳା ଚୋବାଇବାକୁ’ ବି ପ୍ରସ୍ତୁତ ହୋଇଯାଇଥିଲେ । ଜଣେ  ବିଜ୍ଞ ଅର୍ଥନୀତିଜ୍ଞଙ୍କୁ ତାଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ  ଦାୟିତ୍ୱ ଦେବାକୁ ଚାହିଁଥିଲେ, ଯଦ୍ୱାରା ତାଙ୍କ ପରିକଳ୍ପନାର  ସଫଳ ରୂପାୟନ ହୋଇପାରିବ । ଏହି ପଦ ଲାଗି ଆଇ.  ଜି. ପଟେଲ ଥିଲେ ତାଙ୍କର ପ୍ରଥମ ପସନ୍ଦ । ମାତ୍ର ସେ  ମନା କରିବାରୁ ଡ. ମନମୋହନ ସିଂଙ୍କ ପାଳି ପଡ଼ିଥିଲା । ୟୁନିଭର୍ସିଟି ଗ୍ରାଣ୍ଟ କମିଶନର ଅଧ୍ୟକ୍ଷ ପଦରେ ଥିବା ଡ. ସିଂ ରାଓଙ୍କ ଯୋଜନା କାର୍ଯ୍ୟକାରୀ କରିବାର ଉପଯୁକ୍ତ ମାଧ୍ୟମ  ପାଲଟି ଯାଇଥିଲେ । ଡ. ସିଂଙ୍କୁ ରାଓ ଭରସା ଦେଇଥିଲେ  ଯେ, ସେ ସର୍ବଦା ସବୁ ପରିସ୍ଥିତିରେ ତାଙ୍କ ପଛରେ ଅଛନ୍ତି,  ରହିବେ । ଡ. ସିଂଙ୍କ ପାଇଁ ସେତେବେଳେ ରାଜନୀତି  ଥିଲା ସମ୍ପୂର୍ଣ୍ଣ ନୂଆ ଇଲାକା । ତାଙ୍କ ଉପରେ ଦଳର ସମାଜବାଦୀ ଗୋଷ୍ଠୀ ଏବଂ ବାମପନ୍ଥୀମାନଙ୍କ ତରଫରୁ  ବାରମ୍ବାର ଆଘାତ ପଡ଼ୁଥିଲା । ସଂସଦ ଭିତରେ ମଧ୍ୟ ଡ.  ସିଂଙ୍କ ପଦକ୍ଷେପ ପ୍ରତିବାଦରେ ଏକପ୍ରକାର ବୋମା ମାଡ଼  କରାଯାଉଥିଲା । ମାତ୍ର ନରସିଂହ ରାଓ ତାଙ୍କୁ ‘ବଜ୍ର କବଚ’  ପିନ୍ଧାଇ ଦେଇଥିଲେ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି  ମଧ୍ୟରେ ବି ତାଙ୍କୁ ଅର୍ଥମନ୍ତ୍ରୀ ଭାବେ ୫ବର୍ଷ କାର୍ଯ୍ୟ କରିବାର  ପୂରା ସୁଯୋଗ ଦେଇଥିଲେ । କହିବା ବାହୁଲ୍ୟ, ଡ. ସିଂଙ୍କୁ  ଅର୍ଥମନ୍ତ୍ରୀ ଭାବେ ଯଦି ରାଓ ମନୋନୀତ କରିନଥାନ୍ତେ,  ତାଙ୍କୁ ସୁରକ୍ଷା ଦେଇନଥାନ୍ତେ ତେବେ ଡ. ସିଂଙ୍କ ଦ୍ୱାରା  ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ  ଆଗେଇ ନେବା କେବେହେଁ ସମ୍ଭବ ହୋଇନଥାନ୍ତା । 

ଆଜି ଯେଉଁ ଭାରତ ଆମେ ଦେଖୁଛେ ତାହା ରାଓଙ୍କ  ଦୂରଦର୍ଶୀ ନୀତିର ପରିଣାମ । ନିକଟ ଅତୀତରେ ଭାରତର  ବିଦେଶୀ ବିନିମୟ ମୁଦ୍ରା ଭଣ୍ଡାର ୬୩୦ଶହ କୋଟି  ଆମେରିକୀୟ ଡଲାରକୁ ଛୁଇଁଛି । ବିଶ୍ୱର ସର୍ବବୃହତ  ବହୁରାଷ୍ଟ୍ରୀୟ କମ୍ପାନୀର ନେତୃତ୍ୱ ଭାରତୀୟମାନେ  ନେଇପାରିଛନ୍ତି । ଖାସ୍‌ ଏଥିପାଇଁ ଏହି ଲେଖକ ତାଙ୍କୁ ‘ଦି  ପ୍ରଫେଟ୍‌ ଅଫ୍‌ ବୁମ୍‌’ (ଅଭିବୃଦ୍ଧିର ପୈଗମ୍ବର) ବୋଲି  ଅଭିହିତ କରିଥିଲା । ତଥାପି ନେହରୁ-ଗାନ୍ଧି ପରିବାର  ରାଓଙ୍କୁ ହାଲ୍‌କା ଭାବେ ଚିତ୍ରିତ କରିବାର ଉଦ୍ୟମରୁ ଆଜି  ବି ବିରତ ହୋଇନାହାନ୍ତି ।